ଅକ୍ଟୋବରରେ କାହିଁକି ଆସେ ବାତ୍ୟା ? କାରଣ ଜାଣନ୍ତୁ..

cyclone in odisha

ଭୁବନେଶ୍ୱର : ଅକ୍ଟୋବର ମାସ ଆସିଲେ ମନରେ ଥାଏ ପାର୍ବଣ ଋତୁର ଆନନ୍ଦ ଓ ଅନ୍ୟପଟେ ମନରେ ଭୟ ଥାଏ ବାତ୍ୟାର । ସରକାରୀ ରେକର୍ଡ଼ଗୁଡ଼ିକ ଦର୍ଶାଇଥାଏ ଯେ, ଅଧିକାଂଶ ସୁପର ସାଇକ୍ଲୋନିକ୍ ଏବଂ ଅତ୍ୟଧିକ ଭୟଙ୍କର ସାଇକ୍ଲୋନିକ୍ ଷ୍ଟ୍ରମ ଅକ୍ଟୋବରରେ ଆସି ରାଜ୍ୟବାସୀଙ୍କୁ ଚକିତ କରିଥାଏ । ୧୯୯୯ ର ପ୍ରଳୟଙ୍କରୀ ମହାବାତ୍ୟା ହେଉଛି ଉତ୍ତର ଭାରତ ମହାସାଗର ଓ ବଙ୍ଗୋପସାଗରର ସବୁଠାରୁ ବଡ ବାତ୍ୟା; ଯାହା ଅକ୍ଟୋବର ୨୯-୩୧ ମଧ୍ୟରେ ଓଡ଼ିଶା ଉପକୂଳରେ ବ୍ୟାପକ ଧନ ଜୀବନ କ୍ଷୟକ୍ଷତି ଘଟାଇଥିଲା। ୨୦୧୩ରେ ଫାଇଲିନ , ୨୦୧୪ରେ ହୁଡହୁଡ଼, ୨୦୧୮ରେ ତିତିଲି , ୨୦୧୯ରେ ବୁଲବୁଲ ଅକ୍ଟୋବରମାସ ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇ ଓଡ଼ିଶା ଉପକୂଳରେ ବ୍ୟାପକ କ୍ଷୟକ୍ଷତି କରିଛନ୍ତି।
ଏକ ନିମ୍ନ-ଚାପ କ୍ଷେତ୍ର ( ଲୋପାର ) ଗଠନ, ଯାହା ପ୍ରକ୍ରିୟାକୁ ପ୍ରବର୍ତ୍ତାଇଥାଏ ଏବଂ ପରବର୍ତ୍ତୀ ସମୟରେ ସାଇକ୍ଲୋନିକ୍ ଷ୍ଟ୍ରମରେ ପରିଣତ ହୋଇ ସିଷ୍ଟମକୁ ତୀବ୍ର କରିଥାଏ, ଏହା ସମୁଦ୍ର ପୃଷ୍ଠର ତାପମାତ୍ରା ଉପରେ ନିର୍ଭର କରେ ବୋଲି ପାଣିପାଗ ବିଭାଗର ବିଶେଷଜ୍ଞ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ଅକ୍ଟୋବର ମାସରେ ସମୁଦ୍ର ପୃଷ୍ଠର ତାପମାତ୍ରା ସର୍ବାଧିକ ଥାଏ । ଏଥିସହ ସେ ଆହୁରି ମଧ୍ୟ କହିଛନ୍ତି ଯେ ମୌସୁମୀ ସମୟରେ ସମୁଦ୍ର ଉପରେ ଆର୍ଦ୍ରତା ଅଧିକ ଥାଏ। ନିମ୍ନ ଚାପ ସୃଷ୍ଟି କରିବା ପାଇଁ ସମୁଦ୍ର ପୃଷ୍ଠର ତାପମାତ୍ରା ୨୬.୫ ଡିଗ୍ରୀ ସେଲସିୟସ ହେବା ଆବଶ୍ୟକ ବୋଲି ଭୁବନେଶ୍ୱରର ଆଇଏମଡିର ପୂର୍ବତନ ନିର୍ଦ୍ଦେଶକ ତଥା ବର୍ତ୍ତମାନ ସୋଆ ପରିବେଶ ଏବଂ ଜଳବାୟୁ କେନ୍ଦ୍ରର ନିର୍ଦ୍ଦେଶକ ଡ . ସାହୁ କହିଛନ୍ତି। ।
ବାତ୍ୟାର ତୀବ୍ରତାକୁ ନେଇ ଏହାକୁ ଭାରତୀୟ ପାଣିପାଗ ବିଭାଗ ଶ୍ରେଣୀ ବିଭାଗ କରିଛି। ସମୁଦ୍ରରେ ପ୍ରଥମେ ଲଘୁଚାପ ପରେ ଘନୀଭୂତ ହୋଇ ଅବପାତ, ଗଭୀର ଅବପାତ ରୂପ ନିଏ।। କିନ୍ତୁ ଯେତେବେଳେ ପବନର ବେଗ କ୍ଷେତ୍ରର କେନ୍ଦ୍ରସ୍ଥଳରେ ୬୩କିମି କିମ୍ବା ଏହାଠାରୁ ଅଧିକ ରହେ ଏହାକୁ ସାମୁଦ୍ରିକ ବାତ୍ୟା ବୋଲି କୁହାଯାଏ। ପରେ ପବନର ଗତି ବୃଦ୍ଧି ପାଇବା ସହ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇ ସିଭିଅର ସାଇକ୍ଲୋନ୍ ( ଘଣ୍ଟା ପ୍ରତି ୮୮-୧୧୭କିମି ), ଭେରି ସିଭିଆର୍ ସାଇକ୍ଲୋନ (୧୧୮-୧୬୫), ଏକ୍ସଟ୍ରିମ୍ ସିଭିଅର ସାଇକ୍ଲୋନ୍ (୧୬୬-୨୨୦) ଓ ଶେଷରେ ସୁପର ସାଇକ୍ଲୋନ (୨୨୦+)ର ରୂପ ନେଇଥାଏ। ସମୁଦ୍ରରେ ଥିବା ଯାଏ ବାତ୍ୟା ଅଧିକ ଶକ୍ତିଶାଳୀ ହୋଇଥାଏ। କିନ୍ତୁ ଥରେ ସ୍ଥଳ ଭାଗ ଛୁଇଁଗଲେ ବାତ୍ୟା ଧୀରେ ଧୀରେ ଦୁର୍ବଳ ହେବା ଆରମ୍ଭ କରିଥଏ। ଏଠାରେ ସୂଚନା ଯୋଗ୍ୟ ଯେ, ଆରବସାଗର ଠାରୁ ବଙ୍ଗୋପସାଗରରେ ଅଧିକ ବାତ୍ୟା ସୃଷ୍ଟି ହୋଇଥାଏ। କାରଣ ବଙ୍ଗୋପସାଗରର ତାପମାତ୍ରା ଆରବସାଗର ଠାରୁ ଅଧିକ ରହିଥାଏ। ଏହା ସହିତ ପଶ୍ଚିମ ପ୍ରଶାନ୍ତ ମହାସାଗରର ଟାଇଫୁନ୍ ମାନେ ସ୍ଥଳ ଭାଗ ଅତିକ୍ରମ କରିବା ପରେ ଦୁର୍ବଳ ହୋଇ ଆଣ୍ଡମାନ ସାଗର ଦେଇ ବଙ୍ଗୋପସାଗରରେ ପ୍ରବେଶ କରନ୍ତି। ବଙ୍ଗୋପସାଗରରେ ପୁଣି ଶକ୍ତିଶାଳୀ ହୋଇ ସାମୁଦ୍ରିକ ବାତ୍ୟାରେ ରୂପାନ୍ତରିତ ହୋଇଥାନ୍ତି। ଏହି ବାତ୍ୟା ମାନେ ମୁଖ୍ୟତଃ ଉତ୍ତର ପଶ୍ଚିମ ଦିଗ ରେ ଗତି କରି ଭାରତର ପୂର୍ବ ଉପକୂଳ ରାଜ୍ୟ ମୁଖ୍ୟତଃ ଓଡ଼ିଶା, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ତାମିଲନାଡୁରେ କ୍ଷୟକ୍ଷତି କରିଥାନ୍ତି।

ପ୍ରତି ୫ଟି ବାତ୍ୟା ରୁ ୨-୩ ଟି ଶକ୍ତିଶାଳୀ ବାତ୍ୟାରେ ପରିଣତ ହୋଇଥାନ୍ତି। ତେବେ ବିଭିନ୍ନ କାରଣ ଯୋଗୁ ବାତ୍ୟାର ଗତିପଥ ଭିନ୍ନ ଭିନ୍ନ ହୋଇଥାଏ। କେତେବେଳେ ଉତ୍ତର ପଶ୍ଚିମ , ପୁଣି କେବେ ପଶ୍ଚିମ ଉତ୍ତର ପଶ୍ଚିମ , ପୁଣି କେବେ ଉତ୍ତର ଉତ୍ତର ପଶ୍ଚିମ କିମ୍ବା ପଶ୍ଚିମ ଦିଗରେ ବାତ୍ୟାର ଗତି ରହିଥାଏ। ଅକ୍ଟୋବର ମାସରେ ଓଡ଼ିଶା, ପଶ୍ଚିମବଙ୍ଗ ପ୍ରତି ବାତ୍ୟା ବିପଦ ଅଧିକ ଥିବା ବେଳେ ନଭେମ୍ବରରେ ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ପ୍ରତି ଅଧିକ ବିପଦ ରହିଥାଏ। ଡିସେମ୍ବର ରେ ସୃଷ୍ଟି ହେଉଥିବା ବାତ୍ୟାରେ ଦକ୍ଷିଣ ଆନ୍ଧ୍ର ଓ ତାମିଲନାଡୁ ଅଧିକ ପ୍ରଭାବିତ ହୋଇଥାଏ। ସେହିପରି ଆରବସାଗର ରେ ସୃଷ୍ଟ ବାତ୍ୟା ମାନେ ଗୁଜରାଟ, ମହାରାଷ୍ଟ୍ର ଉପକୂଳ କୁ ପ୍ରଭାବିତ କରିଥାନ୍ତି।

LEAVE A REPLY

Please enter your comment!
Please enter your name here