ଦେବୀଙ୍କୁ ଶାନ୍ତ କରିବା ପାଇଁ କ’ଣ କରାଯାଏ

ଭୁବନେଶ୍ୱର : ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ । ଏହାକୁ ଷୋଳପୂଜା କୁହାଯାଏ । ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ । ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର । ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ । ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଅଛି । ନବମୀ ଦିନ ରକ୍ତମୁଖା ଦେବୀଙ୍କୁ ଶାନ୍ତ କରିବା ପାଇଁ ଶାନ୍ତି ବୋଦା ପଡେ । ଦଶମୀ ଦିନ ମହା ସମାରୋହରେ ମୃଣ୍ମୟୀ ଦେବୀ ପ୍ରତିମା ଓ ଘଟ ବିସର୍ଜନ କରାଯାଏ । ପୁରୀଠାରେ ଦଶହରା ପରଦିନ ଦୁର୍ଗାଙ୍କର କ୍ରୋଧାନ୍ୱିତା ଶକ୍ତି ‘ଗୋସାଣୀ ଯାତ’ ଏବଂ ଏହି ତିଥିକୁ ଗୋସାଣୀ ଏକାଦଶୀ କୁହାଯାଏ । ଶାରଦୀୟ ଦୁର୍ଗାପୂଜାରେ ମହାସ୍ନାନ ବଳି ଏବଂ ହୋମର ବ୍ୟବସ୍ଥା ଥିବାରୁ ଏହାକୁ ‘ମହାପୂଜା’ ମଧ୍ୟ କୁହାଯାଏ । ବିବିଧ କାରଣରୁ ଦଶହରା ପର୍ବ ପାଳନ କରାଯାଉଥିବାରୁ ଏହା ଏକ ମହାନ ପାର୍ବଣରେ ପରିଣତ ହୋଇଅଛି ।

ଏହି ପର୍ବର ମହତ୍ତ୍ୱ ବିଷୟରେ ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି । କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ । ଇତିହାସ ପ୍ରସିଦ୍ଧ ଛତ୍ରପତି ଶିବାଜୀ ମଧ୍ୟ ମୋଗଲମାନଙ୍କ ସହ ଯୁଦ୍ଧ କରିବା ସମୟରେ ଦୁର୍ଗାଙ୍କର ଉପାସନା କରିଥିଲେ । ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ ଗ ପୂଜା କରାଯାଏ । ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି । ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ । ପରମ- ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ । ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ । ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’ ।

ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ (ହରିଶୟନ ଏକାଦଶୀ) ଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି । ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ । ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ । ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ । ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ । ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ । ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା । ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ । ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ । ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ । ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ । ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ।

LEAVE A REPLY

Please enter your comment!
Please enter your name here