40.1 C
Bhubaneswar
Thursday, April 25, 2024
Homeଓଡିଶାଆମେରିକାରେ ଓଡିଶା ଜାଗରଣର ସ୍ୱର ଝଙ୍କୃତ : "ଓସା " ଦ୍ୱାରା "ନୂଆଖାଇ" ପାଳନ

ଆମେରିକାରେ ଓଡିଶା ଜାଗରଣର ସ୍ୱର ଝଙ୍କୃତ : “ଓସା ” ଦ୍ୱାରା “ନୂଆଖାଇ” ପାଳନ

 

କାଲିଫର୍ନିଆ / ନୂଆଦିଲ୍ଲୀ /ସମ୍ବଲପୁର /କଟକ –  ନୂଆଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ ହୋଇଥିଲେ ହେଁ ଏହା ସମଗ୍ର ଓଡ଼ିଶାର ମହାନ କଳା , ସଂସ୍କୃତି , ଐତିହ୍ୟ ଓ ପରମ୍ପରାର ନିଚ୍ଛକ ନିଦର୍ଶନ ଓ ପ୍ରଦର୍ଶନ ବୋଲି ବିଶିଷ୍ଟ ବ୍ୟକ୍ତି ମାନେ ମତ ପ୍ରକାଶ କରିଛନ୍ତି | ଓଡିଶା ସୋସାଇଟି ଅଫ ଆମେରିକା (ଓ.ଏସ .ଏ ) ଦ୍ୱାରା ପ୍ରଥମ ଥର ପାଇଁ ଆୟୋଜିତ ଇ – ନୂଆଖାଇ ମହୋତ୍ସବରେ ଉଦବୋଧନ ଦେଇ ଏହି ମହାନୁଭବମାନେ , ନୂଆଖାଇ ଭେଟଘାଟ , ଓଡ଼ିଆ ଜାତିର ପରିଚିତି , ପ୍ରତିପତ୍ତି , ପାରଦର୍ଶିତା ଓ ପରାକାଷ୍ଠାକୁ ବିଶ୍ୱ ଦରବାରରେ ପ୍ରତିପାଦିତ ଓ ପ୍ରମାଣିତ କରିବା ରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଥିବା ଉଲ୍ଲେଖ କରିଥିଲେ | ବିଦେଶର ବିଭିନ୍ନ ରାଷ୍ଟ୍ରରେ ତଥା ଆମେରିକା ଓ କାନାଡ଼ାର ସହର ମାନଙ୍କରେ ବସବାସ କରୁଥିବା ଓଡ଼ିଆ ମାନେ ସେମାନଙ୍କର ନିଜ ନିଜ ପେଶା କ୍ଷେତ୍ରରେ ସାଫଲ୍ୟର ଶିର୍ଷତ୍ଵ ଓ ଶ୍ରେଷ୍ଠତ୍ଵ ହାସଲ କରି ମାତୃପ୍ରଦେଶ ଓଡିଶା ଓ ମାତୃଭୂମି ଭାରତବର୍ଷ ପାଇଁ ଗର୍ବ ଓ ଗୌରବର ବାହକ ହୋଇଥିବା ବେଳେ , . ନୂଆଖାଇ ପାର୍ବଣ ପାଳନ , ସେମାନଙ୍କୁ ଏକ ମନ , ଏକ ପ୍ରାଣ , ଏକ ଧ୍ୟାନ , ଏକ ସ୍ୱରରେ ଏକଜୁଟ ହୋଇ ମା ଉତ୍କଳ , ଦେବୀ ସମଲେଇ ଓ ପ୍ରଭୁ ଜଗନ୍ନାଥଙ୍କର ବନ୍ଦାପନା କରିବାର ଭରପୁର ସୁଯୋଗ ଜୁଟାଇଥିବା , ସେମାନେ ଦର୍ଶାଇଥିଲେ | ବିଶେଷ କରି କରୋନା ମହାମାରୀର କରାଳ ଛାୟାରେ ସମଗ୍ର ବିଶ୍ୱ କବଳିତ ହୋଇଥିବା ବେଳେ ଓ.ଏସ. ଏ. ର ସଭାପତି କୁକୁ ଦାସ ଓ ତାଙ୍କର ଟିମଙ୍କ ନେତୃତ୍ୱରେ ଆବଶ୍ୟକୀୟ ସ୍ୱାସ୍ଥ୍ୟଗତ ଅନୁଶାସନ ପାଳନ ପୂର୍ବକ , ଏଭଳି ଏକ ୱେବ ସମାରୋହର ଭବ୍ୟ ଆୟୋଜନ କରାଯାଇଥିବାରୁ ଅତିଥିମାନେ ତାଙ୍କର ଭୁରି ଭୁରି ପ୍ରସଂଶା କରିଥିଲେ | ପ୍ରକୃତରେ କୋଭିଡ ର ଅଭୂତପୂର୍ବ ସଂକଟକୁ ଶ୍ରୀମତୀ ଦାସ ଓ ଓ.ଏସ.ଏ. ର କର୍ମକର୍ତା ମାନେ ଏକ ଭରପୁର ଅବସରରେ ପରିଣତ କରି ଅନଲାଇନ ଜରିଆରେ ସାରା ପୃଥିବୀର ଓଡ଼ିଆ ମାନଙ୍କୁ ଏକତ୍ର ଯୋଡ଼ିବାରେ ସଫଳ ହୋଇଥିବାରୁ ବକ୍ତାମାନେ ଏହି ଆୟୋଜକ ମାନଙ୍କୁ ସାଧୁବାଦ ଜଣାଇଥିଲେ |

 

“ନୂଆଖାଇ ଜୁହାର ” ନାମରେ ନାମିତ ଏହି ନିଆରା ତ୍ବହାର ରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରସିଦ୍ଧ କୋଶଳୀ କବି ପଦ୍ମଶ୍ରୀ ହଳଧର ନାଗ ତାଙ୍କର ସ୍ୱରଚିତ କିଛି ବଛା ବଛା କବିତା ଖୁବ ଜୀବନ୍ତ ଓ ପ୍ରାଞ୍ଜଳ ଭାବରେ ଆବୃତ କରି ସମସ୍ତଙ୍କୁ ଚମତକୃତ କରିଦେଇଥିଲେ | ମୁଖ୍ୟ ବକ୍ତା ଭାବରେ ରାଜ୍ୟର ଶକ୍ତି ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ପ୍ରକୃତି ଓ ମାନବ ସମାଜର ନିବିଡ଼ ,ନିରନ୍ତର ତଥା ଚିରନ୍ତନ ସମ୍ପର୍କ ଉପରେ ଆଲୋକପାତ କରିଥିଲେ | ସମ୍ମାନିତ ଅତିଥି ବରିଷ୍ଠ ପ୍ରସାଶକ ଡ଼ ଅରବିନ୍ଦ ପାଢ଼ୀ ତୁଙ୍ଗ ଶିଖର ଚୂଳ , କୁଞ୍ଜ କାନନ ମାଳ ତଥା ଉନ୍ନତ କଳା ସଂସ୍କୃତିରେ ପରିପୃଷ୍ଟ ଓ ପରିଶୋଭିତ ଓଡ଼ିଶାର ପଶ୍ଚିମାଞ୍ଚଳ ର ସବୁଠୁ ବଡ ପର୍ବ ନୂଆଖାଇ ପରିପ୍ରେକ୍ଷୀରେ ସମସ୍ତଙ୍କୁ ଶୁଭ କାମନା ଜଣାଇଥିଲେ | ବୈଠକରେ କଟକରୁ ସାମିଲ ହୋଇଥିବା ଅନ୍ୟତମ ବକ୍ତା କର୍ନେଲ ସୁରେନ୍ଦ୍ର ନାଥ ମହାନ୍ତି , ହଳଧର ନାଗ ଜଣେ ଅନନ୍ୟ ପ୍ରତିଭାବାନ କବି ଓ ତାଙ୍କର ସ୍ମରଣ ଶକ୍ତି ଅଶ୍ରୁତପୂର୍ବ ବୋଲି ଅବତାରଣା କରିଥିଲେ | ଶ୍ରୀ ନାଗ ତାଙ୍କର ପ୍ରତ୍ୟକ କବିତାର ଶେଷ ଛନ୍ଦରେ ଆଶ୍ଚର୍ଯ୍ୟ ଜନକ ଭାବେ ଯେଉଁ ଭିନ୍ନ ମୋଡ ଦେଇଥାନ୍ତି , ତାକୁ ସେ ହଳଧର ନାଗ ମୋଡ ଆଖ୍ୟା ଦେଇଥିବା ଶ୍ରୀ ମହାନ୍ତି ଦର୍ଶାଇଥିଲେ | ଇ ସଭାରେ ଶ୍ରୀ ନାଗ ଙ୍କ ଦ୍ୱାରା ଲିଖିତ ଓ ଶ୍ରୀ ମହାନ୍ତିଙ୍କ ଦ୍ୱାରା ଇଂରାଜୀରେ ଅନୁବାଦିତ କାବ୍ୟଞ୍ଜଳି ପୁସ୍ତିକାର ଚତୁର୍ଥ ସଂସ୍କରଣ ଉନ୍ମୋଚନ କରାଯାଇଥିଲା |

ଏହି ଅବସରରେ ମୁଖ୍ୟ କାର୍ଯ୍ୟକ୍ରମ ଉପସ୍ଥାପକ ତଥା ଓସାର ଉପସଭାପତି ଅନୀଲ ପଟନାୟକ ଙ୍କର ନା ଆମେ କଟିକିଆ , ନା କୋରାପୁଟିଆ , ନା ସମ୍ବଲପୁରିଆ , ଆମେ ସବୁ ଓଡ଼ିଆ ଗୀତ ଗାୟନ ଖୁବ ମର୍ମସ୍ପର୍ଶୀ ଥିଲା ଏବଂ କିଛି କ୍ଷଣ ପାଇଁ ସମଗ୍ର ପରିବେଶକୁ ବେଶ ଭାବ ବିହ୍ଵଳ କରିଦେଇଥିଲା | ସ୍ନିଗ୍ଧା ହୋତା ଖୁବ ସୁନ୍ଦର ଓ ସାବଲୀଳ ଢଙ୍ଗରେ ସାଂସ୍କୃତିକ କାର୍ଯ୍ୟକ୍ରମ ର ସଂଯୋଜନା କରିଥିଲେ |

ଉତ୍ସବର ମୁଖ୍ୟ ଆକର୍ଷଣ କଳାହାଣ୍ଡି ର ନୃତ୍ୟକଳା କେନ୍ଦ୍ର ଦ୍ୱାରା ପରିବେଷିତ ଡାଲଖାଇ ରସରକେଲି ନୃତ୍ୟ ଥିଲା ଆମେରିକା ଓ କାନାଡ଼ାରେ ରେ ରହୁଥିବା ପ୍ରବାସୀ ଓଡ଼ିଆ ମାନେ ଆଦିବାସୀ ନୃତ୍ୟ ଏବଂ ସମ୍ବଲପୁରୀ ସଂଗୀତ ର ତାଳେ ତାଳେ ଝୁମିବା ସହିତ ପରସ୍ପରକୁ ନୂଆଖାଇ ଜୁହାର ଅଭିବାଦନ କରିଥିଲେ | ସମ୍ବଲପୁରୀ ଭାଷାକୁ ଆଧାର କରି ଏକ ମଜାଦାର କୁଇଜ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା | ଏହାକୁ ମିଚିଗାନର ଡ଼. ସଂଗୀତା ପ୍ରଧାନ ସଂଚାଳନା କରିଥିଲେ | ଓସାର କୋଷାଧକ୍ଷ ଉତ୍କଳ ନାୟକ ମଂଚ ପରିଚାଳନାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ | ସୁପର୍ଣ୍ଣ ବେହେରା ,ଅଚ୍ୟୁତ ଆଚାର୍ଯ୍ୟ , ମାଧବୀକା ନାୟକ , ନିବେଦିତା ଗନ୍ତାୟତ , ଗାୟତ୍ରୀ ସେନାପତି , ସୁଶ୍ରୀ ଶୃତି ,ବିଶ୍ୱ ବେହେରା , ଅଶୋକ ଓ ସସ୍ମିତା ପାଣିଗ୍ରାହୀ ପ୍ରମୁଖ ଖୁବ ଲୋକପ୍ରିୟ ସଂଗୀତ ଗୁଡିକୁ ସୁଚାରୁ ରୂପେ ପ୍ରସ୍ତୁତ କରି ଶ୍ରୋତା ମାନଙ୍କୁ ମନ୍ତ୍ର ମୁଗଧ କରିଦେଇଥିଲେ |

ଏହି ଭରଚୁଆଲ ସମାବେଶରେ ଆମେରିକାରର ୫୦ଟି ରାଜ୍ୟ ଓ କାନାଡ଼ାରେ ଅବସ୍ଥାପିତ ଓସାର ୧୮ଟି ଶାଖାର ସଭାପତି ମାନେ ଉପସ୍ଥିତ ଥିଲେ | ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ମାନଙ୍କ ମଧ୍ୟରେ ସୁକୁମାର ପୁରୋହିତ ,ବୁନୁ ବେହେରା ,ମନୋଜ ମିଶ୍ର , ମନୋଜ ଓ ଗାୟତ୍ରୀ ଯୋଶୀ , ଧୀରେନ୍ଦ୍ର କର ,ପ୍ରମୋଦ ମହାପାତ୍ର ,ପ୍ରଭାତ ନଳିନୀ ପଟନାୟକ ,ସମୀର ଓ ଗାୟତ୍ରୀ ସେନାପତି , ଶ୍ରୀମତୀ କଲ୍ୟାଣୀ ଓ ଶ୍ରୀ ବୁଧିନାଥ ପାଢ଼ୀ ଏବଂ ବିଜୟ ଶତପଥୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

 

ମହାଆଡମ୍ବରରେ ଅନୁଷ୍ଠିତ ସମସ୍ତ ଆୟୋଜନ ଓସା ର ସଭାପତି କୁକୁ ଦାସ ଙ୍କର ସକ୍ରୀୟ ତତ୍ୱାବଧାନରେ ସୁସମ୍ପନ୍ନ ହୋଇଥିଲା | ଏହି ୱେବ ସମାରୋହରେ ଅନ ଲାଇନ ଓ ଲାଇଭ ସ୍ଟିମିଙ୍ଗ ଜରିଆରେ ପାଖାପାଖି ୩୦୦୦ ଦର୍ଶକ ସାମିଲ ହୋଇଥିଲେ |

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking