17.1 C
Bhubaneswar
Sunday, November 24, 2024
Homeଦେଶ ବିଦେଶପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଅର୍ପିତାଙ୍କ ୮ କମ୍ପାନୀର ଆକାଉଣ୍ଟ୍ ଫ୍ରିଜ୍‌

ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି: ଅର୍ପିତାଙ୍କ ୮ କମ୍ପାନୀର ଆକାଉଣ୍ଟ୍ ଫ୍ରିଜ୍‌

ନେତାଙ୍କ କହିବାରୁ ଚାକିରି ଦେଇଥିଲି- ପାର୍ଥ
କୋଲ୍‌କାତା : ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲରେ ମନି ଲଣ୍ଡରିଂର ତଦନ୍ତ ଚଳାଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଶନିବାର ପୂର୍ବତନ ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ସହଯୋଗୀ ଅର୍ପିତା ମୁଖାର୍ଜୀ ସମ୍ପୃକ୍ତ ଥିବା ୮ଟି କମ୍ପାନୀର ବ୍ୟାଙ୍କ ଆକାଉଣ୍ଟ୍ ଫ୍ରିଜ୍ କରିଦେଇଛି। ସପ୍ତମ ଦିନ ଜେରା ବେଳେ ପାର୍ଥ ଦୁର୍ନୀତି ସମ୍ପର୍କରେ ବଡ଼ ପର୍ଦ୍ଦଫାସ୍ କରି କହିଛନ୍ତି, ନେତାମାନଙ୍କ କହିବା ଅନୁସାରେ ଚାକିରି ଦେଇଥିଲି । ଇଡି ସୂତ୍ର ଅନୁସାରେ ପାର୍ଥ ଏବଂ ଅର୍ପିତାଙ୍କୁ ସାମ୍ନାସାମ୍ନି ବସାଇ ଜେରା କରାଯାଇପାରେ । ଜୁଲାଇ ୨୮ରେ ଅର୍ପିତାଙ୍କ ଘରେ ହୋଇଥିବା ଚଢ଼ଉରେ ଇଡିକୁ ପ୍ରାୟ ୨୮ କୋଟି ଟଙ୍କାର କ୍ୟାସ୍ ମିଳିଥିଲା ।

ଅନ୍ୟପକ୍ଷରେ ଟିଏମ୍‌ସି ସାଂସଦ ଅଭିଷେକ ବାନାର୍ଜୀଙ୍କ ଘର ସାମ୍ନାରେ ଶନିବାର ସକାଳେ ପ୍ରଦର୍ଶନ କରୁଥିବା ଶିକ୍ଷକ ନିଯୁକ୍ତି ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କୁ ପୁଲିସ ହଟାଇ ଦେଇଛି । ସେମାନେ ଅଭିଷେକଙ୍କୁ ଭେଟିବା ପାଇଁ ଚାହୁଁଥିଲେ । ପୁଲିସ ସକାଳୁ ସେମାନଙ୍କୁ ସେଠାରୁ ହଟିଯିବା ପାଇଁ କହିଆସୁଥିଲେ ମଧ୍ୟ ସେମାନେ ନହଟିବାରୁ ବଳ ପ୍ରୟୋଗ କରିଥିଲା । ଇଡି ସୂତ୍ର ଅନୁସାରେ ଅର୍ପିତାଙ୍କ ଯେଉଁ ଫ୍ଲାଟ୍‌ରୁ ୨୨ କୋଟି ଟଙ୍କା ମିଳିଥିଲା ସେହି ସୋସାଇଟିରେ ପାର୍ଥ ଭିନ୍ନ ଭିନ୍ନ ନାମରେ ଗୋଟିଏ ପେଣ୍ଟହାଉସ୍ ଏବଂ ଦୁଇଟି ଫ୍ଲାଟ୍ କିଣିଥିଲେ । ଚଢ଼ଉ ବେଳେ ସୋସାଇଟିର ଆପ୍‌ରୁ ଏହି ଫ୍ଲାଟ୍ ସମ୍ପର୍କରେ ସୂଚନା ଡିଲିଟ୍ କରିଦିଆଯାଇଥିଲା ।

ସୋସାଇଟିରେ ରହୁଥିବା ଲୋକଙ୍କ ସୂତ୍ରକୁ ଉଦ୍ଧାର କରି ଆନନ୍ଦ ବଜାର ପତ୍ରିକାରେ କୁହାଯାଇଛି ସୋସାଇଟିର ୧୯ତମ ଏବଂ ୨୦ତମ ମହଲାରେ ପାର୍ଥଙ୍କର ଦୁଇଟି ଫ୍ଲାଟ୍ ଥିବାବେଳେ ସବା ଉପରେ ପେଣ୍ଟ୍ ହାଉସ୍ ନିର୍ମାଣ କରାଯାଇଛି । ପାର୍ଥ ବେଳେ ବେଳେ ଏହି ପେଣ୍ଟ୍ ହାଉସ୍‌କୁ ଆସୁଥିଲେ ବୋଲି ସୋସାଇଟିର ବାସିନ୍ଦା କହିଛନ୍ତି । ଇଡି ଏବେ ପାର୍ଥ ଏବଂ ଅର୍ପିତାଙ୍କ ୧୫ ଠିକଣାରେ ଚଢ଼ଉ ପାଇଁ ପ୍ରସ୍ତୁତି ଚଳାଇଛି । ବର୍ତ୍ତମାନ ସୁଦ୍ଧା ଇଡି ଦୁଇଟି ସ୍ଥାନରେ ଚଢ଼ଉ କରି ପ୍ରାୟ ୫୦ କୋଟି ଟଙ୍କା କ୍ୟାସ୍ ଏବଂ ୩ କେଜି ସୁନା ଜବତ କରିଛି । ସେହିପରି ଇଡି ଜେରାବେଳେ ଏ ସମ୍ପର୍କରେ ଅର୍ଥ ପାର୍ଥ ଚାଟାର୍ଜୀଙ୍କର ବୋଲି ଅର୍ପିତା ସ୍ୱୀକାର କରିଛନ୍ତି ।

ଇଡି ତଦନ୍ତ ପୂରା ହେବାପରେ ଏହି ମାମଲାରେ ସିବିଆଇ ଏବଂ ଆୟକର ବିଭାଗର ମଧ୍ୟ ଏଣ୍ଟ୍ରି ହେବାର ସମ୍ଭାବନା ରହିଛି । ଆୟକର ବିଭାଗ ବେନାମୀ ସମ୍ପତ୍ତି ମାମଲାରେ ପାର୍ଥ ଏବଂ ଅର୍ପିତାଙ୍କ ପ୍ରଶ୍ନ ପଚାରିପାରେ । ସେହିପରି ଅର୍ପିତାଙ୍କ ଏକ ଫ୍ଲାଟ୍‌ରୁ ଚାରିଟି ଦାମୀ କାର୍ ଗାୟବ ହୋଇଯାଇଥିବା ଖବର ମିଳିଛି । ସେଗୁଡ଼ିକ ବର୍ତ୍ତମାନ ସୁଦ୍ଧା କୌଣସି ସନ୍ଧାନ ମିଳିନାହିଁ । ଏହି କାର୍‌ରେ ଟଙ୍କା ଭର୍ତ୍ତିକରି କେଉଁଆଡ଼େ ପଠାଇ ଦିଆଯାଇଥିବା ଇଡି ଅଧିକାରୀମାନେ ସନ୍ଦେହ କରୁଛନ୍ତି । ସେହିପରି ଏହି ମାମଲାରେ ଏକ ନୂଆ ପର୍ଦ୍ଦାଫାସ୍ ହୋଇଛି । ପାର୍ଥ ଓ ଅପିତା ମିଳିତ ଭାବେ ୨୦ ଲକ୍ଷ ଟଙ୍କାରେ ୧୦ ବର୍ଷ ପୂର୍ବେ ଶାନ୍ତିନିକେତନରେ ଏକ ଫ୍ଲାଟ୍ କିଣିଥିଲେ । ଏହାର ନାମ ବଦଳାଯାଇ ‘ଅ-ପା’ ରଖାଯାଇଥିଲା, ଯାହାର ଅର୍ଥ ଅର୍ପିତା ଓ ପାର୍ଥ । ଅନ୍ୟପକ୍ଷରେ ଏହି ମାମଲାକୁ ନେଇ ବିଜେପି କହିଛି ସତ୍ୟ ଧୀରେ ଧୀରେ ସାମ୍ନାକୁ ଆସିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking