27.1 C
Bhubaneswar
Thursday, April 25, 2024
Homeଓଡିଶା୨୬ରୁ ୨୮ ପ୍ରବଳ ବର୍ଷିବ

୨୬ରୁ ୨୮ ପ୍ରବଳ ବର୍ଷିବ

ଭୁବନେଶ୍ୱର: ନିକଟରେ ଗୋଟିଏ ବଡ଼ ବର୍ଷା ଯାଇଥିବାବେଳେ ଆଉଥରେ ବଡ଼ ବର୍ଷା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ଭାରତୀୟ ପାଣିପାଗ ସଂସ୍ଥାନ (ଆଇଏମ୍‌ଡି) ଡିଜି ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସୂଚନା ଅନୁସାରେ ଆସନ୍ତା ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଧିକାଂଶ ସ୍ଥାନରେ ବର୍ଷା ହେବ । ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବିଶେଷ ଭାବେ ଏହାର ପ୍ରଭାବ ପଡ଼ିବ । ମିଆଁମାର ଓ ଏହାର ନିକଟସ୍ଥ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ବୁଧବାର ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିଲା । ଯାହା ଏବେ ମଧ୍ୟ ସେହି ସ୍ଥାନରେ କେନ୍ଦ୍ରୀଭୂତ ହୋଇରହିଛି । ଏହା ଧୀରେ ଧୀରେ ଉତ୍ତର-ପଶ୍ଚିମ ଦିଗକୁ ଗତିକରି ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଓ ତା’ ନିକଟସ୍ଥ ଉତ୍ତର ବଙ୍ଗୋପସାଗରେ ୨୫ ତାରିଖରେ ଅଧିକ କେନ୍ଦ୍ରୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହେବା ସମ୍ଭାବନା ରହିଛି । ଏହି ଲଘୁଚାପ କ୍ଷେତ୍ର ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ ।

ତେଣୁ ଏହାର ପ୍ରଭାବରେ ଓଡ଼ିଶାରେ ୨୬ ତାରିଖରୁ ବର୍ଷା ଆରମ୍ଭ ହେବ । ୨୬ ଓ ୨୭ ତାରିଖରେ ରାଜ୍ୟର ଅଧିକାଂଶ ସ୍ଥାନରେ ଭାରୀ ବର୍ଷା ହେବ । ଅର୍ଥାତ ୭ରୁ ୧୨ ସେଣ୍ଟିମିଟର ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଛି । ୨୮ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । ଧୀରେ ଧୀରେ ବର୍ଷାର ପରିମାଣ କମିବ । ବିଶେଷକରି ବର୍ଷା ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ହେବାର ସମ୍ଭାବନା ରହିଛି ।
ଶ୍ରୀ ମହାପାତ୍ର କହିଛନ୍ତି, ବର୍ତ୍ତମାନର ସ୍ଥିତିକୁ ଦେଖିଲେ ବଙ୍ଗୋପସାଗର ଓ ନିକଟସ୍ଥ ସାଉଥ୍ ଚାଇନା ସମୁଦ୍ରରେ ମୌସୁମୀ ସକ୍ରିୟ ହୋଇଥିବାରୁ ଗୋଟିଏ ପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହେଉଛି ।

୨୮ ତାରିଖ ପରେ ଓଡ଼ିଶାରେ କୌଣସି ଲଘୁଚାପ ଓ ବାତ୍ୟା ସୃଷ୍ଟି ନେଇ ତଥ୍ୟ ନାହିଁ । ବୁଧବାର ଝାଡ଼ଖଣ୍ଡ ଉପରେ ଥିବା ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗକୁ ଗତିକରି ଦୁର୍ବଳ ହୋଇଯାଇଛି । ଏହାର ପ୍ରଭାବରେ ଓଡ଼ିଶାରେ ବର୍ଷା ହେବାର ନାହିଁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି । ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଉମାଶଙ୍କର ଦାସଙ୍କ କହିବାନୁଯାୟୀ ମୌସୁମୀ ଜନିତ ନିମ୍ନଚାପ ରେଖା ରାଜସ୍ଥାନରୁ ବାହାରି ଝାରସୁଗୁଡ଼ା, ପୁରୀ ଦେଇ ବଙ୍ଗୋପସାଗର ପର୍ଯ୍ୟନ୍ତ ଲମ୍ବିଛି । ୨୪ ତାରିଖରେ ରାଜ୍ୟରେ ବିଶେଷ ବର୍ଷା ସମ୍ଭାବନା ନାହିଁ । ୨୫ରୁ ପୁଣିଥରେ ବର୍ଷା ବଢ଼ିବ, ଉପକୂଳ ଜିଲ୍ଲାରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ହେବ । ୨୬ ତାରିଖରେ ଉପକୂଳ ଜିଲ୍ଲାଗୁଡ଼ିକ ସମେତ ଉତ୍ତର, ଅଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ଶ୍ରୀ ଦାସ କହିଛନ୍ତି ।

ସେପଟେ ଚଳିତ ସେପ୍ଟେମ୍ବର ମାସରେ ବଙ୍ଗୋପସାଗରରେ ଲଗାତାର ଲଘୁଚାପ ସୃଷ୍ଟି ହେବାରେ ଲାଗିଛି । ଏହି ମାସରେ ପୂର୍ବରୁ ଦୁଇଟି ଲଘୁଚାପ ସୃଷ୍ଟି ହୋଇସାରିଥିବାବେଳେ ଚଳିତ ସପ୍ତାହରେ ଆଉ ଦୁଇଟି ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଗୋଟିଏ ସମୟରେ ହିଁ ଏହି ଦୁଇଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି ବୋଲି ଘରୋଇ ପାଣିପାଗ ସଂସ୍ଥା ସ୍କାଏମେଟ ପକ୍ଷରୁ କୁହାଯାଇଛି । ପୂର୍ବାନୁମାନ ଅନୁସାରେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଆସନ୍ତାକାଲି ସନ୍ଧ୍ୟାରେ ଗୋଟିଏ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି । ଏହି ଲଘୁଚାପ ସମ୍ପର୍କରେ ଭାରତୀୟ ପାଣିପାଗ ବିଭାଗ ମଧ୍ୟ ପୂର୍ବରୁ ସୂଚନା ଦେଇସାରିଛି । ଏହି ଲଘୁଚାପଟି ଉତ୍ତର-ଓଡ଼ିଶା ଉପକୂଳରେ ସ୍ଥଳଭାଗ ଅତିକ୍ରମ କରିବାର ସମ୍ଭାବନା ରହିଛି ।

ଦ୍ୱିତୀୟ ଲଘୁଚାପଟି ଉତ୍ତର-କେନ୍ଦ୍ରୀୟ ବଙ୍ଗୋପସାଗରରେ ୨୫ ତାରିଖ ବେଳକୁ ସୃଷ୍ଟି ହେବାର ସମ୍ଭାବନା ରହିଛି । ଏହା ମଧ୍ୟ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରିବ । ଏହି ପାଣିପାଗ ବ୍ୟବସ୍ଥାଟି ଏବେ ଭିଏତନାମ ଉପକୂଳରେ ଏକ ଡିପ-ଡିପ୍ରେସନ ଆକାରରେ ରହିଛି । ସ୍ଥଳ ଭାଗ ଉପରେ ରହିଥିବାବେଳେ ଏହା ୨୬ ତାରିଖ ପରେ କ୍ରମଶଃ ଉତ୍ତର-ପଶ୍ଚିମ ଦିଗରେ ଗତି କରି ବଙ୍ଗୋପାସଗରରେ ପ୍ରବେଶ କରିବ । ପାଣିପାଗ ଅନୁକୂଳ ରହିଲେ ଏହା ୨୮ ବେଳକୁ ଦୁର୍ବଳ ହେବା ସମ୍ଭାବନା ରହିଛି । ଯଦି ଏହା ଗଭୀର ଅବପାତ ରୂପ ନ ନିଏ ତେବେ ଓଡ଼ିଶା ସହ ପଶ୍ଚିମବଙ୍ଗ, ଛତିଶଗଡ଼, ଝାଡ଼ଖଣ୍ଡ ଓ ଆନ୍ଧ୍ରପ୍ରଦେଶରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାକୁ ନେଇ ଏବେ ଲୋକଙ୍କ ମନରେ ଭୟର ବାତାବରଣ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking