29.1 C
Bhubaneswar
Saturday, April 13, 2024
Homeଓଡିଶାତାତିରେ ସିଝୁଛି ସାରା ଓଡ଼ିଶା; ଆକାଶରୁ ହେଉଛି ଅଗ୍ନିବର୍ଷା

ତାତିରେ ସିଝୁଛି ସାରା ଓଡ଼ିଶା; ଆକାଶରୁ ହେଉଛି ଅଗ୍ନିବର୍ଷା

ଭୁବନେଶ୍ୱର: ତାତିରେ ସିଝୁଛି ସାରା ଓଡ଼ିଶା । ଆକାଶରୁ ହେଉଛି ଅଗ୍ନିବର୍ଷା । ଉପକୂଳରୁ ଉପାନ୍ତ ସବୁଠି କଲବଲ କରୁଛି ଟାଣ ଖରା । ଦିନ ୨ଟା ସୁଦ୍ଧା କେନ୍ଦୁଝର, ସମ୍ବଲପୁର ଓ ହୀରାକୁଦରେ ୩୯ ଡିଗ୍ରୀ ପାର କରିଥିଲା ପାରଦ । ଆଗକୁ ଆଉରି ଅଣାୟତ କରିବ ଖରା ଗରମ ବୋଲି ସତର୍କ କରିଛି ପାଣିପାଗ ବିଭାଗ । ଆସନ୍ତାକାଲିଠୁ ବିଭିନ୍ନ ଜିଲ୍ଲାରେ ହିଟ୍ ୱେବ୍ ବା ଗ୍ରୀଷ୍ମ ପ୍ରବାହ ସ୍ଥିତି ଉପୁଜିବା ନେଇ ଆଲର୍ଟ ଜାରି ହୋଇଛି । ଆସନ୍ତାକାଲି ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ମୟୁରଭଞ୍ଜ ଓ କେନ୍ଦୁଝରରେ ହିଟ୍ ୱେବ୍ ନେଇ ୟଲୋ ଆଲର୍ଟ ଜାରି ହୋଇଛି । ସେହିଭଳି ବୌଦ୍ଧ, ବଲାଙ୍ଗିର, କଳାହାଣ୍ଡି, ସୋନପୁର, କନ୍ଧମାଳ ଓ ନୟାଗଡ଼ରେ ଉଷ୍ମ ରାତି ଅନୁଭୂତ ହେବ । ଏପ୍ରିଲ ୪ ତାରିଖରେ ୮ ଜିଲ୍ଲା ଓ ୫ ଏବଂ ୬ ତାରିଖରେ ୧୦ ଜିଲ୍ଲାରେ ହିଟ୍ ୱେବ୍ ନେଇ ସତର୍କ କରିଛି ପାଣିପାଗ ବିଭାଗ ।

ଆସନ୍ତାକାଲି ପଶ୍ଚିମ ଓଡ଼ିଶାର କିଛି ଜିଲ୍ଲାରେ ୪୨ ଡିଗ୍ରୀ ଓ ହିଟ୍ ୱେବ୍ ଜିଲ୍ଲାରେ ୪୦ ରୁ ୪୧ ଡିଗ୍ରୀ ତାପମାତ୍ରା ରେକର୍ଡ ହେବା ସହ ଝାଞ୍ଜି ପବନ ପ୍ରବାହିତ ହେବ । ଆସନ୍ତା ୬ ତାରିଖ ଯାଏଁ ଏଭଳି ପାଗ ବଳବତ୍ତର ରହିବ । ୭ ତାରିଖରୁ ପାଗରେ ପରିବର୍ତ୍ତନ ହେବା ନେଇ ଆକଳନ ହେଉଛି । ଖରାକୁ ଦେଖି ଆଜିଠାରୁ ଆରମ୍ଭ ହୋଇଛି ସକାଳୁଆ ସ୍କୁଲ୍ । ସକାଳ ୭ଟାରୁ ୧୧.୩୦ ହେଉଛି କ୍ଲାସ୍ । ପିଲାମାନଙ୍କୁ ପାଠ ପଢ଼ାଇବା ସହିତ ଖରା ଦାଉରୁ କିଭଳି ରକ୍ଷା ପାଇବା ତଥା ଅଂଶୁଘାତ ମୁକାବିଲା ନେଇ ଶ୍ରେଣୀଗୃହରେ ସଚେତନ କରାଯାଉଛି । ସ୍କୁଲରେ ମଧ୍ୟ ପର୍ଯ୍ୟାପ୍ତ ପରିମାଣର ପାଣି ମହଜୁଦ ରଖିବା ସହ ଓ ଆର ଏସ ରଖିବାକୁ ନିର୍ଦ୍ଦେଶ ହୋଇଛି ।

ସେହିଭଳି ପ୍ରବଳ ଖରା ଓ ହିଟ୍ ୱେବ୍ ସ୍ଥିତିକୁ ଦେଖି ଅଂଶୁଘାତ ମୁକାବିଲା ପାଇଁ ସଜାଗ ସ୍ୱାସ୍ଥ୍ୟ ବିଭାଗ । ପ୍ରତି ଜିଲ୍ଲା ହସ୍ପିଟାଲରେ ୬ଟି ଲେଖାଏଁ ବେଡ୍ ସ୍ୱାସ୍ଥ୍ୟ ଗୋଷ୍ଠୀ କେନ୍ଦ୍ରରେ ୨ଟି ଓ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୋଟିଏ ଲେଖାଏଁ ବେଡ୍ ମହଜୁଦ ରଖିବାକୁ ସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶ ରହିଛି । ଯେଉଁଥିରେ ଏସି କିମ୍ବା ୱାଟର କୁଲାରର ବ୍ୟବସ୍ଥା ରହିବ । ପର୍ଯ୍ୟାପ୍ତ ପରିମାଣର ପାଣି, ଓଆର୍ ଏସ ରହିବ । ସବୁ ଜିଲ୍ଲାକୁ ନିର୍ଦ୍ଦେଶ ଦିଆଯାଇଛି ଅଂଶୁଘାତ ମୁକାବିଲା ପାଇଁ ଯାହା ଆବଶ୍ୟକ ଓଷଧ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ସାମଗ୍ରୀ ମହଜୁଦ ରଖନ୍ତୁ । ଡାକ୍ତରମାନେ ୨୪ ଘଣ୍ଟା କିଭଳି ରୋଟେସନ୍ ଡ୍ୟୁଟି କରିବେ ସେଥିପାଇଁ ମଧ୍ୟ ନିର୍ଦ୍ଦେଶ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking