29.1 C
Bhubaneswar
Friday, April 26, 2024
Homeଓଡିଶା୪ଦିନ ଲଗାଣ ବର୍ଷା ସମ୍ଭାବନା : ବଦଳୁଛି ସ୍ଥିତି, ଫେରୁଛି ମୌସୁମୀ!

୪ଦିନ ଲଗାଣ ବର୍ଷା ସମ୍ଭାବନା : ବଦଳୁଛି ସ୍ଥିତି, ଫେରୁଛି ମୌସୁମୀ!

ଭୁବନେଶ୍ୱର:  ଶ୍ରାବଣର ଅଧାରୁ ଅଧିକ ଦିନ ଅତିକ୍ରମ କଲାଣି । ହେଲେ ଶୁଖିଲା ପଡ଼ିଛି ଜମି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ଦୁଇମାସ ଟପିଲାଣି, ହେଲେ ଏବେ ୨୨ ଜିଲ୍ଲାରେ ଅଭାବୀ ବର୍ଷା ରେକର୍ଡ ହୋଇଛି । ସେଥିରୁ ୬ ଜିଲ୍ଲାରେ ବର୍ଷା ୪୦ କିମ୍ବା ୪୦%ରୁ ଊର୍ଦ୍ଧ୍ୱ ନିଅଣ୍ଟିଆ ରହିଛି । ଯାଜପୁର ୫୩%, ଭଦ୍ରକ ୫୧%, ଗଜପତି ୪୬%, ଝାରସୁଗୁଡ଼ା ୪୩%, ବଲାଙ୍ଗିର ୪୨% କମ୍ ବର୍ଷା ଥିବାବେଳେ କେନ୍ଦୁଝରରେ ବର୍ଷା ୪୦% ନିଅଣ୍ଟ ରହିଛି । ଫଳରେ ସମ୍ପୃକ୍ତ ଜିଲ୍ଲାଗୁଡ଼ିକରେ ଏବେ ଖରିଫ ଫସଲ ଊତ୍ପାଦନ ବହୁଳ ମାତ୍ରାରେ ବାଧାପ୍ରାପ୍ତ ହୋଇଥିବା ସୂଚନା ମିଳିଛି । ଅଭାବୀ ବର୍ଷା କାରଣରୁ ଉପରୋକ୍ତ ଜିଲ୍ଲାଗୁଡ଼ିକରେ ଚାଷ ଜମି ଫାଟି ଆଁ କଲାଣି । ହେଲେ ଏହି ସ୍ଥିତିରେ ଚାଷୀଙ୍କୁ ଆଶ୍ୱସ୍ତି ଦେଉଛି କାଳବୈଶାଖୀ ବର୍ଷା ।

ଗତ ୨୪ ଘଣ୍ଟାରେ ରାଜ୍ୟର ଏକାଧିକ ସ୍ଥାନରେ ବର୍ଷା ରେକର୍ଡ ହୋଇଥିବାବେଳେ ଶନିବାର ରାଜ୍ୟର ଏକାଧିକ ସ୍ଥାନରେ ବିଜୁଳି ଘଡ଼ଘଡ଼ି ସହ ପ୍ରବଳରୁ ଅତିପ୍ରବଳ ବର୍ଷା ହେବା ନେଇ ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଶେଷଙ୍କ ଉମାଶଙ୍କର ଦାସଙ୍କ ନିକଟରୁ ମିଳିଥିବା ସୂଚନା ମୁତାବକ, ଆସନ୍ତା ୪ଦିନ ରାଜ୍ୟରେ ବହୁଳ ମାତ୍ରାରେ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷ କରି ୧୫ ଓ ୧୬ ତାରିଖ ରାଜ୍ୟରେ କାଳବୈଶାଖୀ ସହ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏବେ ପାଣିପାଗ ନିୟାମକ ସ୍ଥିତିରେ ପରିବର୍ତ୍ତନ ନଜରକୁ ଆସିଛି। ମୌସୁମୀ ଏବେ ଉତ୍ତରରୁ କ୍ରମଶଃ ପୂର୍ବ ଦିଗରେ ଗତି କରିବା ଆରମ୍ଭ କରିଛି । ୧୬ରୁ ରାଜ୍ୟରେ ମୌସୁମୀ ବର୍ଷାର ପରିମାଣ ବଢ଼ିବା ନେଇ ଯଥେଷ୍ଟ ସମ୍ଭାବନା ଥିବା ଶ୍ରୀ ଦାସ କହିଛନ୍ତି ।

ସୂଚନା ଥାଉ କି, ଓଡ଼ିଶାରେ ଆଶାଅନୁରୂପ ବର୍ଷା ରେକର୍ଡ ହୋଇନାହିଁ । ଶନିବାର ରାଜ୍ୟର ଏକାଧିକ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସହ ବିଜୁଳି ଘଡ଼ଘଡ଼ି ମାରିବା ନେଇ ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଏହି ସମୟରେ ବିଶେଷ କରି ସମସ୍ତ ଉପକୂଳବର୍ତ୍ତୀ ଜିଲ୍ଲାରେ ବର୍ଷା ସହ ବିଜୁଳି ଘଡଘଡି ମାରିବା ସମ୍ଭାବନା ରହିଛି । ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, କନ୍ଧମାଳ, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାର ଏକାଧିକ ସ୍ଥାନରେ ବର୍ଷା ହେବା ନେଇ ସତର୍କ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking