26.1 C
Bhubaneswar
Friday, March 29, 2024
Homeଓଡିଶାଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର: ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଜାରି ରହିଛି । ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ଏମିତି ବର୍ଷା ଜାରି ରହିବ । ଆସନ୍ତା ୨୪ଘଣ୍ଟା ମଧ୍ୟରେ ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ଅତି ପ୍ରବଳ ବର୍ଷା ଆଶଙ୍କା ଥିବା ଜିଲ୍ଲାଗୁଡ଼ିକ ପାଇଁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି । ଏହି ଜିଲ୍ଲା ଗୁଡିକ ହେଉଛି ବଲାଙ୍ଗିର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଦେବଗଡ଼ ଓ ସୁନ୍ଦରଗଡ଼ । ସେହିପରି ୧୩ ଜିଲ୍ଲା ଯଥା ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ ଓ ମାଲକାନଗିରିରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଅପରପକ୍ଷେ ୨୨ ତାରିଖ ପାଇଁ ମୟୂରଭଞ୍ଜ, କେନ୍ଦୁଝର, ଅନୁଗୁଳ, ବୌଦ୍ଧ, କନ୍ଧମାଳ, ଗଞ୍ଜାମ, ଗଜପତି, କଳାହାଣ୍ଡି, ରାୟଗଡ଼ା, ନବରଙ୍ଗପୁର, ନୂଆପଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଲଘୁଚାପ ପ୍ରଭାବରେ ରାଜ୍ୟରେ ୨୩ ତାରିଖ ପର୍ଯ୍ୟନ୍ତ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଟ୍ୱିନ୍ ସିଟି ଭୁବନେଶ୍ୱର ଓ କଟକରେ ମଧ୍ୟ ବଜ୍ରପାତ ସହ ହାଲୁକା ବର୍ଷାର ସମ୍ଭାବନା ରହିଛି । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ମେଘାଛନ୍ନ ରହିବା ସହ ଅସରାଏ ଦୁଇଅସରା ବର୍ଷା ସହ କାଳବୈଶାଖୀର ସମ୍ଭାବନା ରହିଛି । ପ୍ରବଳ ବର୍ଷା ଯୋଗୁଁ ତଳିଆ ଅଞ୍ଚଳରେ ପାଣି ଜମିବା ଭଳି ପରିସ୍ଥିତି ସୃଷ୍ଟି ହେବ । ବର୍ଷା ଆଶଙ୍କା ଥିବା ଅଞ୍ଚଳଗୁଡ଼ିକରେ ଆବଶ୍ୟକ ନଥିଲେ ବାହାରକୁ ନବାହାରିବାକୁ ସ୍ୱତନ୍ତ୍ର ରିଲିଫ୍ କମିଶନର ଲୋକଙ୍କୁ ପରାମର୍ଶ ଦେଇଛନ୍ତି । ଏ ନେଇ ସେ ଟ୍ୱିଟ୍ ମାଧ୍ୟମରେ ସୂଚନା ପ୍ରଦାନ କରିଛନ୍ତି । ସେପଟେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ରେକର୍ଡ ବର୍ଷା ହୋଇଛି । ୨୪ ଘଣ୍ଟାରେ ସର୍ବାଧିକ ୩୦୨ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking