26.1 C
Bhubaneswar
Friday, March 29, 2024
Homeଓଡିଶା୧୮ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

୧୮ ଜିଲ୍ଲାରେ କାଳବୈଶାଖୀ ଆଶଙ୍କା, ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟ ଉପର ଦେଇ ଯାଇଥିବା ମୌସୁମୀ ଟ୍ରଫ୍ ଲାଇନ୍ ବର୍ତ୍ତମାନ ଦୁର୍ବଳ ଅବସ୍ଥାରେ ଗତି କରୁଛି । ସେଥିପାଇଁ ରାଜ୍ୟରେ ମୌସୁମୀ ବର୍ଷାର ସମ୍ଭାବନା ନାହିଁ । ତେବେ, ଆସନ୍ତା ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ଜିଲ୍ଲାଗୁଡ଼ିକରେ କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ତେବେ, ୧୮ଟି ଜିଲ୍ଲାର ଅନେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି ବୋଲି କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆଗାମୀ ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ଅଗଷ୍ଟ ୩ ତାରିଖ, ବୁଧବାର ମଧ୍ୟାହ୍ନ ସୁଦ୍ଧା ରାଜ୍ୟର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଂଜାମ, ନୟାଗଡ଼, ଖୋର୍ଦ୍ଧା, ପୁରୀ, ବୌଦ୍ଧ, ଅନୁଗୁଳ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଂଜ, କଟକ ଓ ଢ଼େଙ୍କାନାଳ ପ୍ରଭୃତି ୧୮ଟି ଜିଲ୍ଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ବିଜୁଳି, ଘଡ଼ଘଡ଼ି ଓ ବର୍ଷା, ପବନ ସହ କାଳବୈଶାଖୀ ହେବାର ସମ୍ଭାବନା ରହିଛି । କାଳବୈଶାଖୀ ସମୟରେ ବଜ୍ରପାତ ହେବାର ସମ୍ଭାବନା ରହିଥିବାରୁ କାଳବୈଶାଖୀ ସମୟରେ ପଦାକୁ ନ ବାହାରିବା ପାଇଁ ପରାମର୍ଶ ଦେବା ସହ ଏହି ୧୮ଟି ଜିଲ୍ଲାକୁ ୟେଲୋୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସେହିପରି ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାଗୁଡ଼ିକର କିଛି ସ୍ଥାନରେ ଏବଂ ଉପକୂଳ ଓଡିଶାର ଜିଲ୍ଲାଗୁଡ଼ିକର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା କିମ୍ବା ବଜ୍ରପାତ ହେବାର ସମ୍ଭାବନା ରହିଛି । ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ ଅପରାହ୍ନରେ ଭୁବନେଶ୍ୱରର କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ଓ କଟକର କିଛି ସ୍ଥାନରେ ବଜ୍ରପାତ ସହ ହାଲୁକା ବର୍ଷା ହୋଇପାରେ । ଅନ୍ୟପକ୍ଷରେ ଆଗାମୀ ୨ରୁ ୩ ଦିନ ଯାଏଁ ରାଜ୍ୟର ଜିଲ୍ଲାଗୁଡିକରେ ଅନେକ ସ୍ଥାନରେ ଦିନ ତାପମାତ୍ରା ସ୍ୱାଭାବିକ ତାପମାତ୍ରା ଠାରୁ ୩ରୁ ୪ ଡିଗ୍ରୀ ଯାଏଁ ଅଧିକ ରହିବାର ସମ୍ଭାବନା ରହିଛି ।

ଉପକୂଳ ଓଡ଼ିଶାରେ ଉଚ୍ଚ ଆର୍ଦ୍ରତା ଏବଂ ସ୍ୱାଭାବିକ ଠାରୁ ଅଧିକ ଦିନ ତାପମାତ୍ରା କାରଣରୁ ଅସ୍ୱାଭାବିକ ପାଗ ଯଥା ଅତ୍ୟଧିକ ଗୁଳୁଗୁଳି ଅନୁଭୂତ ହେବାର ସମ୍ଭାବନା ରହିଛି । ଏହାପରେ ତାପମାତ୍ରାରେ ହ୍ରାସ ଘଟିବ ବୋଲି ଆଜି ଅପରାହ୍ନରେ ଜାରି ଏକ ସତର୍କ ସୂଚନାରେ କହିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଅପରପକ୍ଷେ ପାଣିପାଗ ବିଶେଷଜ୍ଞଙ୍କ କହିବା ଅନୁସାରେ ଆସନ୍ତା ୫ ଓ ୬ ତାରିଖରେ ବର୍ଷାର ପରିମାଣ ବୃଦ୍ଧିପାଇବ । ୫ ତାରିଖରେ ଦକ୍ଷିଣ ଓଡ଼ିଶାର କିଛି ଜିଲ୍ଲା ଓ ଉତ୍ତର ଓଡ଼ିଶାର ବାଲେଶ୍ୱର, ମୟୂରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ । ୬ ତାରିଖରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲ୍‌କାରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଜୁନ ୧ ତାରିଖରୁ ଅଗଷ୍ଟ ୨ ତାରିଖ ମଧ୍ୟରେ ରାଜ୍ୟରେ ୫୭୨ ମିଲିମିଟର ବର୍ଷା ହେବା କଥା ।

ମାତ୍ର ୫୧୬ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଅର୍ଥାତ୍ ୧୦ % ବର୍ଷା କମ୍ ହୋଇଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୭ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ଭଦ୍ରକ ଜିଲ୍ଲାରେ ୨୪%, ବଲାଙ୍ଗିର ଜିଲ୍ଲାରେ ୨୨%, ଝାରସୁଗାଡ଼ା ଜିଲ୍ଲାରେ ୨୧%, କଳାହାଣ୍ଡି ଜିଲ୍ଲାରେ ୨୦%, ମୟୂରଭଞ୍ଜ ଜିଲ୍ଲାରେ ୨୧%, ସମ୍ୱଲପୁର ଜିଲ୍ଲାରେ ୩୦%, ସୁନ୍ଦରଗଡ଼ ଜିଲ୍ଲାରେ ୪୧% କମ୍ ବର୍ଷା ରେକର୍ଡ କରାଯାଇଛି । ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ସ୍ୱାଭାବିକଠାରୁ ଅଧିକ ବର୍ଷା ରେକର୍ଡ ହୋଇଛି । କନ୍ଧମାଳ ଜିଲ୍ଲାରେ ୨୫% ଓ ବୌଦ୍ଧ ଜିଲ୍ଲାରେ ୩୦% ଅଧିକ ବର୍ଷା ହୋଇଛି । ଗତ ୨୮ ତାରିଖଠାରୁ କ୍ରମାଗତ ଭାବେ ମୌସୁମୀ ଦୁର୍ବଳ ରହିଛି । ଏହି ଦୁର୍ବଳ ପ୍ରଭାବରେ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୪.୧ ମିଲିମିଟର ବର୍ଷା ହୋଇଥିବା ରେକର୍ଡ କରାଯାଇଛି । ସର୍ବାଧିକ ବର୍ଷା କେନ୍ଦ୍ରାପଡ଼ା ଜିଲ୍ଲାର ପଟ୍ଟାମୁଣ୍ଡାଇଠାରେ କରାଯାଇଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking