26.1 C
Bhubaneswar
Wednesday, August 10, 2022
Homeଓଡିଶାଆସନ୍ତା ୫ ଦିନ ପ୍ରବଳ ବର୍ଷା : ସଜାଗ ପାଇଁ ଜିଲ୍ଲା ପ୍ରଶାସନକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଆସନ୍ତା ୫ ଦିନ ପ୍ରବଳ ବର୍ଷା : ସଜାଗ ପାଇଁ ଜିଲ୍ଲା ପ୍ରଶାସନକୁ ଏସ୍‌ଆର୍‌ସିଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର: ଆସନ୍ତା ୫ ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ବିଶେଷକରି ଦକ୍ଷିଣ ଓଡ଼ିଶାରେ ବର୍ଷାର ପରିମାଣ ଅଧିକ ରହିବ । ଏହାସହ ରାଜ୍ୟର କେତେକ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ସେଥିପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ ଏସ୍‌ଆର୍‌ସି ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ପ୍ରକାର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ଭୁବନେଶ୍ୱର ଆଞ୍ଚଳି ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଆସନ୍ତାକାଲି ଅର୍ଥାତ ୩୦ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ସୁନ୍ଦରଗଡ଼, କେନ୍ଦୁଝର, ଝାରସୁଗୁଡ଼ା, ସମ୍ୱଲପୁର, ବରଗଡ଼, ନୂଆପଡ଼ା, ବଲାଙ୍ଗିର ଓ କଳାହାଣ୍ଡି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାଛଡ଼ା ବଜ୍ରପାତ ଓ ଘଡ଼ଘଡ଼ି ମାରିପାରେ । ସେଥିଲାଗି ଏହି ୮ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ୩୦ ତାରିଖ ସକାଳ ୮ଟା ୩୦ରୁ ଜୁଲାଇ ୧ ତାରିଖ ସକାଳ ସାଢ଼େ ୮ଟା ମଧ୍ୟରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ ଯାଜପୁର ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ସେହିପରି ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ସମ୍ୱଲପୁର, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ଗୋଟିଏ ଦୁଇଟି ସ୍ଥାନରେ ବଜ୍ରପାତ ହେବାର ଆଶଙ୍କା ରହିଛି । ଏହି ଜିଲ୍ଲାଗୁଡ଼ିକ ଲାଗି ମଧ୍ୟ ବିଭାଗ ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୧ ତାରିଖ ୮ଟା ୩୦ରୁ ୨ ତାରିଖ ସକାଳ ୮ଟା ପର୍ଯ୍ୟନ୍ତ କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ, ବାଲେଶ୍ୱର, କେନ୍ଦ୍ରାପଡ଼ା ଓ କଟକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।

୨ ତାରିଖ ସକାଳ ସାଢ଼େ ୮ଟାରୁ ୩ ତାରିଖ ସକାଳ ସାଢ଼େ ୮ଟା ପର୍ଯ୍ୟନ୍ତ ଅନୁଗୁଳ, ଢେଙ୍କାନାଳ, ଯାଜପୁର, କଟକ, ଜଗତସିଂହପୁର, ଖୋର୍ଦ୍ଧା, କେନ୍ଦୁଝର, ଦେବଗଡ଼, ସୁନ୍ଦରଗଡ଼, ସମ୍ୱଲପୁର, ସୋନପୁର ଓ ବୌଦ୍ଧ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ସେଥିପାଇଁ ମଧ୍ୟ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ୩ ତାରିଖ ସକାଳ ସାଢ଼େ ୮ଟାରୁ ୪ ତାରିଖ ସକାଳ ୮ଟା ୩୦ ସୁଦ୍ଧା ନୂଆପଡ଼ା, ନବରଙ୍ଗପୁର, କଳାହାଣ୍ଡି, ବଲାଙ୍ଗିର, କନ୍ଧମାଳ, ବୌଦ୍ଧ, ସୋନପୁର, ବରଗଡ଼, ସମ୍ୱଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାରେ ଗୋଟିଏ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଆସନ୍ତା ୨୪ଘଣ୍ଟା ମଧ୍ୟରେ ଭୁବନେଶ୍ୱର ଓ କଟକ ଆଖପାଖ ଅଞ୍ଚଳର ଆକାଶ ଆଂଶିକ ମେଘୁଆ ରହିବା ସହ କଟକ, ଭୁବନେଶ୍ୱରର କିଛି ସ୍ଥାନରେ ମଧ୍ୟମରୁ ହାଲୁକା ବର୍ଷା ସହ ବଜ୍ରପାତ ହୋଇପାରେ । ତେବେ ଜୁନରେ କୌଣସି ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇନଥିବାରୁ ବର୍ଷାର ପରିମାଣ ସାମାନ୍ୟ କମିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଜଣାପଡ଼ିଛି । କେନ୍ଦ୍ରାପଡ଼ା, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରେ ନିଅଣ୍ଟିଆ ବର୍ଷା ରେକର୍ଡ ହୋଇଥିବା ବେଳେ ଅନ୍ୟ ସମସ୍ତ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଛି । ଅନ୍ୟପଟେ ଜୁଲାଇ ପହିଲାରୁ ମୌସୁମୀ ସକ୍ରିୟ ହୋଇ ଭଲ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଶେଷଜ୍ଞ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking