31.1 C
Bhubaneswar
Wednesday, April 24, 2024
Homeଓଡିଶାମୌସୁମୀ ପ୍ରବାହ ଦୁର୍ବଳ, ଆଜି ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷିବ

ମୌସୁମୀ ପ୍ରବାହ ଦୁର୍ବଳ, ଆଜି ଆଭ୍ୟନ୍ତରୀଣ ଦକ୍ଷିଣ ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷିବ

ଭୁବନେଶ୍ୱର:  ଓଡ଼ିଶାକୁ ମୌସୁମୀ ଜନିତ ବର୍ଷାର ବାଦଲ ଆଚ୍ଛାଦିତ କରି ରଖିଛି । ଫଳରେ ରାଜ୍ୟସାରା ଏବେ ଦିନ ତମାମ ଖରା ଛାଇର ଖେଳ ଲାଗି ରହିଛି । ଓଳିଏ ପାଗ କାଉଁଳିଆ କରୁଥିବାବେଳେ ଆର ଓଳିକୁ ଝାଞ୍ଜି ଖରା ଅନୁଭୂତ ହେଉଛି । କିଛି ସ୍ଥାନରେ ଖରା କି ବର୍ଷା କିଛି ହେଉନଥିବାବେଳେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି । ଏହି ମଧ୍ୟରେ ଗତ କିଛି ଦିନ ହେବ ରାଜ୍ୟକୁ ସ୍ୱାଭାବିକଠୁ କମ୍ ପରିମାଣର ବର୍ଷା ଅନୁଭୂତ ହୋଇଛି । ଫଳରେ ରାଜ୍ୟକୁ ମୌସୁମୀ ପ୍ରବାହ ଦୁର୍ବଳ ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ଜୁନ ୧ରୁ ୨୯ ମଧ୍ୟରେ ଓଡ଼ିଶାରେ ୧୮୦.୫ ମିମି ବର୍ଷା ଅନୁଭୂତ ହୋଇଛି । ଏହା ସ୍ୱାଭାବିକ ବର୍ଷା ୨୦୮.୩ ମିମିଠୁ ୧୩% କମ୍ ରହିଛି । ୧୪ ଜିଲ୍ଲା ବଲାଙ୍ଗିର, ବୌଦ୍ଧ, ରାୟଗଡା, ଗଞ୍ଜାମ, ଗଜପତି, ନୂଆପଡା, ନବରଙ୍ଗପୁର, କଳାହାଣ୍ଡି, ଅନୁଗୁଳ, ଯାଜପୁର, ଭଦ୍ରକ, କନ୍ଧମାଳ, ମୟୂରଭଞ୍ଜ ଏବଂ କେନ୍ଦୁଝରରେ ନିଅଣ୍ଟିଆ ବର୍ଷା ଅନୁଭୂତ ହେଇଛି । ଯାହା ସ୍ୱାଭିବିକ ବର୍ଷାଠୁ ୨୦ ରୁ ୫୯% ଯାଏଁ କମ ରହିଛି । ସେହିପରି ୬ ଜିଲ୍ଲା ସୁନ୍ଦରଗଡ, ପୁରୀ, କଟକ, ଜଗତସିଂହପୁର, କେନ୍ଦ୍ରାପଡା ଏବଂ କୋରାପୁଟରେ ସ୍ୱାଭାବିକଠୁ ୨୦ରୁ ୫୯% ଯାଏଁ ଅଧିକ ବର୍ଷା ରେକର୍ଡ ହୋଇଥିବା ବେଳେ ଅବଶିଷ୍ଟ ୧୦ ଜିଲ୍ଲାରେ ସ୍ୱାଭାବିକ ବର୍ଷା ଅନୁଭୂତ ହୋଇଛି । ଏଯାବତ୍ କୋରାପୁଟ ଜିଲ୍ଲାରେ ସର୍ବାଧିକ ୨୮୫.୭ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ ୮୩.୧ ମିମି ବର୍ଷା ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପ୍ରକାଶ ପାଇଛି ।

ସୋମବାର ସମୁଦ୍ର ପତ୍ତନ ଉପରେ ଥିବା ନିମ୍ନ ଚାପ ରେଖା ମଙ୍ଗଳବାର ପୂର୍ବ-ଉତ୍ତର ପ୍ରଦେଶରୁ ବିହାର ଏବଂ ସବ୍ ହିମାଳୟ-ପଶ୍ଚିମବଙ୍ଗ ମଧ୍ୟ ଦେଇ ଉତ୍ତର-ପୂର୍ବ ଆସାମ ଯାଏଁ ଲମ୍ବିଛି । ଫଳରେ ରାଜ୍ୟର ୬ ଜିଲ୍ଲା ଯଥା ପୁରୀ, କଟକ, କୋରାପୁଟ, ସୁନ୍ଦରଗଡ଼, କେନ୍ଦ୍ରାପଡ଼ା ଓ କଳାହାଣ୍ଡିର ଗୋଟିଏ ଦୁଇ ସ୍ଥାନରେ ପ୍ରାୟ ୭୦ ମିମି ବର୍ଷା ରେକର୍ଡ ହୋଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲ୍ଲା କୋରାପୁଟ, ମାଲକାନଗିରି, ନବରଙ୍ଗପୁର, ନୂଆପଡ଼ା, କଳାହାଣ୍ଡି, ବଲାଙ୍ଗୀର, ବରଗଡ଼, ସୋନପୁର, ସମ୍ବଲପୁର, ଝାରସୁଗୁଡ଼ା ଓ ସୁନ୍ଦରଗଡ଼ରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ରହିଛି । ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସମ୍ପଅକ୍ତ ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣି ଜାରି ହୋଇଛି ।

ସେହିପରି ସମ୍ବଲପୁର, ଦେଓଗଡ଼, ଅନୁଗୁଳ, ଢେଙ୍କାନାଳ, କଟକ, କୋରାପୁଟ ଓ ମାଲକାନାଗିରିରେ ଗୁରୁବାର ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହି ୭ ଜିଲ୍ଲା ସମେତ ବାକି ୧୫ ଜିଲ୍ଲା ଯଥା ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା ଓ ବୌଦ୍ଧରେ ବଜ୍ରପାତ ସହ ବର୍ଷା ସମ୍ଭାବନା ରହିଥିବାବେଳେ ଏନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ପାଣିପାଗ କେନ୍ଦ୍ର ଦ୍ୱାରା ଏନେଇ ସତର୍କ କରାଯିବା ପରେ ଏନେଇ ଏସ୍‌ଆର୍‌ସି ପ୍ରଦୀପ ଜେନା ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି । ଆଗକୁ ବଡ଼ବର୍ଷା ଥିବାରୁ ଏନେଇ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବା ସହ ନିୟମିତ ରିପୋର୍ଟ ପ୍ରଦାନ କରିବାକୁ ଚିଠିରେ ଉଲ୍ଲେଖ ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking