ବଢ଼ୁଛି ତାତି

ଭୁବନେଶ୍ୱର : ଅସହ୍ୟ ଖରା ଆରମ୍ଭ ହୋଇଛି । ରାଜ୍ୟର ଅଧିକାଂଶ ସହରରେ ଦିନର ତାପମାତ୍ରା ୩୦ ଡିଗ୍ରି ଟପିଗଲାଣି । ଏଣିକି ରାଜ୍ୟରେ ଶୀତ କମିଥିବାବେଳେ ତାତି ଅନୁଭୂତ ହେଲାଣି । ଏପରିକି ମାଲକାନଗିରି ଓ ପାରଳାଖେମୁଣ୍ଡି ସହରରେ ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଉପରକୁ ଚାଲିଯାଇଥିବା ବେଳେ ଟିଟିଲାଗଡ଼ ତାପମାତ୍ରା ୩୪ ଡିଗ୍ରି ପାର୍ ହୋଇଛି । ଏଣିକି ପ୍ରତିଦିନ ତାପମାତ୍ରା ୧ରୁ ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ମଧ୍ୟ ଲଗାତାର ବୃଦ୍ଧି ପାଇବ । ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ । ଦିନର ତାପମାତ୍ରା ବଢ଼ିବ ।  ଚଳିତ ବର୍ଷ କୁହୁଡ଼ି ଅଧିକ ହୋଇଥିବାରୁ ଗ୍ରୀଷ୍ମ ଋତୁରେ ଅଧିକ ଖରା ହେବ ବୋଲି ପୂର୍ବାନୁମାନ କରାଯାଉଛି । ଆଗାମୀ ୨, ୩ ଦିନରେ ତାପମାତ୍ରା ଆହୁରି ବଢିବ ବୋଲି ଭୁବନେଶ୍ୱରସ୍ଥିତ ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସମୟ ମଧ୍ୟରେ ଉପକୂଳ ଓଡ଼ିଶା ସମେତ ଅନୁଗୁଳ, ଢେଙ୍କାନାଳ, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ନୟାଗଡ଼ ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ସ୍ବଳ୍ପରୁ ମଧ୍ୟମଧରଣର କୁହୁଡ଼ି ହେବ । ଉପକୂଳ ଓଡ଼ିଶାରେ କୁହୁଡ଼ି ପରିମାଣ ଅଧିକ ରହିବାକୁ ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । କୁହୁଡ଼ି ହେବାକୁ ଥିଲେ ମଧ୍ୟ ଦିନର ତାପମାତ୍ରା ୨ ଡିଗ୍ରି ପର‌୍ୟ୍ୟନ୍ତ ବଢ଼ିବ । ଦିନର ତାପମାତ୍ରା ବଢ଼ିବ ଓ ୨୦ ତାରିଖରେ ଚଳିତବର୍ଷର ସବୁଠାରୁ ଅଧିକ ଗରମ ଅନୁଭୂତ ହେବ । ଏବେ ରାଜ୍ୟକୁ ବହୁଥିବା ଉତ୍ତରା ପଶ୍ଚିମା ଥଣ୍ଡା ପବନ ୧୮ ତାରିଖ ଯାଏ ଜାରି ରହିବ । ଏହା ପରେ ପାଗରେ ପରିବର୍ତନ ଆସିବ ଓ ପବନର ଦିଗ ବଦଳିବ । ଅଧିକାଂଶ ସ୍ଥାନରେ ଦକ୍ଷିଣ ଓ କିଛି ସ୍ଥାନରେ ଦକ୍ଷିଣପୂର୍ବ ପବନ ପ୍ରବାହିତ ହେବ । ତେଣୁ ଦିନର ତାପମାତ୍ରା ବଢ଼ିବ । ୧୯ ଓ ୨୦ ତାରିଖ ଭିତରେ ୨ ଡିଗ୍ରି ବଢ଼ିପାରେ । ୧୮ ତାରିଖ ପରେ ସର୍ବନିମ୍ନ ତାପମାତ୍ରା ଲଗାତାର ବୃଦ୍ଧି ପାଇବ । କୋରାପୁଟ, କଳାହାଣ୍ଡି, ବୌଦ୍ଧ, ସୋନପୁର, ବଲାଙ୍ଗୀର, କନ୍ଧମାଳ, ବରଗଡ଼ ଆଦି ଜିଲ୍ଲାରେ ୨୦ ତାରିଖ ସୁଦ୍ଧା ୬ ଡିଗ୍ରି ଯାଏ ବଢ଼ିବାର ସମ୍ଭାବନା ରହିଛି ।