27.1 C
Bhubaneswar
Thursday, April 25, 2024
Homeଓଡିଶାମାଲକାନଗିରି ସହରର ଜଳାଶୟ ଆଜି ରୋଗାଗ୍ରସ୍ତ

ମାଲକାନଗିରି ସହରର ଜଳାଶୟ ଆଜି ରୋଗାଗ୍ରସ୍ତ

ମାଲକାନଗିରି : କଥାରେ ଅଛି, ଜଳ ହିଁ ଜୀବନ । ଜଳ ବିନା ମନୁଷ୍ୟ, ପ୍ରାଣୀ ବଞ୍ôଚବା ଅପରିହାର୍ଯ୍ୟ । ଆମ ରାଜ୍ୟରେ ଦିନକୁ ଦିନ ସହର ଏବଂ ଗ୍ରାମାଞ୍ଚଳରେ ଜଳ କଷ୍ଟ ଉତ୍କୃଷ୍ଟ ରୂପ ଧାରଣ କରୁଥିବା ବେଳେ ଏହାକୁ ନେଇ ସମସ୍ତେ ଚିନ୍ତିତ । ତେଣୁ ବର୍ତ୍ତମାନ ଭୂତଳ ଏବଂ ବର୍ଷା ଜଳ ସଂଗ୍ରହ ଓ ସଂରକ୍ଷଣ କରିବା ଉପରେ ଗୁରୁତ୍ୱ ଦିଆଯାଇ ଅନେକ ପ୍ରକଳ୍ପ କାର୍ଯ୍ୟକାରୀ କରାଯିବାସହ ପାନୀୟ ଜଳ ଯୋଗାଣ ନିମନ୍ତେ ନଳକୂପ ଖନନ ସହ ପୋଖରୀ ଓ କେନାଲ ନିର୍ମାଣ କରାଯାଉଛି । ଏଥିପାଇଁ ହଜାର ହଜାର କୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । କିନ୍ତୁ ମାଲକାନଗିରିର ପୂରାତନ ଜଳାଶୟଗୁଡିକୁ ପୁନରୁଦ୍ଧାର କରିବାପାଇଁ ସରକାର ପଦକ୍ଷେପ ନେଉନଥିବା ଦେଖିବାକୁ ମିଳିଛି ।
ମାଲକାନଗିରି ଜିଲ୍ଲାରେ ସହର ଠାରୁ ମାତ୍ର ଚାରି କିଲୋମିଟର ଦୂରରେ ଥିବା ସତୀଗୁଡ଼ା ଜଳଭଣ୍ଡାର ଚତୁଃପାଶ୍ୱର୍ ପୋତି ହୋଇ ଅନାବନା ଗଛ, ଲତାରେ ଭରପୁର ହୋଇଗଲାଣି । ଏଥିପାଇଁ ଜଳଭଣ୍ଡାର ଦିନକୁ ଦିନ ମାଟିରେ ପୋତି ହୋଇଯିବାସହ ସଙ୍କୁଚିତ ହେବାରେ ଲାଗିଛି । ଫଳରେ ବର୍ଷା ଜଳ ସଂରକ୍ଷଣ ପରିବର୍ତ୍ତେ ନଷ୍ଟ ହେଉଛି । ଏଣୁ ଗ୍ରୀଷ୍ମଦିନେ ପାନୀୟଜଳର ଘୋର ସଂଙ୍କଟ ଦେଖାଯିବାସହ ରବି ଋତୁରେ ଜଳସେଚନ ପାଇଁ ବାଧା ଉପୁଜୁଛି । ଏହାବ୍ୟତୀତ ମାଲକାନଗିରି ସହର ମଧ୍ୟରେ ଥିବା ପ୍ରାୟ ୩୦ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ନେଇ ସର୍ବ ପୂରାତନ ବାଲିସାଗର ପୋଖରୀ ଆଜି ରୋଗାଗ୍ରସ୍ତ । ଦିନ ଥିଲା ଏହି ସାଗର ଉପରେ ସହରବାସୀ ସ୍ନାନ କରିବାସହ ଏହି ପୋଖରୀର ଜଳ ପାନୀୟ ଜଳ ରୂପେ ବ୍ୟବହାର କରୁଥିଲେ । ଏଥିସହ ଜନସ୍ୱାସ୍ଥ୍ୟ ବିଭାଗ ବାଲିସାଗର ପାଣିକୁ ପମ୍ପଦ୍ୱାରା ସହର ବିଭିନ୍ନ ସାହିକୁ ପାନୀୟ ଜଳ ପାଇଁ ବିଶୋଧନ କରି ବିତରଣ କରୁଥିଲେ । ବଡ଼ଯାତ୍ରା ଓ ସହରର ଅନ୍ୟାନ୍ୟ ବଡ଼ ଧରଣର କାର୍ଯ୍ୟକ୍ରମ ସମୟରେ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଲୋକ ମାଲକାନଗିରି ସହରକୁ ଆସି ଦୁଇ ତିନି ଦିନ ରାତ୍ରି ଯାପନ କରି ଏହାର ଜଳକୁ ବ୍ୟବହାର କରୁଥିଲେ । ଏହି ବାଲିସାଗର ହିଁ ସେମାନଙ୍କର ଭରସା ଥିଲା । କିନ୍ତୁ ଆଜି ସାଗରଟି ଦଳ ଓ ଅନାବନା ଗଛରେ ପରିବେଷ୍ଟିତ ହୋଇରହିଛି । ବର୍ତ୍ତମାନ ଏହି ସାଗର ପଙ୍କରେ ପୋତି ହୋଇଯିବା ଫଳରେ ବ୍ୟବହାର ଉଉଯୋଗୀ ହେଉନାହିଁ । ଏଠାରେ ସ୍ନାନ କଲେ ରୋଗବ୍ୟାଧି ହେବାର ଆଶଙ୍କା ଥିବାରୁ ଲୋକେ ଏହାର ଜଳକୁ ବ୍ୟବହାର କରିବାକୁ କୁଣ୍ଠା ପ୍ରକାଶ କରୁଛନ୍ତି । ଏହାବ୍ୟତୀତ ଏହି ସାଗରରୁ ପୌର ପରିଷଦ ବାର୍ଷିକ ୬ ଲକ୍ଷ ଟଙ୍କା ମାଛ ଚାଷ ପାଇଁ ନିଲାମ ଦେଇ ଅର୍ଥ ଆୟ କରୁଥିବା ବେଳେ ତିନିବର୍ଷ ହେଲା ସାଗରର ଅବସ୍ଥା ଦେଖି ମାଛ ଚାଷ ବନ୍ଦ ହୋଇଯାଇଛି । କୌଣସି ମତ୍ସ୍ୟଜୀବୀ ଏହି ପୋଖରୀକୁ ନିଲାମ ନେବାକୁ ଆଗଭର ହେଉନାହାନ୍ତି । ଯାହାଫଳରେ ଗତ ୩ ବର୍ଷ ଧରି ପୌର ପରିଷଦ ଲକ୍ଷ ଲକ୍ଷ ଟଙ୍କା ରାଜସ୍ୱ ହରାଉଛି । ତେଣୁ ଶୀଘ୍ର ଏହାକୁ ପୁନରୁଦ୍ଧାର କରିବା ପାଇଁ ସହରବାସୀ ଦାବି କରିଛନ୍ତି । ବାଲିସାଗର ପୁନରୁଦ୍ଧାର ଓ ମାଛ ଚାଷ ପାଇଁ ଟେଣ୍ଡର ପ୍ରକ୍ରିୟା ଜାରି ରହିଛି । ଖୁବ୍‌ଶୀଘ୍ର ବାଲିସାଗରର ପୁନରୁଦ୍ଧାର ଏବଂ ମାଛ ଚାଷ ପାଇଁ ନିଲାମ କରାଯିବ ବୋଲି ପୌରପରିଷଦ ନିର୍ବାହୀ ଅଧିକାରୀ ଏମ୍‌. ନିଳକଣ୍ଠ ନାଇଡୁ ପ୍ରକାଶ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking