39.1 C
Bhubaneswar
Tuesday, April 23, 2024
Homeଓଡିଶାବର୍ଷବର୍ଷ ଧରି ଝରଣାପାଣିରେ ବିତୁଛି ଜୀବନ

ବର୍ଷବର୍ଷ ଧରି ଝରଣାପାଣିରେ ବିତୁଛି ଜୀବନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କୋଟି କୋଟି ଟଙ୍କାରେ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି । ତଥାପି ପ୍ରତ୍ୟେକ ବର୍ଷ ଖରାଦିନ ଆସିଗଲେ ସହରଠାରୁ ଆରମ୍ଭକରି ଗାଁ ପର୍ଯ୍ୟନ୍ତ ସବୁଆଡ଼େ ଜଳ ପାଇଁ ପଡ଼ିଥାଏ ହାହାକାର । କେବଳ ଗ୍ରାମାଞ୍ଚଳ ନୁହେଁ, ଖୋଦ୍ ଫୁଲବାଣୀ ସହରରେ ମଧ୍ୟ ଜଳ ପାଇଁ ରାସ୍ତାରୋକ ହେଉଥିବାର ଅନେକ ନଜିର ରହିଛି । ଜଳ ହିଁ ଜୀବନ କୁହାଯାଉଥିବା ବେଳେ ଏବେ ମଧ୍ୟ କନ୍ଧମାଳ ଜିଲ୍ଲାର ଶହ ଶହ ଗ୍ରାମ ଜଳ ପାଇଁ ଚଳାଇଛନ୍ତି ମହାସଂଗ୍ରାମ । ବିଶେଷ କରି ଖରାଦିନେ ଏହି ଜଳର ଅଭାବ ସେମାନଙ୍କ ପାଇଁ ଚିନ୍ତାର କାରଣ ହୋଇଛି ।

କିଏ ଝରଣା ଉପରେ ନିର୍ଭର କରୁଥିବା ବେଳେ କେଉଁ ଗ୍ରାମବାସୀ ନଦୀ, ନାଳ ଓ ଚୁଆ ଉପରେ ନିର୍ଭର କରୁଛନ୍ତି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲା କୋଟଗଡ଼ ବ୍ଳକର ନୂତନ ସାର୍ତ୍ତୁଲ ପଞ୍ଚାୟତର ଆର୍‌କିମାହା ଗ୍ରାମରେ । ସମସ୍ତ ପ୍ରକାର ମୌଳିକ ସୁବିଧାରୁ ବଞ୍ଚିତ ଏହି ପଞ୍ଚାୟତର ବିଭିନ୍ନ ସମସ୍ୟା ମଧ୍ୟରେ ପାନୀୟ ଜଳ ସମସ୍ୟା ଏକ ବଡ଼ ସମସ୍ୟା ଭାବେ ଉଭା ହୋଇଛି । ଗ୍ରାମରେ ପ୍ରାୟ ୨୦୦ ଅଧିବାସୀ ବସବାସ କରିଥାନ୍ତି । ନୂତନ ପଞ୍ଚାୟତ ଗଠନ ପୂର୍ବରୁ ସରକାରୀ ସ୍ତରରେ ୫ଟି ନଳକୂପ ଖୋଳାଯାଇଛି । କିନ୍ତୁ ବର୍ତ୍ତମାନ କେବଳ ଗୋଟିଏ ମାତ୍ର ନୂଳକୂପ କାମ କରଛି । ଅନ୍ୟ ସବୁ ଅଚଳ । ତେବେ ଯେଉଁ ଗୋଟିକ କାମ କରୁଛି ତାହା ପ୍ରାୟ ଏକ ଘଣ୍ଟାରେ ଗୋଟିଏ ବାଲ୍‌ଟି ପାଣି ବାହାରୁଛି ।

ଫଳରେ ଅଞ୍ଚଳବାସୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଗ୍ରାମଠାରୁ ପ୍ରାୟ ୨ କି.ମି. ଦୂର ଏକ ଝରଣାର ପାଣି ମେଣ୍ଟାଉଛି ଗ୍ରାମବାସୀଙ୍କ ଶୋଷ । ଏହି ଝରଣାକୁ ଯିବାକୁ ହେଲେ ଗୋଟିଏ ଛୋଟ ପାହାଡ଼ ମଧ୍ୟ ଅତିକ୍ରମ କରିବାକୁ ପଡ଼ିଥାଏ । ଏହି ଝରଣା ଉପରେ ସାଧାରଣ ଜନତା ସହିତ ପଶୁ ଓ ପକ୍ଷୀମାନେ ମଧ୍ୟ ନିର୍ଭର କରିଥାନ୍ତି । ଅନ୍ୟପଟେ ଜଙ୍ଗଲରେ ଭାଲୁଭୟ ଥିବା ବେଳେ ବାଧ୍ୟ ହୋଇ ଗ୍ରାମର ମହିଳାମାନେ ଏକତ୍ରିତ ହୋଇ ଉକ୍ତ ଝରଣାରୁ ଜଳ ସଂଗ୍ରହ କରିବା ପାଇଁ ପ୍ରତ୍ୟେକ ଦିନ ଯାଇଥାନ୍ତି ବୋଲି ପ୍ରକାଶକରିଛନ୍ତି ।

ଆଜି ପର୍ଯ୍ୟନ୍ତ ଉକ୍ତ ଗ୍ରାମକୁ ଉଠା ଜଳ ସେଚନ ହେଉ କିମ୍ବା ଅନ୍ୟ କୌଣସି ଜଳ ଯୋଗାଣ ପାଇଁ ପ୍ରକଳ୍ପ ର୍ନିମାଣ ହୋଇନଥିବାରୁ ଗ୍ରାମବାସୀ ବର୍ଷ ବର୍ଷ ଧରି ପାଣି ମୁନ୍ଦାଏ ପାଇଁ ନାନା ସମସ୍ୟା ମଧ୍ୟରେ ଗତି କରୁଥିବାର ପ୍ରକାଶ କରିଛନ୍ତି ଗ୍ରାମର ସନ୍ତୋଷ ବଲିଆରସିଂ, ସାମନ୍ତ ପାଟମାଝୀ ଓ ଅନ୍ୟମାନେ। ପାନୀୟ ଜଳର ଏକ ସ୍ଥାୟୀ ପ୍ରତିକାର ପାଇଁ ଗ୍ରାମର ସୁକମତି ବଡ଼ସେଠ୍ , ରଚ ଚାନାଲସେଟ, ସର୍ମିଳା ବଳଅିାର ସିଂ, ଶିକୁ ପାଟମାଝୀ ଓ ଅନ୍ୟମାନେ ଦାବି କରିଛନ୍ତି । ଗ୍ରାମର ସମସ୍ୟା ସଂପର୍କରେ କୋଟଗଡ଼ ଗୋଷ୍ଠୀ ଉନ୍ନୟନ ଅଧିକାରୀ କୌଳାଶ ଚନ୍ଦ୍ର ମୁର୍ମୁଙ୍କୁ ପଚାରିବାରେ ଆରକିମାହା ଗ୍ରାମର ପାନୀୟ ଜଳର ଯେଉଁ ସମସ୍ୟା ଅଛି ସେ ସଂପର୍କରେ ଅବଗତ ରହିଛି ଓ ଉକ୍ତ ଗ୍ରାମର ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପଦକ୍ଷେପ ନେବା ଆରମ୍ଭ ହୋଇଛି ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking