27.8 C
Bhubaneswar
Friday, April 19, 2024
Homeଓଡିଶାଜଣଙ୍କୁ ଖୋଜୁଥିଲେ ଆଉଜଣଙ୍କୁ ଉଠାଇନେଲେ : ଗାଡ଼ି ଚକରୁ ପ୍ରେସର୍ ଖୋଲି ପିଟିଲେ ଗ୍ରାମବାସୀ

ଜଣଙ୍କୁ ଖୋଜୁଥିଲେ ଆଉଜଣଙ୍କୁ ଉଠାଇନେଲେ : ଗାଡ଼ି ଚକରୁ ପ୍ରେସର୍ ଖୋଲି ପିଟିଲେ ଗ୍ରାମବାସୀ

ନୟାଗଡ : ଜଟଣୀ ପୁଲିସକୁ ସାହାଯ୍ୟ କରିବାକୁ ଯାଇ ଆଜି ହରଡ଼ଗଣାରେ ପଡ଼ିଛି ଇଟାମାଟି ପୁଲିସ । ଜଣଙ୍କୁ ଖୋଜିବାକୁ ଯାଇ ଅନ୍ୟଜଣଙ୍କୁ ଉଠାଇ ଆଣିବାରୁ ପୁଲିସକୁ ଉତ୍ତ୍ୟକ୍ତ ଲୋକେ ଧୁମ୍ ପିଟିଥିଲେ । ଏପରିକି ଘଟଣାସ୍ଥଳରେ ଏସଡିପିଓଙ୍କ ସହ ତିନି ଥାନା ଅଧିକାରୀ ପହଂଚି ଆକ୍ରମଣର ଶୀକାର ହୋଇଥିବା ପୁଲିସଙ୍କୁ ଉଦ୍ଧାର କରିଛନ୍ତି ।
ସୂଚନା ଅନୁଯାୟୀ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅନ୍ତର୍ଗତ ଗମ୍ଭାରିଡିହି ଗ୍ରାମର ବନମାଳୀ ସାହୁଙ୍କ ପୁଅ ରମେଶ ଚନ୍ଦ୍ର ସାହୁଙ୍କର ଗତ ୪ ତାରିଖରେ ଖଣ୍ଡପଡ଼ା ଥାନା ମର୍ଦ୍ଦରାଜପୁର ଗ୍ରାମର ସଦାଶିବ ସାହୁଙ୍କ ଝିଅ ମାମାଲି ସାହୁଙ୍କ ସହ ବିବାହ ଅନୁଷ୍ଠିତ ହୋଇଥିଲା । ୭ ତାରିଖରେ ରମେଶଙ୍କ ଭୋଜି ହେବାକୁ ଥିବାବେଳେ ଘରେ ବନ୍ଧୁ ବାନ୍ଧବଙ୍କ ସମାଗମ ହୋଇଥିଲା । ହିନ୍ଦୁ ରୀତି ଅନୁସାରେ ରମେଶ ବିବାହ ପୋଷାକ ମଧ୍ୟ ଦେହରୁ ଓହ୍ଲାଇ ନଥିଲେ । ଏହି ଅବସ୍ଥାରେ ରମେଶ ସନ୍ଧ୍ୟାରେ ଗମ୍ଭାରିଡିହି ଛକକୁ ଜଳଖିଆ ଖାଇବାକୁ ଯାଇଥିଲେ । ମାତ୍ର ସେଠାରେ ଦୁଇଟି ପୁଲିସ ଭ୍ୟାନ ପହଞ୍ଚି କିଛି ପୁଲିସ କର୍ମଚାରୀ ତାଙ୍କୁ ଘେରି ଯାଇଥିଲେ । କିଛି ପୁଲିସ ତାଙ୍କ ହାତରୁ ଜଳଖିଆ ଫୋପାଡ଼ି ତାଙ୍କ ଡେଣା ଧରି ଜୋର ଜବରଦସ୍ତ ଉଠାଇ ନେଇଥିଲେ । ବିକଳ ଅବସ୍ଥାରେ ରମେଶ ଏହାର କାରଣ ପଚାରିବାରେ, ପୁଲିସ ତାଙ୍କୁ ଅଟହାସ୍ୟ କରିଥିଲା ଏବଂ କିଛି ବାଟ ଯିବା ପରେ ଗାଡ଼ି ଭିତରେ ମାଡ଼ ମାରିଥିଲା ।
ଅନ୍ୟ ଏକ ଭ୍ୟାନରେ ଥିବା କିଛି ପୁଲିସ ରମେଶଙ୍କ ଘରେ ପଶି ନବବିବାହିତ କନ୍ୟାକୁ ବିଭିନ୍ନ ପ୍ରକାର ପ୍ରଶ୍ନ ପଚାରିବା ସହ ପରିବାର ଲୋକଙ୍କୁ ଗାଳିଗୁଲଜ କରିଥିବା ଅଭିଯୋଗ ହୋଇଛି । ପୁଲିସ ରମେଶଙ୍କୁ ନେଇ କିଛି ବାଟ ଯିବା ପରେ ଜାଣିବାକୁ ପାଇଥିଲା ଯେ, ପୁଲିସ ଖୋଜୁଥିବା ଯୁବକ ରମେଶ ନୁହନ୍ତି । ତେଣୁ ପୁଲିସ ଅଧା ବାଟରୁ ଫେରି ରମେଶଙ୍କୁ ଛାଡ଼ିବା ପାଇଁ ଗ୍ରାମ ଅଭିମୂଖେ ଆସିଥିଲା । ସେତେବେଳକୁ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇ ସାରିଥିଲା । ପୁଲିସ ଅନ୍ୟ ଜଣେ ଯୁବକଙ୍କୁ ଖୋଜିବାକୁ ଆସି ଭୁଲରେ ରମେଶଙ୍କୁ ନେଇଥିବା ଗ୍ରାମବାସୀମାନେ ଖବର ପାଇ ସାରିଥିଲେ । ଅନ୍ୟ ଜଣେ ଯୁବକ ଜଟଣୀ ଅଞ୍ଚଳରୁ ମାମାଲି ନାମ୍ନୀ ଜଣେ ଯୁବତୀଙ୍କୁ ଉଠାଇ ଆଣିଥିବା ନେଇ ଜଟଣୀ ପୁଲିସ ଆଜି ଯବତୀଙ୍କୁ ଉଦ୍ଧାର କରିବା ପାଇଁ ଇଟାମାଟି ପୁଲିସ ସହାୟତାରେ ଆସିଥିଲା ।
ପୁଲିସ ରମେଶଙ୍କ ଘର ସାମନାରେ ରମେଶ ସହିତ ମାମାଲି ଲେଖାକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିଯାଇ ଏପରି କରିଥିବା ଆଲୋଚନା ହୋଇଥିଲା । ଫଳରେ ଭୁଲରେ ରମେଶକୁ ଉଠାଇ ନେଇ ଯାଇଥିବା କାରଣରୁ ଗ୍ରାମବାସୀ ରମେଶଙ୍କୁ ଛାଡ଼ିବାକୁ ଆସିଥିବା ପୁଲିସ ଭ୍ୟାନକୁ ଅଟକାଇ ଦେଇଥିଲେ । ପୁଲିସ ଭ୍ୟାନ ଚକରୁ ପବନ ଖୋଲି ଦେବା ସହ ତିନି ଜଣ ପୁଲିସ କର୍ମଚାରୀଙ୍କୁ ଧୁମ୍ ଛେଚିଥିଲେ । ଦୀର୍ଘ ସମୟ ଧରି ଗ୍ରାମବାସୀଙ୍କ କବଳରେ ପୁଲିସ କର୍ମଚାରୀମାନେ ଅଟକ ରହିବା ପରେ ଖବରପାଇ ନୟାଗଡ଼ ଏସ୍‌ଡିପିଓ ନିରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ନୟାଗଡ଼ ଟାଉନଥାନା ଅଧିକାରୀ ଜୟଦୀପ ମହାନ୍ତି, ସଦରଥାନା ଅଧିକାରୀ ଅଣ୍ଣପୂର୍ଣ୍ଣା ବେହେରା, ଇଟାମାଟି ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସଦଳବଳେ ଗ୍ରାମରେ ପହଞ୍ଚି ଲୋକଙ୍କ ସହ ଆଲୋଚନା କରିଥିଲେ । ଉତ୍ତ୍ୟକ୍ତ ଲୋକଙ୍କୁ ଏସ୍‌ଡିପିଓ ବୁଝାଶୁଝା କରିବା ପରେ ଅଟକ ଥିବା ଜଟଣୀ ପୁଲିସ ଓ ଇଟାମାଟି ପୁଲିସଙ୍କୁ ଉଦ୍ଧାର କରିଥିଲେ । ଏହି ଘଟଣାକୁ ନେଇ ଲୋକଙ୍କର ପୁଲିସ ଉପରେ ଥିବା ଭରସା ଓ ବିଶ୍ୱାସରେ ଆଞ୍ଚ ଆସିଥିବା ବେଳେ ପୁଲିସର ଏପରି କାର୍ଯ୍ୟକୁ ସବୁ ମହଲରେ ନିନ୍ଦା କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking