30.1 C
Bhubaneswar
Wednesday, April 24, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ଭାଟିପାସ୍ ଗାଁ

ମୌଳିକ ସୁବିଧାରୁ ବଞ୍ଚିତ ଭାଟିପାସ୍ ଗାଁ

ଥୁଆମୂଳ ରାମପୁର : ସ୍ୱାଧୀନତାର ସାତ ଦଶନ୍ଧି ପରେ ମଧ୍ୟ ଆଜି ଅବହେଳିତ ଅନେକ ଅଞ୍ଚଳ । ବଦଳିନି ଏଠିକାର ଦୟନୀୟ ଚିତ୍ର । ବିକାଶ ଯେଉଁଠି ହୋଇଯାଇଛି ବାଟବଣା । ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ, ପାନୀୟଜଳ ଭଳି ସାଧାରଣ ମୌଳିକ ସୁବିଧା ଏସବୁ ଅଞ୍ଚଳ ପାଇଁ ଏବେ ବି ସ୍ୱପ୍ନ ସଦୃଶ । ବଞ୍ଚିବାକୁ ପଡୁଛି ସତେ ଯେମିତି ଅଭିଶପ୍ତମୟ ଜୀବନ । ଘନ ଅନ୍ଧକାର ମଧ୍ୟରେ ଲୁଚିଯାଇଛି ଶିକ୍ଷା ବ୍ୟବସ୍ଥା। ଫଳରେ ନଷ୍ଟ ହେଉଛି କୋମଳମତି ଶିଶୁଙ୍କ ଭାଗ୍ୟ ଓ ଏମାନଙ୍କ ଭବିଷ୍ୟତ । ଅପହଞ୍ଚ ଏ ଅଞ୍ଚଳ ପାଇଁ ସରକାରୀ ସ୍ୱାସ୍ଥ୍ୟ ସେବା । ରୋଗ ବ୍ୟାଧିରେ ଦଇବ ସାହା ।

ବିଶୁଦ୍ଧ ପାନୀୟଜଳ ବୁନ୍ଦାଏ ପାଲଟିଛି ସାତସପନ । ଖୋଲା କୂପ ଓ ଝରଣାର ଦୂଷିତ ପାଣି ହିଁ ତୃଷା ମେଣ୍ଟାଇବାରେ ସାହାଯ୍ୟ କରିଥାଏ। ଏସବୁ ଅବ୍ୟବସ୍ଥାର ମୂଳ କାରଣ ପଛରେ ରହିଛି ଗମନାଗମନ ବ୍ୟବସ୍ଥା । ଏସବୁ ଅଞ୍ଚଳକୁ ଗମନାଗମନ ପାଇଁ ନାହିଁ ସବୁଦିନିଆ ଭଲ ରାସ୍ତା । ଯେଉଁଥିପାଇଁ ରୋଗୀ ଅବା ଗର୍ଭବତୀ ମହିଳାଙ୍କ ପାଇଁ ଆମ୍ବୁଲାନ୍ସ ସେବା ଅପହଞ୍ଚ । ଯେଉଁଠି ବଇଦ ନୁହେଁ, ଦଇବ ହିଁ ସାହା । ଏଭଳି ଏକ ଦୁର୍ଗମ ଓ ଅବହେଳିତ ଗାଁ ହେଉଛି ଖମାରପଦରର ଭାଟିପାସ୍ ଗାଁ । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଅଧିନ ଖମାରପଦର ଗ୍ରାମ ଏହି ଭାଟିପାସ୍ ଗାଁ ବ୍ଲକ ମୁଖ୍ୟାଳୟଠାରୁ ପ୍ରାୟ ୩୦ କିଲୋମିଟର ଦୂର ଦୁର୍ଗମ ଅଞ୍ଚଳରେ ଅବସ୍ଥିତ ଏହି ଗାଁ । ପ୍ରାୟ ୫୦ରୁ ଊର୍ଦ୍ଧ୍ୱ ଆଦିବାସୀ ପରିବାର ବସବାସ କରୁଥିବା ଏହି ଗାଁକୁ ଆଜି ପର୍ଯ୍ୟନ୍ତ ପଡିପାରିନି ପ୍ରଶାସନର କୃପାଦୃଷ୍ଟି । ପଡ଼ିପାରିନି କଣିକାଏ ବିକାଶର ଛିଟା ।

ଶିକ୍ଷା, ସ୍ୱାସ୍ଥ୍ୟ ଗମନାଗମନ ଓ ପାନୀୟ ଜଳ ଭଳି ମୌଳିକ ସୁବିଧାରୁ ବଞ୍ଚିତ ଏଠିକାର ଅଧିବାସୀ। ନା ଅଛି ଅଙ୍ଗନବାଡି କେନ୍ଦ୍ର ନା ବିଦ୍ୟାଳୟ ଶିକ୍ଷା ବିନା ଅନ୍ଧାରରେ ହଜିଯାଉଛି ଛୁଆଙ୍କ ଭବିଷ୍ୟତ । ଶିକ୍ଷା ତଥା ସଚେତନତାର ବହୁଦୂରରେ ଏହି ଗାଁ । ପାଠ ଦି’ ଅକ୍ଷର ପଢିବାକୁ ହେଲେ ଯିବାକୁ ପଡିଥାଏ ଦୁଇ ତିନି କିଲୋମିଟର ଦୂର ଖମାରପଦର ଗ୍ରାମରେ ଥିବା ସରକାରୀ ବିଦ୍ୟାଳୟକୁ । ବିପଦସଙ୍କୁଳ ଜଙ୍ଗଲିଆ ପାଦଚଲା ରାସ୍ତା ଦେଇ କୋମଳମତି ଛୁଆ କିପରି ଯିବେ, ତାହାକୁ ନେଇ ଅଭିଭାବକ ମାନଙ୍କ ମନରେ ନାନା ଆଶଙ୍କା ଥାଏ । ଗାଁରେ ଶିକ୍ଷା ବ୍ୟବସ୍ଥା ପାଇଁ ଅନେକ ଥର ଦାବି ହୋଇଥିଲେ ମଧ୍ୟ କେହି ଶୁଣିବାକୁ ନାରାଜ । ସେହିଭଳି ସ୍ୱାସ୍ଥ୍ୟସେବା ମଧ୍ୟ ଅପହଞ୍ଚ । ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନତାର ଅବହେଳା ଓ ଅପହଞ୍ଚ ସରକାରୀ ସ୍ୱାସ୍ଥ୍ୟସେବା ଯୋଗୁଁ ରୋଗୀମାନେ ଗୁଣିଆ ଓ ଚେରମୂଳି ଉପରେ ଭରସା କରନ୍ତି । ଶେଷରେ ଭଗବାନଙ୍କୁ ଭରସା କରିକରି ଅନେକଙ୍କ ଜୀବନ ମଧ୍ୟ ଚାଲିଯାଏ ।

ଗାଁରେ ଗୋଟିଏ ବି ନଳକୂପ ନଥିବା ବେଳେ ଖୋଲା କୂପ ଏବଂ ଦୂଷିତ ଝର ପାଣି ହିଁ ଏମାନଙ୍କ ତୃଷା ମେଣ୍ଟାଇବାକୁ ସାହାଯ୍ୟ କରେ । ଫଳରେ ବିଭିନ୍ନ ସମୟରେ ଝାଡ଼ାବାନ୍ତି ଭଳି ବିଭିନ୍ନ ରୋଗର ଶିକାର ହେବାକୁ ପଡିଥାଏ ଏଠିକାର ଲୋକଙ୍କୁ । ବାର୍ଦ୍ଧକ୍ୟ ହେଉ ଅବା ଭିନ୍ନକ୍ଷମ, ସାମାଜିକ ସୁରକ୍ଷା ଯୋଜନାର ଭତ୍ତା ପାଇବାରୁ ବହୁ ଯୋଗ୍ୟ ହିତାଧିକାରୀ ବଞ୍ଚିତ । ଆବାସ ଯୋଜନାରେ ମଧ୍ୟ ଦେଖାଦେଇଛି ଅନେକ ସମସ୍ୟା । ଗରିବ ଆଦିବାସୀମାନଙ୍କ ସରଳତାର ସୁଯୋଗ ନେଇ ଆବାସ ଯୋଜନାରେ ଠିକାଦାରି ବ୍ୟବସ୍ଥା ଯୋଗୁଁ ଅନେକ ଆବାସ ଗୃହ ଦୀର୍ଘଦିନ ହେବ ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ିରହିଛି । ଏସବୁର ତଦାରଖରେ ପ୍ରଶାସନିକ ଅବହେଳା ଜଳଜଳ ହୋଇ ଦେଖାଯାଉଛି । ଗାଁର ଏସବୁ ସମସ୍ୟା ପଛର ମୂଳ କାରଣ ହେଉଛି ଗମନାଗମନ ।

ନିକଟରେ ଥିବା ମୁଖ୍ୟ ଗ୍ରାମ ଖମାରପଦରଠାରୁ ଏହି ଗାଁକୁ ନାହିଁ ଭଲ ରାସ୍ତା । ଯାହା ଫଳରେ କୌଣସି ପ୍ରଶାସନିକ ଅଧିକାରୀଙ୍କ ପାଦ ଏହି ଗାଁରେ ପଡୁନାହିଁ । ନିର୍ବାଚନ ସମୟରେ ନେତାମାନେ ଆସିଥାନ୍ତି । କେବଳ ବିକାଶର ପ୍ରତିଶ୍ରୁତି ଦିଅନ୍ତି । ପରବର୍ତ୍ତୀ ସମୟରେ ସେମାନଙ୍କର ଦେଖା ମିଳେନି । ଯେଉଁଠି ସ୍ଥାନୀୟ ଜନପ୍ରତିନିଧିମାନଙ୍କର ଆନ୍ତରିକତା ନାହିଁ ସେଠାରେ ବିକାଶ କିପରି ସମ୍ଭବ ତାହା ଅନୁମେୟ । କେବେ ହେବ ଭାଟିପାସ୍ ଓ ଭାଟିପାସ୍ ଭଳି ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳରେ ବିକାଶର ସୂର୍ଯ୍ୟୋଦୟ ଏବଂ ଏଭଳି ପ୍ରଶ୍ନଗୁଡ଼ିକରେ କେବେ ପୂର୍ଣ୍ଣଚ୍ଛେଦ ପଡ଼ିବ, ତାହା ଦେଖିବାକୁ ରହିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking