27.1 C
Bhubaneswar
Thursday, April 25, 2024
Homeଓଡିଶାମୌଳିକ ସୁବିଧାରୁ ବଞ୍ଚିତ ‘ହୁଏରୀ’ ଗାଁ

ମୌଳିକ ସୁବିଧାରୁ ବଞ୍ଚିତ ‘ହୁଏରୀ’ ଗାଁ

ପାରଳାଖେମୁଣ୍ଡି : ସ୍ୱାଧିନତାର ସାତ ଦଶନ୍ଧି ପରେ ବି ଆଜି ବି ଅନେକ ଗ୍ରାମ ରହିଛି ଯେଉଁଠି ବିକାଶର ସ୍ୱାଦ ଚାଖିନାହାନ୍ତି ଗ୍ରାମବାସୀ । ଗାଁକୁ ଯିବାକୁ ଭଲ ପାଦଚଲା ରାସ୍ତାଟିଏ ବି ନଥିବା ହେତୁ ଅକଥନୀୟ ଦୁର୍ଦ୍ଦଶାରେ ପେସି ହେଉଛନ୍ତି ଲୋକେ । ଗ୍ରାମାଞ୍ଚଳରେ ବସବାସ କରୁଥିବା ଆଦିମ ଆଦିବାସୀଙ୍କ ପାଇଁ ସରକାର ମାଳ ମାଳ ଯୋଜନା କରୁଛନ୍ତି ସତ ହେଲେ ଦୀପ ତଳ ଅନ୍ଧାର ଭଳି ବିକାଶ ଠାରୁ ବହୁ ଦୂରରେ ରହିଯାଇଛି । ମୋହନା ସହର ଠାରୁ ଅତି ନିକଟରେ ଥିବା ହୁଏରୀ ଗ୍ରାମ । ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିମି ଦୂରରେ ଥିବା ହୁଏରୀ ଗାଁରେ ଆଜି ସୁଦ୍ଧା ବିକାଶର ପାଦ ଚିହ୍ନ ପଡିନି । ମୋହନା ସହର ଉପକଣ୍ଠ ପାଶ୍ୱବର୍ତ୍ତୀ ପାହାଡି ଇଲାକାରେ ରହିଛି ଶହ ଶହ ବର୍ଷର ଏହି ପୁରାତନ ଗାଁ  “ହୁଏରୀ” ।

କୁଇ କନ୍ଧ ଭାଷାରେ ହୁରୁ ଅର୍ଥ ପର୍ବତ, ଏରୀ ଅର୍ଥ ଚତୁପାଶ୍ୱର୍, ଯାହାକି  ପାହାଡ ପର୍ବତ ଘେରରେ ଅବସ୍ଥିତ ଗାଁକୁ ହୁଏରୀ ନାମ କରଣ କରାଯାଇଛି । ଗାଁର ପୂର୍ବ ଦିଗରେ ନାଚିବୁଡି ପାହାଡ, ଉତ୍ତର ଦିଗରେ କୁକୁଲା ଓ କାରେବୁଡି ପର୍ବତ, ପଶ୍ଚିମ ଦିଗରେ ଜାଲେଙ୍ଗବୁଡି ପର୍ବତ । ଦକ୍ଷିଣ ଦିଗରେ ଉଲଡିହୁରୁ ପର୍ବତ ଅବସ୍ଥିତ । ଏହି ଗାଁରେ ବର୍ଷ ବର୍ଷ ଧରି ୩୦ରୁ ଉର୍ଦ୍ଧ କୁଇ କନ୍ଧ ପରିବାର ଚାଷବାସ କରି ଆସୁଥିବା ବେଳେ ଜନ ସଂଖ୍ୟା ଦେଢ ଶହ । ହୁଏରୀ ଗ୍ରାମରେ ବସବାସ କରୁଛନ୍ତି ୨୯ କୁଇ କନ୍ଧ ପରିବାର । ପୁରଷ ସଂଖ୍ୟା ୧୨ ଥିବା ବେଳେ ମହିଳାଙ୍କ ସଂଖ୍ୟା ୫୦ ଏବଂ ପିଲାମାନେ ୪୦ । ଏମିତି ତିନୋଟି ସାହିକୁ ମିଶାଇ ଦେଢଶହରୁ ଦୁଇଶହ । ବିଲବାଡ ଅପେକ୍ଷା ପାହାଡରେ ପୋଡୁ ଚାଷକୁ ଅଧିକ ଗୁରତ୍ୱ ଦେଉଛନ୍ତି ଏମାନେ । ପଥୁରିଆ ରାସ୍ତାରେ ନିଜ ଉଦ୍ୟମରେ ମାଟି ପକାଇ ବାରମ୍ବାର ରାସ୍ତା ନିର୍ମାଣ କରାଯାଉଥିଲେ ମଧ୍ୟ ସାମାନ୍ୟ ବର୍ଷା ହେଲେ ତାହା ଧୋଇ ହୋଇଯାଉଛି ।

ସେହିପରି ବିଦ୍ୟାଳୟର ଦୁରବସ୍ଥା ଯୋଗୁଁ ଅଧାରୁ ପିଲାମାନେ ପାଠ ଛାଡିି ବାଡବଗଡ କାମରେ ଲାଗିଥାନ୍ତି । ଚାଷ ମାନେ ବଗଡରେ କାନ୍ଦୁଲ, ଝୋଡଙ୍ଗ, ମାଣ୍ଡିଆ, ଜନା କୁଣ୍ଡ ଧାନ ପ୍ରଭୃତି ପ୍ରାୟ ୧୦ ଏକର ବିଲବାଡରେ କରିଥାନ୍ତି । ହେଲେ ଆଜି ବି ଗାଁ ଲୋକେ ନିଜକୁ ବଣମଣିଷ ବୋଲି ବିବେଚିତ କରିଆସୁଛନ୍ତି । କାରଣ ଗାଁକୁ ଯିବାକୁ ହେଲେ ଗଣ୍ଡାପଦର ଗାଁ ଠାରୁ ବିପଦପୂର୍ଣ୍ଣ ପଥୁରିଆ ପାଦଚଲା ରାସ୍ତା ଦେଇ ପାହାଡ ଚଢ଼ିବାକୁ ପଡେ । ଭଲ ରାସ୍ତାଟିଏ ନଥିବା ହେତୁ ସମସ୍ତ ମୌଳିକ ସୁବିଧା ଏମାନଙ୍କ ପାଇଁ ଅପହଞ୍ଚ । ବିକାଶରେ ବାଧକ ସାଜିଥିବା ଏହି ରାସ୍ତା ପାଇଁ ଦୈନିକ ଦୁଃଖ କଷ୍ଟରେ ଗମନାଗମନ କରିଆସୁଛନ୍ତି । ତେବେ ପଥୁରିଆ ରାସ୍ତା ଯୋଗୁଁ ଆସିପାରୁନି କୌଣସି ଗାଡି । ଅଙ୍ଗନବାଡି କର୍ମି ଆସୁନଥିବା ହେତୁ  କେନ୍ଦ୍ରରେ ଝୁଲିଛି ତାଲା । ସାକ୍ଷରତା ଓ ସଚେତନ ଅଭାବରୁ ଏବେ ବି ପରମ୍ପରା ବଞ୍ଚିଛି । ପିଲା ଠାରୁ ବଢାବୁଢୀ ସଲପ ରସକୁ ପିଇ ବଞ୍ଚୁଛନ୍ତି ।

ଏମାନେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭର କରିଆସୁଥିବା ବେଳେ ବିଲବାଡ ଅପେକ୍ଷା ବଗଡରେ ଚାଷ କରି କାନ୍ଦୁଲ, ଜନା, ମାଣ୍ଡିଆ ଭଳି ଚାଷ କରୁଛନ୍ତି । ଗାଁର କୌଣସି ଘରେ ଶୌଚାଳୟ ନିର୍ମାଣ ହୋଇନଥିବା ବେଳେ ପାହାଡର ତଳମୁଣ୍ଡରେ ବାହ୍ୟମଳମୁକ୍ତ ଗାଁ ଫଳକ ଲଗାଇଦେଇ କାମ ସାରିଛନ୍ତି ସରକାର । ରାସ୍ତାର ଦୂରବସ୍ଥା ଯୋଗୁଁ ଶିକ୍ଷା, ସ୍ୱାସ୍ଥ୍ୟ, ପାନୀୟ ଜଳର ଘୋର ସମସ୍ୟା ରହିଛି । ଗାଁରେ ନାହିଁ ନଳକୂପ, ବିଲମାଳିଆ ଲାଣ୍ଡିଆ କୁଅଁର ଗୋଳିଆ ପାଣି ଲୋକଙ୍କ ଭରସା । ପାହାଡ ଉପରେ ରହୁଥିବା ଏହି ଲୋକଙ୍କ ପାଇଁ ରୋଗ ବିମାର ହେଲେ ଚେରମୁଳରେ ଚାଲିଛି ଉପଚାର । ଜରୁରୀକାଳୀନ ପରିସ୍ଥିତିରେ ଏମିତି ରୋଗୀକୁ କାନ୍ଧେଇ ମୋହନା ଆଣିଥାନ୍ତି ଲୋକେ । ଉପଯୁକ୍ତ ଚିକିତ୍ସା ଅଭାବରୁ ଗ୍ରାମର ଅଧିକାଂଶ ଲୋକଙ୍କ କମ ବୟସରେ ହିଁ ମୃତ୍ୟୁ ଘଟୁଥିବା ବେଳେ ମହିଳା ଅପେକ୍ଷା ପୁରଷଙ୍କ ସଂଖ୍ୟା ଖୁବ କମ ରହିଛି । 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking