33.1 C
Bhubaneswar
Thursday, April 25, 2024
Homeଓଡିଶା୫ ଗାଁ'ର ଦୁଃଖ ଖଡ଼ଗ ନଦୀ

୫ ଗାଁ’ର ଦୁଃଖ ଖଡ଼ଗ ନଦୀ

କ.ନୂଆଗାଁ : ଗମନାଗମନ ବ୍ୟବସ୍ଥାରେ ସୁଧାର ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକ ଟଙ୍କା ଖର୍ଚ୍ଚ କରାଯାଉଥିଲେ ବି କନ୍ଧମାଳ ଜିଲ୍ଲାରେ ତାହାର ବାସ୍ତବତା ନାହିଁ । ଜିଲ୍ଲାର ଗ୍ରାମାଞ୍ଚଳରେ ଏହାର ଅନେକ ଚିତ୍ର ଦେଖିବାକୁ ମିଳୁଛି । ଜିଲ୍ଲାର କ.ନୂଆଗାଁ ବ୍ଲକରେ ଏଭଳି ଏକ ଚିତ୍ର ସାମ୍‌ନାକୁ ଆସିଛି । ୫ ଗାଁ ପାଇଁ ଖଡ଼ଗନଦୀ ଦୁଃଖ ପାଲଟିଛି । ବର୍ଷା ହେଲେ ନଦୀ ପାର ପାଇଁ ଟ୍ୟୁବ ଭରସା ହୋଇଛି । ଏହି ବ୍ଲକ ଦେଇ ବହି ଯାଇଛି ଖଡ଼ଗ ନଦୀ । ଗୋଟିଏ ପଟେ ପଞ୍ଚାୟତ ମୁଖ୍ୟାଳୟ ଥିବାବେଳେ ଅନ୍ୟ ପଟେ ରହିଛି ମହାସିଙ୍ଗା ପଂଚାୟତର ୧୨ ଓ ୧ ନମ୍ବର ୱାର୍ଡ଼ରେ ଥିବା ବଗାଡ଼ି, ଗଛାପଡ଼ା, କୁବେରମୁଣ୍ଡା, ଇନ୍ଦିରାଜ ଏବଂ ସାଇନପଡ଼ା ପଞ୍ଚାୟତର ଯାରଙ୍ଗା ଆଦି ଗ୍ରାମ । ସରକାରଙ୍କ ଟଙ୍କିକିଆ ଚାଉଳ ହେଉ କିମ୍ବା ସ୍ୱାସ୍ଥ୍ୟସେବା ଓ ଅନ୍ୟ ସମସ୍ତ କାର୍ଯ୍ୟପାଇଁ ମହାସିଙ୍ଗ ଓ ବାଲିଗୁଡ଼ା ଅଞ୍ଚଳ ଉପରେ ଏମାନେ ନିର୍ଭର କରନ୍ତି । ବର୍ଷାଋତୁ ଆସିଗଲେ ଏଠାକାର ଲୋକଙ୍କ ଦୁଃଖ ବଢିଯାଏ ।

ନଦୀରେ ପୋଲ ନିର୍ମାଣ ହୋଇନଥିବା ବେଳେ ନଦୀପାର ହେବା ନିମନ୍ତେ ଡଙ୍ଗା ସୁବିଧା ନାହିଁ । ଟ୍ୟୁବ୍ ଭରସା ହୋଇଥିବାବେଳେ ତାହାକୁ ଧରି ଏକା ଥରକେ ଚାରିଜଣ ଲୋକ ବିପଦପୂର୍ଣ୍ଣ ଭାବେ ସମସ୍ତ ସାମଗ୍ରୀ ଧରି ନଦୀପାର ହୋଇଥାନ୍ତି ବୋଲି କହିଛନ୍ତି ଗ୍ରାମର ପ୍ରଫୁଲ୍ଲ ଦଳପତି । ନଦୀପାର କରି ଏଠାକାର ଶିଶୁମାନେ ପୁରୁଣା ମହାସିଙ୍ଗ୍ ଅଙ୍ଗନୱାଡ଼ି କେନ୍ଦ୍ର ଓ ବିଦ୍ୟାଳୟକୁ ମଧ୍ୟ ଶିକ୍ଷାଦାନ ପାଇଁ ଯାତାୟତ କରିଥାନ୍ତି । ତେବେ ଗମନା ଗମନ ସୁବିଧା ନଥିବା ଯୋଗୁଁ ବର୍ଷ ବର୍ଷ ଧରି ଏମାନେ ଆବାସ ଯୋଜନାରେ ବି ସାମିଲ ହୋଇପାରୁନାହାନ୍ତି । ଆବଶ୍ୟକ ଅନୁସାରେ ନଳକୂପ ନଥିବା ଯୋଗୁଁ ଦୂଷିତ ନଦୀ ପାଣି ପିଇ ରୋଗାକ୍ରାନ୍ତ ହୋଇପଡୁଛନ୍ତି ।

ପୋଲ ପାଇଁ ବାରମ୍ବାର ଦାବି କଲେ ବି ସୁଫଳ ମିଳୁନି । ବିିଭିନ୍ନ ସମୟରେ ଲୋକସଂଖ୍ୟା କମ୍ ଦର୍ଶାଇ ପୋଲି ଦାବିକୁ ଭୁଲିଯାଉଛନ୍ତି । ଶିକ୍ଷା, ସ୍ୱାସ୍ଥ୍ୟ, ଗମନା ଗମନ ଭଳି ସମସ୍ତ ମୌଳିକା ସୁବିଧାରୁ ମଧ୍ୟ ବଂଚିତ ହେଉଥିବା କହିଛନ୍ତି ଗ୍ରାମର କୁବେର ଦିଗାଲ । ନଦୀ ଉପରେ ଏକ ସ୍ଥାୟୀ ପୋଲ ହେଉ କିମ୍ବା ଝୁଲାପୋଲ ନିର୍ମାଣ ପାଇଁ ଗ୍ରାମର ସିଦ୍ଧେଶ୍ୱର ଦିଗାଲ, ପ୍ରବୀଣା ଦଳପତି, କୁସୁମୁନା ଦିଗାଲ, ପ୍ରଫୁଲ ଦଳପତି, ଉପେନ୍ଦ୍ର ଅମାୟତ, ଯାଇଫୁଲ ମଲିକ, କୁମାରୀ ଦିଗାଲ, କୃଷ୍ଣ ମଲିକ ଓ ଅନ୍ୟ ସମସ୍ତ ଗ୍ରାମବାସୀ ଦାବି କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking