29.1 C
Bhubaneswar
Saturday, April 20, 2024
Homeଓଡିଶାଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶିଷ ପାଣିଗ୍ରାହୀଙ୍କ ପରଲୋକ

ଭୁବନେଶ୍ୱର : ରାଜ୍ୟ ଭିଜିଲାନ୍ସ ନିର୍ଦ୍ଦେଶକ ଡ. ଦେବାଶିଷ ପାଣିଗ୍ରାହୀଙ୍କ ଶୁକ୍ରବାର ପରଲୋକ ହୋଇଛି । ରାତି ୧୦ଟା ୧୫ମିନିଟ୍ ସମୟରେ କୋଲକାତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୫୫ବର୍ଷର୍ ହୋଇଥିଲା । କରୋନାରେ ଆକ୍ରାନ୍ତ ହୋଇ ଅଶ୍ୱିନୀ କୋଭିଡ୍ କେୟାର ହସ୍ପିଟାଲରେ ସେ ଚିକିତ୍ସିତ ହୋଇଥିଲେ । ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ୮ତାରିଖରେ ଏୟାର ଆମ୍ବୁଲାନ୍ସ ଯୋଗେ ଉଚ୍ଚତର ଚିକିତ୍ସା ପାଇଁ କୋଲକାତାର ମେଡିକା ସୁପର ସ୍ପେଶିଆଲିଟି ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।

୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଶ୍ରୀ ପାଣିଗ୍ରାହୀ ବାଲେଶ୍ୱର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ତାରିଖରେ ଜନ୍ମଗ୍ରହଣ କରିଥିଲେ । ସେ କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ୱର ଏସ୍‌ପି ଭାବେ କାର୍ଯ୍ୟ କରିଥିଲେ । ପରେ ବହୁ ଗୁରୁତ୍ୱପୂର୍ଣ୍ଣ ୱିଙ୍ଗ୍‌ରେ ଡିଆଇଜି, ଆଇଜି ଭାବେ କାର୍ଯ୍ୟ କରିଥିଲେ । ରାଜ୍ୟ ସରକାର ତାଙ୍କୁ ଗୁରୁତ୍ୱପୂର୍ଣ୍ଣ ଭିଜିଲାନ୍ସ ବିଭାଗର ନିର୍ଦେଶକ ଭାବେ ନିଯୁକ୍ତି ଦେଇଥିଲେ ।

ରାଜନୀତି ବିଜ୍ଞାନରେ ଏମ୍‌ଏ ପାସ୍ କରିଥିବା ଦେବାଶିଷ ଜେଏନ୍‌ୟୁରେ ଏମ୍‌ଫିଲ୍ କରିଥିଲେ । ପରେ ପିଏଚ୍‌ଡି ଡିଗ୍ରି ହାସଲ କରିଥିଲେ । ସେ ଆଇନରେ ସ୍ନାତକ ମଧ୍ୟ କରିଥିଲେ । ଜଣେ ସାହିତ୍ୟିକ ଭାବେ ତାଙ୍କୁ ଓଡ଼ିଶାବାସୀ ଜାଣନ୍ତି । କ୍ଷୁଦ୍ର ଗଳ୍ପ ପାଇଁ ସେ ୨୦୦୨ରେ ରାଜ୍ୟ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ମୋଟ ୯ଟି ଉପନ୍ୟାସ ଏବଂ ୭ଟି କ୍ଷୁଦ୍ରଗଳ୍ପର ସେ ରଚୟିତା ଥିଲେ ।

ଉଲ୍ଲେଖଯୋଗ୍ୟ, ଡ. ପାଣିଗ୍ରାହୀ କରୋନା ଆକ୍ରାନ୍ତ ହୋଇ ଗତ ମେ’ ୨୯ ତାରିଖରେ କଟକର ଅଶ୍ୱିନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେଠାରେ ନିୟମିତ ଭାବେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ଦେଖା ଦେବା ସହ ତାଙ୍କ ଅମ୍ଳଜାନ ସ୍ତର କମିବାକୁ ଲାଗୁଥିଲା । ତାଙ୍କୁ ଆଇସିୟୁ ଓ ଭେଣ୍ଟିଲେଟର ସହାୟତାରେ ରଖାଯାଇଥିବା ବେଳେ ଉଚ୍ଚତର ଚିକିତ୍ସା ପାଇଁ ବାହାରକୁ ପଠାଯିବା ପାଇଁ ନିଷ୍ପତ୍ତି ହୋଇଥିଲା । ପ୍ରଥମେ ହାଇଦ୍ରାବାଦ ସ୍ଥିତ ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା । ପରେ ସେଥିରେ ପରିବର୍ତ୍ତନ କରାଯାଇ କଲିକତା ପଠାଯିବାକୁ ନିଷ୍ପତ୍ତି ହୋଇଥିଲା । ତଦନୁଯାୟୀ କଲିକତାର ମେଡିକା ସୁପର ସ୍ପେସିଆଲିଟି ହସ୍ପିଟାଲ ସହ ଯୋଗାଯୋଗ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking