26.1 C
Bhubaneswar
Friday, March 29, 2024
Homeଓଡିଶାଶିକ୍ଷକଙ୍କୁ ଛାତ୍ରଙ୍କ ମସାଜ ଭିଡିଓ ଭାଇରାଲ

ଶିକ୍ଷକଙ୍କୁ ଛାତ୍ରଙ୍କ ମସାଜ ଭିଡିଓ ଭାଇରାଲ

ମୟୁରଭଞ୍ଚ: ମସାଜ ଦେହକୁ ହାଲକା କରିବା ସହିତ ଆରାମ ଦେଇଥାଏ । ଏହାକୁ ପ୍ରମାଣ କରିଛନ୍ତି ଜଣେ ଶିକ୍ଷକ । ସ୍କୁଲରେ ଛାତ୍ରମାନଙ୍କୁ ମସାଜ କରାଇ ମାସାଜର ମଜା ନେଉଥିବା ଶିକ୍ଷକଙ୍କ ଭିଡିଓ ହେଲା ଭାଇରାଲ । ତେବେ ସଂପୃକ୍ତ ଶିକ୍ଷକ ଜଣକ ଆରାମରେ ଖଟିଆରେ ଶୋଇ କାହିଁକି ଓ କଣ ପାଇଁ ଛାତ୍ରମାନଙ୍କୁ ମାସାଜ କରାଉଥିଲେ ତାକୁ ନେଇ ଏବେ ସବୁ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଅନ୍ୟପଟେ ମାସାଜ ଭିଡିଓ ଭାଇରାଲ ହେବାରୁ ଘଟଣାର ମୋଡ଼ ବଦଳାଇବା ପାଇଁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । ଏଭଳି ଏକ ସ୍ପର୍ଶକାତର ଘଟଣା ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ ଅଧୀନରେ ଥିବା ଖେରଣା ସରକାରୀ ଉଚ୍ଚ ବିଦ୍ୟାଳୟରେ ହୋଇଥିବା ଜଣାପଡିଛି । ଜଣେ ଶିକ୍ଷକଙ୍କୁ ଛାତ୍ରମାନେ ମସାଜ କରୁଥିବା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହୋଇଛି । ଏହି ଭିଡ଼ିଓଟି ଦୁଇଦିନ ପୂର୍ବରୁ ଭାଇରଲ ହେବା ପରେ ବିଦ୍ୟାଳୟ, ଗ୍ରାମବାସୀ ଓ ଅବିଭାବକଙ୍କ ମହଲରେ ଅସନ୍ତୋଷ ପ୍ରକାଶ ପାଇବା ସହିତ ଉତ୍ତେଜନା ଦେଖାଦେଇଛି । ହେଲେ ଭାଇରାଲ ଭିଡ଼ିଓଟି ପ୍ରାୟ ଏକବର୍ଷ ତଳର ବୋଲି ଦାବି କରାଯାଇଛି । ତେବେ ପ୍ରଶ୍ନ ଉଠୁଛି ଭାଇରାଲ ଭିଡିଓ ଟି ବର୍ଷକର ହେଉକି ଦୁଇଦିନ ତଳର ହୋଇଥାଉ ଘଟଣାରେ ସତ୍ୟତା ରହିଥିବା ଉତ୍ତୋଳିତ ଦୃଶ୍ୟରେ ସ୍ପଷ୍ଟ ହୋଇଛି ।
କଥାରେ ଅଛି ଛାଟ ନାହିଁ ତ ପାଠ ନାହିଁ । ସେହିପରି ଗୁରୁଙ୍କ ସେବା କଲେ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ହେଲେ ସରକାରଙ୍କ ସଂଶୋଧିତ ଆଇନ ସବୁ ଗୋଳମାଳିଆ କରିଦେଇଛି। ରାଜ୍ୟ ସରକାରଙ୍କ ଗଣଶିକ୍ଷା ବିଭାଗ ପକ୍ଷରୁ ସ୍କୁଲ ପରିସରକୁ ଦଣ୍ଡମୁକ୍ତ ଅଞ୍ଚଳ ଘୋଷଣା କରାଯାଇଛି । ଏହାକୁ ବିଚାରକୁ ନେଲେ ସ୍କୁଲରେ ଦାୟିତ୍ବରେ ଥିବା ଶିକ୍ଷକ ଛାତ୍ରମାନଙ୍କୁ ମାସାଜ କରାଇବା ସିଧାସଳଖ ଦଣ୍ଡ ବିଧାନ କୁହାଯାଇ ପାରିବ । ଏବଂ ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବାଧା କୋଉଠି ବୋଲି ପ୍ରଶ୍ନ ଉଠୁଛି । ତେବେ ବିଦ୍ୟାଳୟ ଛାତ୍ରାବାସରେ ଶିକ୍ଷକଜଣକ ଏକ ଦଉଡି ଖଟିଆରେ ଶୋଇଥିବା ବେଳେ ୩ ଜଣ ଛାତ୍ର ତାଙ୍କ ମୁଣ୍ଡ ଓ ହାତ ମସାଜ କରୁଥିବା ଦୃଶ୍ୟ ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି ଏବଂ ସେହି ସମୟରେ ଜଣେ ଶିକ୍ଷକ ଆସି ବିଦ୍ୟାଳୟର କିଛି କାର‌୍ୟ୍ୟକ୍ରମ ସମ୍ପର୍କରେ ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ସହ ଆଲୋଚନା କରିଥିବା ସମୟରେ ଏହି ଦୃଶ୍ୟ ତାଙ୍କ ମୋବାଇଲରେ ରେକର୍ଡ଼ିଂ କରି ଭାଇରାଲ କରିଥିବା ସନ୍ଦେହ କରାଯାଉଛି । ଯାହାକୁ ନେଇ ଅବିଭାବକ, ଶିକ୍ଷକ, ଗ୍ରାମବାସୀ ଏବଂ ବିଦ୍ୟାଳୟ ପରିଚାଳନା କମିଟି ତରଫରୁ ଏକ ଆଲୋଚନା କରାଯାଇଥିଲା । ଛାତ୍ରମାନଙ୍କୁ ବିଦ୍ୟାଳୟରେ ମାସାଜ କରାଉଛନ୍ତି ନିଜେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜନାର୍ଦ୍ଦନ ମଣ୍ଡଳ । ଘଟଣା ପ୍ରଘଟ ହେବାପରେ ବିଭାଗୀୟ ଅଧିକାରୀ ତଦନ୍ତ ଆରମ୍ଭ କରି ଦେଇଥିବା ଜଣାପଡିଛି । ବିଦ୍ୟାଳୟ ଓ ହଷ୍ଟେଲର ମଧ୍ୟାହ୍ନଭୋଜନ ଦାୟିତ୍ବରେ ଥିବା ଶିକ୍ଷକ ବାପି ମହାନ୍ତ ଅନିୟମିତତା କରିବାରୁ ତାଙ୍କୁ ଏହି ଦାୟିତ୍ବରୁ ଅପସାରିତ କରାଯାଇଥିଲା । ଫଳରେ ସେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କ ଉପରେ ପ୍ରତିଶୋଧ ପରାୟଣ ହୋଇ ଭିଡିଓ ଭାଇରାଲ କରିଛନ୍ତି ବୋଲି କୁହାଯାଉଛି ।
ତେବେ ଏନେଇ ଉକ୍ତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ଏହାକୁ ସ୍ବୀକାର କରିବା ସହ ସେଦିନ ତାଙ୍କ ସ୍ବାସ୍ଥ୍ୟବସ୍ଥା ଠିକ୍ ନ ଥିବା କଥା ପ୍ରକାଶ କରିଛନ୍ତି । ଏବଂ ବିଦ୍ୟାଳୟ ଛାତ୍ରାବାସରେ ଏକ ଦଉଡି ଖଟିଆରେ ଶୋଇଥିବା ବେଳେ ୩ ଜଣ ଛାତ୍ର ତାଙ୍କ ମୁଣ୍ଡ ଓ ହାତ ମସାଜ କରୁଥିବା କହିଛନ୍ତି । ସେପଟେ ମାସାଜ ଭିଡ଼ିଓ ଭାଇରାଲ ଅଭିଯୋଗ ହୋଇଥିବା ଶିକ୍ଷକ କୌଣସି ପ୍ରତିକ୍ରିୟା ଦେବାପାଇଁ ମନା କରିବା ସହିତ ଅସ୍ବୀକାର କରିଛନ୍ତି ।
ମାସାଜ ଭିଡିଓ ଭାଇରାଲ୍ କରି ବିଦ୍ୟାଳୟକୁ ବଦନାମ କରିବା ସହିତ ପ୍ରତିଷ୍ଠା କ୍ଷୁର୍ଣ୍ଣ କରିଥିବା ସମ୍ପୃକ୍ତ ଶିକ୍ଷକଙ୍କ ବିରୋଧରେ ବିଦ୍ୟାଳୟ ପରିଚାଳନା କମିଟି ଥାନାରେ ଅଭିଯୋଗ କରିବ ବୋଲି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି । ସେହିପରି ଭାଇରାଲ ଭିଡ଼ିଓ ସମ୍ପର୍କରେ ନିରପେକ୍ଷ ତଦନ୍ତ କରାଯାଇ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ରହିଛି ବୋଲି ମଧ୍ୟ ମତପ୍ରକାଶ ପାଉଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking