27.1 C
Bhubaneswar
Thursday, April 25, 2024
Homeଓଡିଶାବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ

ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ

ଭୁବନେଶ୍ୱର : ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ । ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ । ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ । ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ । ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ । ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ । ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି ।

ମୂର୍ତ୍ତିପୂଜା ମାତ୍ର ଦୁଇଶହ ବର୍ଷ ଭିତରେ ଦେଖିବାକୁ ମିଳିଲା । ତେବେ ପ୍ରଥମେ ଧାତୁ ନିର୍ମିତ ମୂର୍ତ୍ତି ଦେଖିବାକୁ ମିଳୁଥିଲା ବେଳେ ମାତ୍ର ୧୦୦ରୁ ୧୫୦ ବର୍ଷ ମଧ୍ୟରେ ମାଟି ନିର୍ମିତ ମୂର୍ତ୍ତିର ବ୍ୟାପକ ପ୍ରସାର ଘଟିଛି । କିନ୍ତୁ ପ୍ରାରମ୍ଭରୁ ପ୍ରଚଳିତ ଘଟପୂଜା ଏବେ ବି ଅନୁଷ୍ଠିତ ହେଉଛି । ଆମର ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ । ତାହା ହେଉଛି କ୍ଷିତ୍, ଅପ୍, ମରୁତ୍ ଏବଂ ବ୍ୟୋମ୍ । ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା । କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଫଳ ଖାଇ ସେ ବଞ୍ଚିଲା । ସେହିପରି ଜଳ (ଅପ୍)କୁ ଜୀବନ ବୋଲି କହିଲା । ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ । ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି । ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ । ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କରାଗଲା । ଅବଶ୍ୟ ଅଗ୍ନିକୁ ଗ୍ରହଣ କଲା ଏହାପରେ । ପବନ (ମରୁତ) ଏବଂ ଆକାଶ (ବ୍ୟୋମ)କୁ ମଧ୍ୟ ନିଜର ପୂଜ୍ୟ ଭାବେ ସ୍ୱୀକୃତି ଦିଆଗଲା । ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କରାଯାଇଛି । ଯେପରି ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ପ୍ରଭୃତି ପୂଜନୀୟ ହେଲେ । ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା- ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ । ପୁନଃ ଏଗୁଡ଼ିକ ଆମର ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସାଦ୍ୱାରା ଗୃହିତ ହୋଇଥାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking