34.1 C
Bhubaneswar
Thursday, April 25, 2024
Homeଓଡିଶାବାରାଣସୀ ଅଦାଲତରେ ଜ୍ଞାନବାପୀ ମସ୍‌ଜିଦ ମାମଲା: ଶୁଣାଣି ଶେଷ, ଆଜି ପ୍ରକାଶ ପାଇବ ରାୟ

ବାରାଣସୀ ଅଦାଲତରେ ଜ୍ଞାନବାପୀ ମସ୍‌ଜିଦ ମାମଲା: ଶୁଣାଣି ଶେଷ, ଆଜି ପ୍ରକାଶ ପାଇବ ରାୟ

ବାରାଣସୀ : ବାରାଣସୀ ଜିଲ୍ଲା ଅଦାଲତରେ ସୋମବାର ଜ୍ଞାନବାପୀ ମସ୍‌ଜିଦ ମାମଲାର ଶୁଣାଣି ଶେଷ ହୋଇଯାଇଛି । ତେବେ ବିଚାରପତି ତାଙ୍କ ରାୟକୁ ଆଜି ପର୍ଯ୍ୟନ୍ତ ସଂରକ୍ଷିତ ରଖିଛନ୍ତି । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଜଜ୍ ଏ.କେ.ବିଶ୍ୱେଶାଙ୍କ ଇଜିଲାସରେ ଏହି ମାମଲାର ଶୁଣାଣି କରାଯାଇଛି । ସୋମବାର ୪୫ ମିନିଟ ଧରି ଶୁଣାଣି ଚାଲିଥିବାବେଳେ ବିଚାରପତି ଉଭୟପକ୍ଷର ଯୁକ୍ତି ଶୁଣିଥିଲେ । ‘ଅଞ୍ଜୁମନ୍ ଇନ୍ତେଜାମିଆ ମସ୍‌ଜିଦ କମିଟି’ ପକ୍ଷରୁ ମାମଲା ପରିଚାଳନା କରୁଥିବା ଓକିଲ ଯୁକ୍ତି ଦର୍ଶାଇଥିଲେ ଯେ ‘ପୂଜାର୍ଚ୍ଚନା ସ୍ଥଳୀ ଆଇନ, ୧୯୯୧’ ଅନୁଯାୟୀ ହିନ୍ଦୁ ଗୋଷ୍ଠୀଙ୍କ ଦ୍ୱାରା ଆଗତ ପିଟିସନ ଶୁଣାଣି ପାଇଁ ଯୋଗ୍ୟ କି ନୁହେଁ, ତାହା ପ୍ରଥମେ ଅଦାଲତ ସ୍ଥିର କରନ୍ତୁ । ୧୯୩୬ରୁ ଏହି ମସ୍‌ଜିଦରେ ନମାଜପାଠ ହୋଇଆସୁଥିବାବେଳେ ବର୍ତ୍ତମାନ ଏହାକୁ ବିବାଦ ମଧ୍ୟକୁ ଟାଣିବା କେତେଦୂର ଯୁକ୍ତିସଙ୍ଗତ, ତାହା ଅଦାଲତ ନିର୍ଣ୍ଣୟ କରିବାକୁ ମଧ୍ୟ ମସ୍‌ଜିଦ କମିଟି ଅଧ୍ୟକ୍ଷ ଦାବି କରିଥିଲେ । ଅପରପକ୍ଷରେ ନିକଟରେ ଶେଷ ହୋଇଥିବା ସର୍ଭେ କାର୍ଯ୍ୟର ରିପୋର୍ଟରେ ଉପଲବ୍ଧ ହୋଇଥିବା ଫଟୋଚିତ୍ର ଓ ଭିଡିଓକୁ ଶୁଣାଣି ପ୍ରକ୍ରିୟାରେ ସାମିଲ କରିବାକୁ ହିନ୍ଦୁ ଗୋଷ୍ଠୀଙ୍କ ଓକିଲ ବିଷ୍ଣୁ ଜୈନ ଦାବି କରିଥିଲେ । ସର୍ଭେ କମିଶନରଙ୍କ ଦ୍ୱାରା ପ୍ରସ୍ତୁତ ରିପୋର୍ଟର ଏକକିତା ନକଲ ପ୍ରଦାନ କରିବାକୁ ମଧ୍ୟ ଶ୍ରୀ ଜୈନ ଅଦାଲତଙ୍କୁ ପ୍ରାର୍ଥନା କରିଛନ୍ତି । ଶୁଣାଣି ସମୟରେ ଅଦାଲତ ପ୍ରକୋଷ୍ଠରେ ୪ ପିଟିସନଧାରୀ ଓ ୧୯ ଜଣ ଓକିଲଙ୍କୁ ମିଶାଇ ମୋଟ ୨୩ ଜଣଙ୍କୁ ଉପସ୍ଥିତ ହେବାକୁ ଅନୁମତି ଦିଆଯାଇଥିଲା । ତେବେ ଶୁଣାଣି ସମୟରେ ବହିଷ୍କୃତ କୋର୍ଟ କମିଶନର ଅଜୟ ମିଶ୍ରଙ୍କୁ ପ୍ରବେଶ ଅନୁମତି ମିଳିନଥିବା ଜଣାପଡିଛି । କେବଳ ଓକିଲାତିନାମାରେ ଉଲ୍ଲେଖ ଥିବା ବ୍ୟକ୍ତିବିଶେଷଙ୍କୁ ଅଦାଲତ ପ୍ରକୋଷ୍ଠରେ ପ୍ରବେଶ ପାଇଁ ଅନୁମତି ପ୍ରଦାନ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking