28.1 C
Bhubaneswar
Thursday, March 28, 2024
Homeଓଡିଶା୧୮ ରୁ ୪୪ବର୍ଷ ବୟସ୍କଙ୍କୁ ମିଳୁନି ଟିକା

୧୮ ରୁ ୪୪ବର୍ଷ ବୟସ୍କଙ୍କୁ ମିଳୁନି ଟିକା

ରାୟଗଡ଼ା : ୧୮ରୁ ୪୪ବର୍ଷ ବୟସ୍କ ସମସ୍ତ ବ୍ୟକ୍ତି ବିଶେଷଙ୍କୁ କେନ୍ଦ୍ର ସରକାରଙ୍କ ଘୋଷଣା ମୁତାବକ ଚଳିତ ମାସ ପହିଲାରୁ ଟିକା ପ୍ରଦାନ କରାଯିବ ବୋଲି କୋ-ୱିନ ଆପ୍ ଜରିଆରେ ପଞ୍ଜୀକରଣ କରିଥିଲେ ଅନେକ ଯୁବକ । ଫଳରେ ଉକ୍ତ ବୟସ ଅନ୍ତର୍ଗତ ଆସୁଥିବା ଲକ୍ଷାଧିକ ବ୍ୟକ୍ତି ଟିକା ପାଇଁ ନିଜ ବ୍ୟକ୍ତିଗତ ପରିଚୟ ପ୍ରଦାନ କରି ନାମ ପଞ୍ଜୀକରଣ କରିସାରିଛନ୍ତି । କିନ୍ତୁ ଟିକା ପାଇବା ପାଇଁ ଶେଷ ହେଉନି ଅପେକ୍ଷା । ରାୟଗଡ଼ା ଜିଲ୍ଲାରେ ଲକ୍ଷାଧିକ ସଂଖ୍ୟକ ହିତାଧିକାରୀ ପଞ୍ଜୀକରଣ କରି ଟିକା ପାଇବା ପାଇଁ ଚାତକ ଭଳି ଚାହିଁ ବସିଛନ୍ତି ।
ଦୀର୍ଘଦିନ ହେଲା ଷ୍ଟକ୍ ନଥିବାରୁ ଟିକା କେନ୍ଦ୍ରରେ ତାଲା ପଡ଼ିଥିଲା । ରବିବାର ୫,୫୦୦ ଡୋଜ ଟିକା ଜିଲ୍ଲାରେ ପହଞ୍ଚିବା ପରେ ଗତକାଲିଠାରୁ ୩୦ କେନ୍ଦ୍ରରେ ଟିକା ଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । କିନ୍ତୁ ଉପରୋକ୍ତ ବୟସର ବ୍ୟକ୍ତି ଟିକା ନପାଇ ନିରାଶ ହୋଇ ଫେରିଯାଉଛନ୍ତି । ତେବେ ୨ ସପ୍ତାହ ମଧ୍ୟରେ ଟିକା ପର୍ଯ୍ୟାପ୍ତ ପରିମାଣରେ ଜିଲ୍ଲାରେ ପହଞ୍ଚିଲେ ପ୍ରଥମେ ପୌରାଞ୍ଚଳରୁ ଟିକାକରଣ କରାଯିିବ ବୋଲି ଜିଲ୍ଲା ଟିକାକରଣ ସଂଯୋଜକ ସୂଚନା ଦେଇଛନ୍ତି । ସବୁଠି ଟିକା ପାଇଁ ଚାଲିଛି ପ୍ରତିଯୋଗିତା । ଯିଏ ପ୍ରଥମେ ଆସି କେନ୍ଦ୍ରରେ ପଞ୍ଜୀକରଣ କରିବ ତାକୁ ମିଳିବ ଟିକା । ଏଥିପାଇଁ ସୋମବାର, ମଙ୍ଗଳବାର ଦିନ ସହରବାସିନ୍ଦାଙ୍କ ମଧ୍ୟରେ କସରତ ଦେଖିବାକୁ ମିଳିଥିଲା । ପ୍ରଥମେ ଆସି ଟିକା ହାସଲ କରିବାକୁ ଲୋକଙ୍କ ମଧ୍ୟରେ ଏକ ପ୍ରକାର ପ୍ରତିଯୋଗିତା ଭଳି ପରିସ୍ଥିତି ଦେଖିବାକୁ ମିଳିଥିଲା । ଦ୍ୱିତୀୟ ଡୋଜ ଗ୍ରହଣ କରିଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକା ପ୍ରଦାନ କରାଯିବା ନେଇ କର୍ତ୍ତୃପକ୍ଷଙ୍କ ସ୍ପଷ୍ଟ ନିର୍ଦ୍ଦେଶ ପରେ କିଛି ଲୋକ ଅସନ୍ତୋଷ ହୋଇ କେନ୍ଦ୍ରରୁ ଫେରିଯାଇଥିଲେ । ଦ୍ୱିତୀୟ ଡୋଜ୍ ନେଇଥିବା ବ୍ୟକ୍ତିଙ୍କୁ ଟିକା ପ୍ରଦାନ କରାଯାଇଛି । ରାୟଗଡା ସହରରେ ତିନୋଟି ସ୍ଥାନରେ ଟିକାକରଣ କରାଯାଇଥିଲା । ତେବେ କେନ୍ଦ୍ର ସମ୍ମୁଖରେ ଲୋକଙ୍କ ପ୍ରବଳ ଭିଡ଼ ଜମିଥିବା ଦେଖିବାକୁ ମିଳିଥିଲା । ଆଜି ପ୍ରାୟ ୨.୫ହଜାରରୁ ଊର୍ଦ୍ଧ୍ୱ ଜଣ ଲୋକଙ୍କୁ ଟିକା ପ୍ରଦାନ କରାଯାଇଛି । ଟିକାକରଣ ପ୍ରକ୍ରିୟା ଅନୁଧ୍ୟାନ ସକାଶେ ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ, ତହସିଲଦାର ଉମାଶଙ୍କର ବେହେରା ଓ ଜିଲ୍ଲା ସ୍ୱାସ୍ଥ୍ୟ ମିଶନ ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ୍ୱର ପଟ୍ଟନାୟକ ସହର ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଓ ୟୁଜିଏମଆଇଟି ଶିକ୍ଷାନୁଷ୍ଠାନ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଛନ୍ତି । ପ୍ରଥମ ଡୋଜ ହାସଲ କରିଥିବା ବ୍ୟକ୍ତିଙ୍କୁ ପ୍ରାଥମିକତା ଆଧାରରେ ଟିକାକରଣ କରିବାକୁ ଜିଲ୍ଲାପାଳ ଶ୍ରୀ ମିଶ୍ର ଉପସ୍ଥିତ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ପରାମର୍ଶ ଦେବା ସହିତ କେନ୍ଦ୍ର ପରିସରରେ କୋଭିଡ ମାର୍ଗଦର୍ଶିକା ଅନୁପାଳନ କରି ମାସ୍କ ଓ ସାମାଜିକ ଦୂରତା ରକ୍ଷା କରିବାକୁ ହିତାଧିକାରୀଙ୍କ ସହିତ ଆଲୋଚନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking