ୱାଶିଂଟନ: ୨୦୨୪ରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ବର୍ତ୍ତମାନଠାରୁ ଡେମୋକ୍ରାଟିକ୍ ଓ ରିପବ୍ଲିକାନ ଦଳର ଆଶାୟୀ ପ୍ରାର୍ଥୀଙ୍କ ମଧ୍ୟରେ ଉତ୍ସାହ, ଉତ୍କଣ୍ଠା ଏବଂ ଉଦ୍ୟମ ଆରମ୍ଭ ହୋଇଗଲାଣି । ତେବେ ପୂର୍ବତନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏହି ଦୌଡରେ ସର୍ବାଗ୍ରେ ରହିଛନ୍ତି ବୋଲି ଏକ ସର୍ଭେ ରିପୋର୍ଟରୁ ଜଣାପଡିଛି । ରଏଟର ଓ ଇପ୍ସସ୍ ପୁଲ୍ ସଂସ୍ଥାର ମିଳିତ ଉଦ୍ୟମ ଆମେରିକାର ବିଭିନ୍ନ ସହରରେ ବାସ କରୁଥିବା ୪୪୧୪ ବୟସ୍କ ନାଗରିକଙ୍କ ମତାମତ ସଂଗ୍ରହ କରାଯାଇଥିଲା ।
ଏମାନଙ୍କ ମଧ୍ୟରୁ ୪୭ ପ୍ରତିଶତ ଦଳୀୟ ସମର୍ଥକ ଟ୍ରମ୍ପଙ୍କୁ ପୁଣି ରାଷ୍ଟ୍ରପତି ଆସନରେ ଦେଖିବାକୁ ପସନ୍ଦ କରୁଥିବା ରିପୋର୍ଟରୁ ଜଣାପଡିଛି। ତାଙ୍କ ପଛକୁ ଅନ୍ୟତମ ରିପବ୍ଲିକାନ ପ୍ରାର୍ଥୀ ତଥା ଫ୍ଲୋରିଡା ଗଭର୍ଣ୍ଣର ରନ୍ ଡିସାଣ୍ଟିସଙ୍କୁ ୨୮ ପ୍ରତିଶତ ଲୋକ ସମର୍ଥନ କରୁଥିବା ଜଣାପଡିଛି । ଏମାନଙ୍କ ପଛକୁ ବିବେକ ରାମସ୍ୱାମୀ (୯%) ଏବଂ ପୂର୍ବତନ ଉପରାଷ୍ଟ୍ରପତି ମାଇକ୍ ପେନ୍ସ (୭%) ରହିଛନ୍ତି । ଟ୍ରମ୍ପ ୨୦୧୭ରୁ ୨୦୨୧ ପର୍ଯ୍ୟନ୍ତ ରାଷ୍ଟ୍ରପତି ଦାୟିତ୍ୱ ତୁଲାଇସାରିଛନ୍ତି । ଅପରପକ୍ଷରେ ଡେମୋକ୍ରାଟିକ ପ୍ରାର୍ଥୀଭାବେ ବର୍ତ୍ତମାନର ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସର୍ବାଧିକ ୩୫ ପ୍ରତିଶତ ଦଳୀୟ ସମର୍ଥନ ମିଳୁଥିବା ଜଣାପଡିଛି । ୬୦ ପ୍ରତିଶତ ଡେମୋକ୍ରାଟ ସମର୍ଥକ ବୟସାଧିକ୍ୟ କାରଣରୁ ବାଇଡେନ୍ଙ୍କୁ ପୁଣି ରାଷ୍ଟ୍ରପତିଭାବେ ଦେଖିବାକୁ ଚାହୁଁନାହାନ୍ତି ।