ସରିଲା ପୋଷ୍ଟମର୍ଟମ ପରେ ଗାଁକୁ ଗଲା ଉନ୍ନାଓ ପୀଡିତାଙ୍କ ଶବ

ନୂଆଦିଲ୍ଲୀ: ଆଜି ସରିଲା ପୋଷ୍ଟମର୍ଟମ ପରେ ଗାଁକୁ ପଠାଗଲା ଉନ୍ନାଓ ପୀଡିତାଙ୍କ ଶବ | ସଫଦରଗଞ୍ଜ ହସ୍ପିଟାଲରେ ପୀଡିତା ଶେଷ ନିଶ୍ଵାସ ଛାଡିବା ପରେ ଶବ ବ୍ୟବଛେଦ କରାଯାଇଛି। ପୀଡିତାଙ୍କ ଶବ ବ୍ୟବଛେଦର ଭିଡିଓଗ୍ରାଫି ମଧ୍ୟ କରାଯାଇଛି। ଫରେନ୍ସିକ ବିଭାଗର ଅଧ୍ୟକ୍ଷ ଡଃ ୱାହିଙ୍କ ନେତୃତ୍ଵରେ ଶବ ବ୍ୟବଛେଦ କରାଯାଇଛି। ଏବେ ପୀଡିତାଙ୍କ ଶବ ଉନ୍ନାଓ ନେବା ପାଇଁ ପ୍ରସ୍ତୁତି କରାଯାଉଛି। ପ୍ରଥମେ ହାଇଦ୍ରାବାଦର ପଶୁ ଡାକ୍ତରାଣୀ ଏବଂ ଏବେ ଉନ୍ନାଓ ପୀଡିତାଙ୍କୁ ଜାଳି ପୋଡି ମାରିବା ପରେ ସମଗ୍ର ଦେଶରେ ଲୋକମାନେ ଆକ୍ରୋଶ ପ୍ରକାଶ କରିଛନ୍ତି। ଏନେଇ ଏବେ ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଶୋକ ପ୍ରକାଶ କରିଛନ୍ତି।
ଗତ ଗୁରୁବାର ବିଳମ୍ବିତ ରାତ୍ରୀରେ ଲକ୍ଷ୍ନୌର ସିଭିଲ ହସ୍ପିଟାଲରୁ ଏୟାରଲିପ୍ଟ କରି ସଫଦରଗଞ୍ଜ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଶୁକ୍ରବାର ରାତ୍ରୀ ୧୧ଟା ୪୦ରେ ଉନ୍ନାଓ ଦୁଷ୍କର୍ମ ପୀଡିତା ସଫଦରଗଞ୍ଜ ହସ୍ପିଟାଲରେ ପ୍ରାଣ ହରାଇଛନ୍ତି। ଦୀର୍ଘ ୪୪ ଘଣ୍ଟା ଜୀବନ ମୃତ୍ୟୁ ସହ ସଙ୍ଘର୍ଷ କରିଥିବା ପୀଡିତା ଶେଷ ସମୟରେ ମଧ୍ୟ ନିଜ ପାଇଁ ନ୍ୟାୟ ଦାବି କରିଥିଲେ। ଉନ୍ନାଓ ଦୁଷ୍କର୍ମ ପୀଡିତାଙ୍କୁ ବଳାତ୍କାରୀମାନେ ପେଟ୍ରୋଲ ଢାଳି ଜଳାଇବାକୁ ଚେଷ୍ଟା କରିଥିଲେ। ଏଥିରେ ପୀଡିତାଙ୍କର ୯୦ ପ୍ରତିଶତ ଶରୀର ଜଳି ଯାଇଥିଲା। ପୀଡିତାଙ୍କ ଦେହରେ ନିଆଁ ଲାଗିବା ପରେ ପାଖାପାଖି ୧ କିମି ଯାଏଁ ସାହାଯ୍ୟ ମାଗିବାକୁ ଦୌଡିଥିଲେ। ଏପରିକି ପୀଡିତା ନିଜେ ୧୧୨ରେ ଫୋନ କରି ପୋଲିସକୁ ସମସ୍ତ ଘଟଣାକ୍ରମ ବଖାଣିଥିଲେ।