30.1 C
Bhubaneswar
Thursday, April 25, 2024
Homeଓଡିଶାଏତଲାରେ ନାମ ନଥିବା ଜମି ବ୍ୟବସାୟୀ ଗିରଫ : ପୋଲିସ ସାଜିଲା ବିଚାରପତି !

ଏତଲାରେ ନାମ ନଥିବା ଜମି ବ୍ୟବସାୟୀ ଗିରଫ : ପୋଲିସ ସାଜିଲା ବିଚାରପତି !

ଢେଙ୍କାନାଳ:  ଢେଙ୍କାନାଳ ସହରରେ ବେଶ୍ ଚର୍ଚ୍ଚିତ ଥିବା ଜଳାଶୟ କିସମ ପରିବର୍ତ୍ତନ ମାମଲା ଏକ ରୋଚକ ମୋଡ଼ରେ ପହଞ୍ଚିଛି । ସଦର ତହସିଲଦାରଙ୍କ ପକ୍ଷରୁ ୧୧ଜଣଙ୍କ ନାମରେ ଏତଲା ଦିଆଯାଇଥିବାବେଳେ ଟାଉନ ଥାନା ପକ୍ଷରୁ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ଏପରିକି ଏତଲାରେ ନାମ ଥିବା ୪ ଜଣ ତହସିଲ କର୍ମଚାରୀଙ୍କୁ ପୋଲିସ ବ୍ୟକ୍ତିଗତ ମୁଚାଲିକାରେ ଛାଡି ଦେଇଥିବା ବେଳେ ଏତଲାରେ ନାମ ନଥିବା ଜଣେ ଜମି ବ୍ୟବସାୟୀଙ୍କୁ କୋର୍ଟ ଚାଲାଣ କରିଥିବା ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ଅନୁଯାୟୀ, ସାନଷାଠିଏ ବାଟିଆ ଅଞ୍ଚଳରେ ଥିବା ଏକ ଜଳାଶୟର କିସମ ପରିବର୍ତ୍ତନ କରି ଜମି ମାଫିଆମାନେ ଉଚ୍ଚ ଦରରେ ବିକ୍ରିକରିବା ମସୁଧା କରିଥିଲେ । ଏ ବାବଦରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ତତ୍କାଳୀନ ଜିଲ୍ଲାପାଳ ଭୂମେଶ ଚନ୍ଦ୍ର ବେହେରା ଏହାର ତଦନ୍ତ କରିବା ପାଇଁ ଚିଠି ଲେଖିଥିଲେ । ପରେ ଆଉ ଏକ ରିମାଇଣ୍ଡର ମାଧ୍ୟମରେ ତତ୍କାଳୀନ ଉପଜିଲ୍ଲାପାଳ ତଥା ବର୍ତ୍ତମାନର ପ୍ରକଳ୍ପ ନିର୍ଦ୍ଦେଶକ ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କୁ ଚିଠି କରିଥିଲେ ।

ମାତ୍ର ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ଏହି ତଦନ୍ତକୁ ଚାପି ରଖିଥିଲେ । ଘଟଣା କ୍ରମେ ଏହି ଘଟଣାଟି ଗଣମାଧ୍ୟମରେ ଖବର ଶିରୋନାମା ପାଲଟିବାରୁ ନୂତନ ଜିଲ୍ଲାପାଳ ସରୋଜ କୁମାର ସେଠୀ ଯୋଗଦେବା ପରେ ଏହାର ତଦନ୍ତ କରାଇ ୧୧ ଜଣଙ୍କ ନାମରେ ମାମଲା ଦାଖଲ କରିବାକୁ ସଦର ତହସିଲଦାର ସୁରେଶ ଚନ୍ଦ୍ର ପଣ୍ଡାଙ୍କୁ ନିର୍ଦ୍ଦେଶ ଦେଇଥିଲେ । ତଦନୁଯାୟୀ ସଦର ତହସିଲ ପକ୍ଷରୁ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଆରଆଇ ବିକାଶ ଚନ୍ଦ୍ର ବେହେରା ଓ ସୌମ୍ୟରଞ୍ଜନ ପରିଡ଼ା, ଆସିଷ୍ଟାଣ୍ଟ୍ ରେକର୍ଡକିପର ଦୁଷ୍ମନ୍ତ ଦେହୁରୀ, ଅମିନ ପ୍ରଶାନ୍ତ କୁମାର ବେହେରା, ପ୍ରମୋଦ ବେହେରା, ସସ୍ମିତା କର, ମାନସ ବେହେରା, ଡାଟା ଏଣ୍ଟ୍ରି ଅପରେଟର ସୁଶ୍ରୀ ସଙ୍ଗୀତା ମହାପାତ୍ର, ସୁଦୀପ୍ତ ମହାପାତ୍ର ଏବଂ ଜମି ଲିଜ କରି ନେଇଥିବା ବେବିନା ବେହେରାଙ୍କ ନାମରେ ଏତଲା ଦାଖଲ କରାଯାଇଥିଲା। ସେମାନଙ୍କ ମଧ୍ୟରୁ ଅତିରିକ୍ତ ତହସିଲଦାର ଲକ୍ଷ୍ମଣ ଦଳେଇ, ଅମିନ ସୌମ୍ୟରଞ୍ଜନ ପରିଡ଼ା, ଦୁଷ୍ମନ୍ତ ଦେହୁରୀ, ବେବିନା ବେହେରା ଓ ତାଙ୍କ ସ୍ୱାମୀ ନରେନ୍ଦ୍ର ବେହେରାଙ୍କୁ ଦଫା ୪୬୮,୪୬୭,୪୨୦,୪୭୧,୧୨୦(ବି) ମାମଲାରେ ଗିରଫ କରି ଆଜି କୋର୍ଟ ଚାଲାଣ କରାଯାଇଛି ।

ଅନ୍ୟପଟେ ପୋଲିସ ରେକର୍ଡ କିପର ବିକାଶ ଚନ୍ଦ୍ର ବେହେରା, ଅମିନ ପ୍ରଶାନ୍ତ କୁମାର ବେହେରା, ଅମିନ ପ୍ରମୋଦ କୁମାର ବେହେରା, ଅମିନ କମ୍ ସାର୍ଟିଫାଏଡ କପି ସେକ୍ସନର ଡିଲିଙ୍ଗ ଆସିଷ୍ଟାଣ୍ଟ୍ ସସ୍ମିତା କର ,ଅମିନ ମାନସ ବେହେରା, ଡାଟା ଏଣ୍ଟ୍ରି ଅପରେଟର ସୁଶ୍ରୀ ସଙ୍ଗୀତାଙ୍କୁ ପୁଲିସ ଅଟକ ରଖି ପଚରାଉଚରା ପରେ ବ୍ୟକ୍ତିଗତ ମୁଚାଲିକାରେ ଛାଡ଼ିଦେଇଛି । ନରେନ୍ଦ୍ର ବେହେରାଙ୍କର ଏତଲାରେ ନାମ ନଥିବା ବେଳେ ତାଙ୍କୁ ଗିରଫ କରିବା ପଛରେ ବଡବାବୁଙ୍କୁ ଏହି ଘଟଣାରୁ ଦୋଷମୁକ୍ତ କରିବା ଏବଂ ଘଟଣାର ମୋଡ ବଦଳାଇବାକୁ ଭିନ୍ନ ଏକ ପ୍ରୟାସ ଜାରି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଏବେ ପ୍ରଶ୍ନ ଉଠେ ପୂର୍ଣ୍ଣକାଳୀନ ତତ୍କାଳୀନ ତହସିଲଦାର ଥିବା ଲକ୍ଷ୍ମୀଧର ରାଉତ କିଭଳି ଏହି ଘଟଣାକୁ ଜାଣିିପାରି ନଥିଲେ ।

ତାଙ୍କ ବଦଳି ଅର୍ଡର ଆସିବାରୁ ଏବଂ ଗଣ ମାଧ୍ୟମରେ ଖବର ପ୍ରକାଶ ପାଇବାରୁ ସେ ଶେଷ ମୂହୁର୍ତରେ ଜିଲ୍ଲାପାଳଙ୍କୁ ଏହାର ତଦନ୍ତ କରିବା ପାଇଁ ଚିଠି କରିଥିଲେ । ଯଦି ମୂଳରୁ ତତ୍କାଳୀନ ତହସିଲଦାର ଶ୍ରୀ ରାଉତ ଏହି ଘଟଣା ଉପରେ ଜୋର ଦେଇଥାଆନ୍ତେ ଏବଂ ତତ୍କାଳୀନ ଉପଜିଲ୍ଲାପାଳ ଶ୍ରୀ ପ୍ରଧାନ ତଦନ୍ତ କରି ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରଦାନ କରି ବିଭାଗୀୟ ସ୍ତରରେ ଏହାର ସମାଧାନ କରି ଜମି ମାଫିଆ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥାନ୍ତେ ତେବେ ସଦର ତହସିଲ ଅଞ୍ଚଳରେ ବହୁ ସରକାରୀ ଜମି ବଞ୍ଚିରହିଥାନ୍ତା ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking