28.1 C
Bhubaneswar
Wednesday, April 24, 2024
Homeଖେଳଅଣ୍ଡର୍‌-୧୯ ମହିଳା ଦିନିକିଆ ଟ୍ରଫି : କେରଳ ବିପକ୍ଷରେ ଓଡ଼ିଶାର ବଡ଼ ବିଜୟ

ଅଣ୍ଡର୍‌-୧୯ ମହିଳା ଦିନିକିଆ ଟ୍ରଫି : କେରଳ ବିପକ୍ଷରେ ଓଡ଼ିଶାର ବଡ଼ ବିଜୟ

କଟକ: ଆସାମର ଗୌହାଟୀଠାରେ ଆରମ୍ଭ ହୋଇଥିବା ୧୯ ବର୍ଷରୁ କମ୍ ମହିଳା ଦିନିକିଆ ଟ୍ରଫିରେ ଓଡ଼ିଶା ତା’ର ପ୍ରଥମ ମ୍ୟାଚ୍‌ରେ ବିଜୟୀ ହୋଇଛି । ଦଳ କେରଳକୁ ବୃହତ୍ ୬ ୱିକେଟ୍ ବ୍ୟବଧାନରେ ପରାସ୍ତ କରି ପୂର୍ଣ୍ଣ ପଏଣ୍ଟ୍ ଅର୍ଜନ କରିଛି । ଏହି ମ୍ୟାଚ୍‌ରେ କେରଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ ହେଁ ଓଡ଼ିଶା ବୋଲରଙ୍କ ମାପଚୁପ ପ୍ରଦର୍ଶନ ସେମାନଙ୍କୁ ସହଜରେ ରନ୍ ସଂଗ୍ରହ କରିବାକୁ ଦେଇ ନ ଥିଲା । ଫଳସ୍ୱରୂପ କେରଳ ୩୮ତମ ଓଭର୍‌ରେ ମାତ୍ର ୯୬ ରନ୍ କରି ଅଲ୍‌ଆଉଟ୍ ହୋଇଯାଇଥିଲା । ଦଳ ପକ୍ଷରୁ କେବଳ ୩ ଜଣ ବ୍ୟାଟ୍ସଓମ୍ୟାନ୍ ୨ ଅଙ୍କରେ ପହଞ୍ଚିପାରିଥିଲେ । ଅଲୀନା ସୁରେନ୍ଦ୍ରନ୍ ୪ଟି ଚୌକା ସହ ସର୍ବାଧିକ ୧୮ ଏବଂ ଜିସ୍ନା ଯୋସେଫ୍ ଗୋଟିଏ ଚୌକା ଓ ଶ୍ରୁତି ଟିପି ଦୁଇଟି ଚୌକା ସହାୟତାରେ ୧୨ ରନ୍ ଲେଖାଏଁ କରିଥିଲେ ।

ତେବେ ଓଡ଼ିଶା ବୋଲର୍‌ମାନେ ଅତିରିକ୍ତ ୨୨ ରନ୍ ବ୍ୟୟ କରିବା ଫଳରେ କେରଳ ୯୬ ପର୍ଯ୍ୟନ୍ତ ପହଞ୍ଚିପାରିଥିଲା । ଓଡ଼ିଶା ପକ୍ଷରୁ ତନ୍ମୟୀ ବେହେରା, ରାନୀ କୁମାରୀ ପ୍ରସାଦ ଓ ଜିଏମ୍ ଅଳକାନନ୍ଦା ୨ଟି ଲେଖାଏଁ ଏବଂ ତରାନା ପ୍ରଧାନ, କଳ୍ନା ନାୟକ ଓ ସୂର୍ଯ୍ୟସ୍ନାତା ସ୍ୱାଇଁ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଜବାବରେ ଓଡ଼ିଶା ମାତ୍ର ୩୩.୧ ଓଭର୍‌ରେ ୪ଟି ୱିକେଟ୍ ହରାଇ ବିଜୟ ଲକ୍ଷ୍ୟରେ ପହଞ୍ଚିଯାଇଥିଲା । ଦଳ ପକ୍ଷରୁ ଅଲିପ୍ପା ବିଶ୍ୱାଳ ସର୍ବାଧିକ ଅପରାଜିତ ୩୦ ରନ୍ କରିଥିଲେ, ଯେଉଁଥିରେ ୫ଟି ଚୌକା ଅନ୍ତର୍ଭୁକ୍ତ ଥିଲା । ଏହାଛଡ଼ା ସ୍ୱର୍ଣ୍ଣଲତା ନାୟକ ୨ଟି ଚୌକା ସହ ୧୮ ରନ୍ କରି ଅପରାଜିତ ଥିବା ବେଳେ ଓପନର ତଥା ଅଧିନାୟିକା ଶୁଭ୍ରା ନିର୍ଝରିଣୀ ସ୍ୱାଇଁ ୩ଟି ଚୌକା ସହ ୧୪ ଓ କୁସୁମ ତିରିୟା ୨ଟି ଚୌକା ସହ ୧୧ ରନ୍ କରିଥିଲେ । କେରଳ ବୋଲର୍‌ମାନେ ମଧ୍ୟ ଓଡ଼ିଶା ବୋଲର୍‌ଙ୍କ ପରି ୨୨ ରନ୍ ଅତିରିକ୍ତ ଭାବେ ବ୍ୟୟ କରିଥିଲେ । କେରଳ ପକ୍ଷରୁ ଅଧିନାୟିକା ସୌରଭ୍ୟା ପି ୨ଟି ଏବଂ ଅଜନ୍ୟା ଟିପି ଓ ଦୀୟା ଗିରୀଶ ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ । ଓଡ଼ିଶା ତା’ର ଦ୍ୱିତୀୟ ମ୍ୟାଚ୍‌ରେ ବୁଧବାର ହିମାଚଳ ପ୍ରଦେଶକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking