34.1 C
Bhubaneswar
Friday, March 29, 2024
Homeଦେଶ ବିଦେଶବିଦ୍ରୋହୀଙ୍କୁ ଉଦ୍ଧବଙ୍କ ଭାବପୂର୍ଣ୍ଣ ନିବେଦନ: ‘ମୁମ୍ବାଇ ଫେରିଆସ, ସମାଧାନର ରାସ୍ତା ଖୋଜିବା’

ବିଦ୍ରୋହୀଙ୍କୁ ଉଦ୍ଧବଙ୍କ ଭାବପୂର୍ଣ୍ଣ ନିବେଦନ: ‘ମୁମ୍ବାଇ ଫେରିଆସ, ସମାଧାନର ରାସ୍ତା ଖୋଜିବା’

ମୁମ୍ବାଇ: ମହାରାଷ୍ଟ୍ରର ମେଣ୍ଟ ସରକାର ବିରୋଧରେ ଚାଲିଥିବା ରାଜନୈତିକ ବିବାଦ ସୁପ୍ରିମକୋର୍ଟରେ ବିଚାରାଧୀନ ଥିବାବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କିନ୍ତୁ ସମାଧାନ ପାଇଁ ନିରନ୍ତର ପ୍ରୟାସ ଜାରି ରଖିଛନ୍ତି । ଏକନାଥ ସିନ୍ଧେଙ୍କ ନେତୃତ୍ୱରେ ରାଜ୍ୟ ବାହାରେ ଡେରା ପକାଇଥିବା ବିଦ୍ରୋହୀ ବିଧାୟକଙ୍କ ସମ୍ପର୍କରେ ଶିବସେନାର ଅନ୍ୟ ନେତାମାନେ ଉତ୍ତେଜକ ମନ୍ତବ୍ୟ ଦେଉଥିବାବେଳେ ଉଦ୍ଧବ ଏକପ୍ରକାର ଅସହାୟ ହୋଇପଡିଛନ୍ତି । ବିଦ୍ରୋହୀଙ୍କୁ ମନାଇବାକୁ ଉଦ୍ଧବ ମଙ୍ଗଳବାର ଏକ ଭାବପୂର୍ଣ୍ଣ ନିବେଦନ କରିଛନ୍ତି । ତୁରନ୍ତ ମୁମ୍ବାଇ ଫେରିଆସି ଆଲୋଚନା ମାଧ୍ୟମରେ ସଙ୍କଟର ସମାଧାନ କରିବାକୁ ଉଦ୍ଧବ ତାଙ୍କ ଚିଠିରେ ବିଦ୍ରୋହୀ ବିଧାୟକଙ୍କୁ ଅନୁରୋଧ କରିଛନ୍ତି । ଉଦ୍ଧବଙ୍କ ଶିବିରରେ ଥିବା ୧୫ ଜଣ ଶିବସେନା ବିଧାୟକ କହିଛନ୍ତି ଯେ ଯଦି ସିନ୍ଧେ ଗୋଷ୍ଠୀ ମୁମ୍ବାଇ ଫେରିଆସି ମୁଖ୍ୟମନ୍ତ୍ରୀଙ୍କ ସହ ମୁହାଁମୁହିଁ ଆଲୋଚନା କରିବେ, ତେବେ ସମାଧାନର ବାଟ ନିଶ୍ଚିତଭାବେ ଫିଟିବ ।

ସୂଚନାଯୋଗ୍ୟ କଂଗ୍ରେସ ଓ ଏନ୍‌ସିପି ସହ ମେଣ୍ଟ କରି ଶିବସେନା ବର୍ତ୍ତମାନ ମହାରାଷ୍ଟ୍ରରେ ସରକାର ଚଳାଉଛି । ତେବେ କଂଗ୍ରେସ ଓ ଏନ୍‌ସିପି ପରିବର୍ତ୍ତେ ବିଜେପି ସହ ମେଣ୍ଟ କରିବାକୁ ସିନ୍ଧେ ଗୋଷ୍ଠୀ ଜିଦ୍ ଧରିଛନ୍ତି । ୨୦୧୯ ପୂର୍ବରୁ ବିଜେପି ସହ ଶିବସେନାର ପ୍ରାୟ ୩୦ ବର୍ଷର ସମ୍ପର୍କ ରହିଥିଲା । ୨୦୧୯ ବିଧାନସଭା ନିର୍ବାଚନ ପରେ ଶରଦ ପୱାରଙ୍କ ମନ୍ତ୍ରଣା ଯୋଗୁଁ ରାଜ୍ୟରେ ବିଜେପି-ଶିବସେନା ମେଣ୍ଟର ଯବନିକା ପଡିଥିଲା । ଯାହାଫଳରେ ଉଦ୍ଧବଙ୍କୁ ସଖୀ କଣ୍ଢେଇ କରି କଂଗ୍ରେସ ଓ ଏନ୍‌ସିପି ଅନୁଚିତ ଫାଇଦା ଉଠାଉଛନ୍ତି ବୋଲି ସିନ୍ଧେ ଗୋଷ୍ଠୀ ଅଭିଯୋଗ କରିଛନ୍ତି । ଶିବସେନା ବର୍ତ୍ତମାନ ହିନ୍ଦୁତ୍ୱ ପ୍ରସଙ୍ଗରୁ ସମ୍ପୂର୍ଣ୍ଣ ଦୁରେଇ ଯାଇଛି ଏବଂ ମେଣ୍ଟର ଅନ୍ୟ ଦୁଇ ଦଳ ଆଗରେ କ୍ରୀଡନକ ସାଜିଥିବା ସେମାନେ ଅଭିଯୋଗ କରିଛନ୍ତି । ସୁପ୍ରିମକୋର୍ଟ ସୋମବାର ଏହି ପ୍ରସଙ୍ଗରେ ଆଗତ ଏକ ମାମଲାର ଶୁଣାଣି କରି ବିଦ୍ରୋହୀ ବିଧାୟକଙ୍କୁ ଜୁଲାଇ ୧୨ ପର୍ଯ୍ୟନ୍ତ ମହଲତ ଦେଇଛନ୍ତି । ସେତେଦିନ ପର୍ଯ୍ୟନ୍ତ ଏହି ବିଧାୟକଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇପାରିବନି କିମ୍ବା ବିଧାନସଭାରେ ଆସ୍ଥାଭୋଟ ଅନୁଷ୍ଠିତ ହେବନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking