ଇସଲାମାବାଦ: ପାକିସ୍ତାନର ପେଶୱାରରେ ୨ ଶିଖଙ୍କୁ ଗୁଳିକରି ହତ୍ୟା କରାଯାଇଛି । ସମ୍ପୃକ୍ତ ଦୁଇ ଶିଖ୍ ଯୁବକ ବାଡା ବଜାରରେ ଅବସ୍ଥିତ ସେମାନଙ୍କ ଦୋକାନ ଭିତରେ ବସିଥିବା ସମୟରେ ଦୁଇଜଣ ଦୁର୍ବୃତ୍ତ ବାଇକ୍ ଯୋଗେ ଆସି ସେମାନଙ୍କ ଦୋକାନ ଭିତରେ ପଶିବା ସହ ଦୁଇଜଣଙ୍କୁ ଅତର୍କିତ ଗୁଳିଚାଳନା କରିଥିଲେ । ଫଳରେ ସମ୍ପୃକ୍ତ ଶିଖ୍ ଯୁବକ ଦ୍ୱୟ ସେହିଠାରେ ହିଁ ଟଳି ପଡ଼ିଥିଳେ । ସେମାନେ ହେଲେ କୁଲଜିତ ସିଂ (୪୨) ଏବଂ ରଣଜିତ ସିଂ (୩୮) । ବର୍ତ୍ତମାନ ସୁଦ୍ଧା ହତ୍ୟାକାରୀଙ୍କ ପରିଚୟ ମିଳିପାରି ନଥିବା ବେଳେ ପୋଲିସ୍ ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ହତ୍ୟାକାରୀଙ୍କ ସନ୍ଧାନରେ ପେଶୱାରରେ ପୋଲିସ ସର୍ଚ୍ଚ ଅପରେସନ ଜାରି ରଖିଛି। ଘଟଣା ପରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଖେବର ପଖ୍ତୁନୱାହ ପ୍ରଦେଶର ମୁଖ୍ୟମନ୍ତ୍ରୀ ମହମୁଦ ଖାନ ପୋଲିସ ଠାରୁ ଜବାବ ତଳବ କରିଛନ୍ତି । ଖାନ କହିଛନ୍ତି ଯେ ଏହି ଘଟଣା ଅତ୍ୟନ୍ତ ଦୁଃଖଦ ଏବଂ ହତ୍ୟାକାରୀମାନେ ଏଥିରୁ କେବେ ବି ବର୍ତ୍ତି ପାରିବେ ନାହିଁ ।
ଏହାପୂର୍ବରୁ ନିଜେ ପେଶୱାରରେ ସତ୍ୟନମ ସିଂ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା। ପ୍ରାୟ ୭ ମାସ ପୂର୍ବରୁ ଘଟିଥିବା ଏହି ହତ୍ୟାକାଣ୍ଡ ବିଷୟରେ ଏ ପର୍ଯ୍ୟନ୍ତ କୌଣସି ଠୋସ୍ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ପାକିସ୍ତାନୀ ପୋଲିସ ଆଜି ପର୍ୟ୍ୟନ୍ତ ହତ୍ୟାକାରୀମାନଙ୍କୁ ଖୋଜି ପାରି ନାହିଁ। ବିଜେପି ନେତା ମଞ୍ଜନ୍ଦର ସିର୍ସା କହିଛନ୍ତି ଯେ ପେଶୱାର ଛାଡିବାକୁ ପାକିସ୍ତାନର ଶିଖମାନଙ୍କୁ ଭୟଭୀତ କରାଯାଉଛି । ପାକିସ୍ତାନ ସରକାରଙ୍କୁ ଏ ବିଷୟରେ ଅନେକ ଥର ପଚରାଯାଇଥିଲା କିନ୍ତୁ ସେମାନେ କୌଣସି ପଦକ୍ଷେପ ନେଉନାହାଁନ୍ତି। ପାକିସ୍ତାନରେ ଶିଖଙ୍କ ସଂଖ୍ୟା କମ୍, ତେଣୁ ସେମାନଙ୍କୁ ଅଣଦେଖା କରାଯାଉଥିବା ସେମାନେ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ମୁଁ ଏ ସମ୍ପର୍କରେ ବୈଦେଶିକ ମନ୍ତ୍ରଣାଳୟ ସହିତ କଥାବାର୍ତ୍ତା କରୁଛି। ଭାରତ ସରକାର ପାକିସ୍ତାନରେ ହାଇ କମିଶନଙ୍କ ନିକଟକୁ ଯିବା ଉଚିତ୍। ଏଥିସହ ସେ ପାକିସ୍ତାନର ରାଷ୍ଟ୍ରଦୂତଙ୍କୁ ଡକାଇବାକୁ ଦାବି କରିଛନ୍ତି।