ନିଶା ବଟିକା ଜବତ : ୨ ଗିରଫ

ନୂଆପଡ଼ା : ବେଆଇନ ଭାବେ ନିଶା ବଟିକା ବିକ୍ରି କରୁଥିବା ଅଭିଯୋଗରେ ନୂଆପଡ଼ା ଜିଲ୍ଲା କୋମନା ପୁଲିସ ୨ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତମାନେ ହେଲେ ମହୁଲଭଟା ଗାଁର ସୁଜିତ ଭୋଇ ଏବଂ କୁରେଶ୍ୱର ଗାଁର ରମେଶ କେତକି । କୋମନାଠାରୁ ପ୍ରାୟ ୫ କିଲୋମିଟର ଦୂର ମହୁଲଭଟା ନିକଟରେ ନିଶା ବଟିକା ବିକ୍ରି ଚାଲିଥିବା ନେଇ ଥାନା ଅଧିକାରୀ ନିର୍ମଳ ଚନ୍ଦ୍ର ପାଣିଗ୍ରାହୀଙ୍କ ନିର୍ଦ୍ଦେଶରେ ଏକ ପୁଲିସ ଟିମ୍ ମହୁଲଭଟା ଛକ ନିକଟରେ ଚଢ଼ଉ କରିଥିଲେ । ସେଠାରୁ ସୁଜିତ ଓ ରମେଶଙ୍କୁ ପୁଲିସ ଗିରଫ କରିବା ସହ ତାଙ୍କଠାରୁ ୫୬୦ଟି ନିଶା ବଟିକା ଜବତ କରିଛି । କୋମନା ଓ ଏହାର ଆଖପାଖ ଅଞ୍ଚଳରେ ବହୁଦିନ ହେବ ବେଆଇନ କଫ୍ ସିରପ୍ ଓ ନିଶା ବଟିକା ବେପାର ଚାଲିଛି । କଫ୍ ସିରପ୍ ପରେ ଏବେ ଅଞ୍ଚଳରେ ନିଶା ବଟିକା ବେପାର କାୟାବିସ୍ତାର କରିଚାଲିଛି । ପୁଲିସକୁ ଚକମା ଦେଇ ନିଶାବେପାରୀ ଚୋରାରେ ବେପାର କରିବାକୁ ଭିନ୍ନ ଭିନ୍ନ ଉପାୟ ଆପଣାଉଛନ୍ତି ।