37.1 C
Bhubaneswar
Saturday, April 20, 2024
Homeଓଡିଶା୨୩ ଆଜୀବନ କଏଦୀଙ୍କୁ ମିଳିଲା ମୁକ୍ତି

୨୩ ଆଜୀବନ କଏଦୀଙ୍କୁ ମିଳିଲା ମୁକ୍ତି

ଭୁବନେଶ୍ୱର:  ବ୍ୟବହାର ଓ ଆଚରଣରେ ପରିବର୍ତ୍ତନ ହୋଇଥିବା ଆଜୀବନ କଏଦୀଙ୍କୁ ମୁକ୍ତି ମିଳିବ । ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ରାଜ୍ୟର ୧୪ଟି ଜେଲ୍‌ରୁ ୨୩ଜଣ କଏଦୀ ମୁକୁଳିବେ । ଏନେଇ ଜେଲ୍ ନିର୍ଦ୍ଦେଶାଳୟ ପକ୍ଷରୁ ଶୁକ୍ରବାର ଏକ ପ୍ରେସ୍ ଇସ୍ତାହାରରେ ଘୋଷଣା ହୋଇଛି । ଆସନ୍ତା ୨ରୁ ୩ଦିନ ମଧ୍ୟରେ ଏହି କଏଦୀ ବାହାରିବେ । ଏନେଇ ସମସ୍ତ ଜେଲ୍ ସୁପରିଟେଣ୍ଡେଣ୍ଟ୍‌ଙ୍କୁ ଜେଲ୍ ବିଭାଗ ପକ୍ଷରୁ ଚିଠି କରାଯାଇଛି । ବାରିପଦା ଓ ଭବାନୀପାଟଣା ଜେଲ୍‌ରୁ ୩ଜଣ ଲେଖାଏଁ କଏଦୀ ମୁକୁଳିବେ । ଏହାସହ ଚୌଦ୍ୱାର, ରାଉରକେଲା, କୋଟପାଡ଼ ଓ ବ୍ରହ୍ମପୁର ଜେଲ୍‌ରୁ ୨ଜଣ ଲେଖାଏଁ କଏଦୀ ମୁକୁଳିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ।

ସେହିପରି କୋରାପୁଟ, ରଣପୁର, ବଲାଙ୍ଗିର, ଜାମୁଝରୀ ମୁକ୍ତାକାଶ ଜେଲ୍‌, ପଦ୍ମପୁର, ସୁନ୍ଦରଗଡ଼, ସୋହେଲା ଏବଂ ସମ୍ବଲପୁର ଜେଲରୁ ଜଣେ ଲେଖାଏଁ କଏଦୀ ମୁକୁଳିବେ । ଏହି କଏଦୀମାନେ ଆଜୀବନ ସଜ୍ଜା ଭୋଗୁଥିବାବେଳେ ସେମାନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଥିବାରୁ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ କମିଟିର ଆବେଦନକୁ ରାଜ୍ୟପାଳ ଅନୁମୋଦନ ପ୍ରଦାନ କରିଛନ୍ତି । ସୂଚନା ଅନୁଯାୟୀ, ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ କମିଟିର ଅଧ୍ୟକ୍ଷ ଭାବେ ଗୃହସଚିବ ଅଛନ୍ତି । ଏଥିସହ କମିଟିର ସଦସ୍ୟଭାବେ ଆଇନ ସଚିବ, ଗୃହ ବିଭାଗର ପ୍ରମୁଖ ସଚିବ, ଖୋର୍ଦ୍ଧା ଜିଲ୍ଲା ଜଜ୍‌, ଏଡିଜି କ୍ରାଇମବ୍ରାଞ୍ଚ ଏବଂ ଜେଲ ଡିଜି ସଦସ୍ୟଭାବେ କାର୍ଯ୍ୟ କରିଥାନ୍ତି ।

ଜେଲ୍‌ରେ ଦୀର୍ଘଦିନ ଧରି ଆଜୀବନ ସଜ୍ଜା କାଟୁଥିବା କଏଦୀଙ୍କ ସଜ୍ଜା ଅବଧି ୧୪ବର୍ଷ ଅତିକ୍ରମ କରିବା ପରେ ସେମାନଙ୍କ ବ୍ୟବହାରରେ କେତେଟା ପରିବର୍ତ୍ତନ ହୋଇଛି, ସେମାନେ ପାରୋଲରେ ଯାଇଥିବା ସମୟରେ କୌଣସି ଅପରାଧୀକ କାର୍ଯ୍ୟକଳାପରେ ଜଡ଼ିତ ଅଛନ୍ତି କି ନାହାନ୍ତି, ଠିକ୍ ସମୟରେ ପାରୋଲ ଅବଧି ସାରି ଜେଲ ଫେରିଛନ୍ତି କି, ଏସବୁ ଜିନିଷକୁ ବିଚାରକୁ ନେଇ ଷ୍ଟେଟ୍ ସେଣ୍ଟେନ୍ସ ରିଭ୍ୟୁ କମିଟି କଏଦୀମାନଙ୍କୁ ଜେଲରୁ ମୁକୁଳାଇବା ପାଇଁ ରାଜ୍ୟସରକାରଙ୍କୁ ପତ୍ର ଲେଖିଥାନ୍ତି । ସରକାରଙ୍କ ଅନୁମୋଦନକ୍ରମେ ଏହା ରାଜ୍ୟପାଳଙ୍କ ନିକଟକୁ ଯାଇଥାଏ । ପରେ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ କଏଦୀଙ୍କୁ ଜେଲରୁ ଛଡ଼ା ଯାଇଥାଏ । ପୂର୍ବରୁ ଗତ ଜୁନ୍ ୨୧ତାରିଖରେ ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ମୋଟ୍ ୧୬ଜଣ କଏଦୀ ରାଜ୍ୟର ବିଭିନ୍ନ ଜେଲରୁ ମୁକୁଳିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking