ପାକିସ୍ତାନରେ ୧୨ ଆତଙ୍କବାଦୀ ସଂଗଠନ ସକ୍ରିୟ

ୱାଶିଂଟନ: ପାକିସ୍ତାନ ସବୁବେଳେ ଆତଙ୍କବାଦୀଙ୍କ ପାଇଁ ଅଭୟାରଣ୍ୟ ପାଲଟିଛି, ଏହି ଉକ୍ତି ସତ୍ୟତା ଏକାଧିକବାର ପ୍ରମାଣିତ ହୋଇସାରିଛି । ଭାରତଠାରୁ ଆରମ୍ଭ କରି ଜାତିସଂଘ ପର୍ଯ୍ୟନ୍ତ, ସବୁଠି ଏହି ଚର୍ଚ୍ଚା ଚାଲିଥିବାବେଳେ ପାକିସ୍ତାନ କିନ୍ତୁ ଏହାକୁ ଖଣ୍ଡନ କରିଆସୁଛି । ଆମେରିକା ସଂସଦ (କଂଗ୍ରେସ) ପକ୍ଷରୁ ପ୍ରକାଶିତ ରିପୋର୍ଟ ଅନୁଯାୟୀ ବର୍ତ୍ତମାନ ପାକିସ୍ତାନ ମାଟିରେ ୧୨ଟି ଆତଙ୍କବାଦୀ ସଂଗଠନ ସକ୍ରିୟ ରହିଛନ୍ତି । ନିକଟରେ ଆମେରିକାରେ ଅନୁଷ୍ଠିତ କ୍ୱାଡ୍ ବୈଠକ ଅବସରରେ ଏହି ରିପୋର୍ଟକୁ ସାର୍ବଜନୀନ କରାଯାଇଛି । ଏଗୁଡିକ ମଧ୍ୟରେ ଲସ୍କର-ଇ-ତୋଇବା, ଜୈସ-ଇ-ମହମ୍ମଦ, ହିଜବୁଲ ମୁଜାହିଦ୍ଦିନ ଅନ୍ୟତମ । ଏହି ୧୨ଟି ଆତଙ୍କବାଦୀ ସଂଗଠନକୁ ୫ ଭାଗରେ ବିଭକ୍ତ କରାଯାଇଛି । ସେଗୁଡିକ ହେଲା (୧) ଗ୍ଲୋବାଲ ଓରିଏଣ୍ଟେଡ୍‌, (୨) ଆଫ୍‌ଗାନ ଓରିଏଣ୍ଟେଡ୍‌, (୩) ଇଣ୍ଡିଆ-କଶ୍ମୀର ଓରିଏଣ୍ଟେଡ୍‌, (୪) ପାକ୍ ଓରିଏଣ୍ଟେଡ୍ (ଆଭ୍ୟନ୍ତରୀଣ) ଓ (୫) ସାଂପ୍ରଦାୟିକ (ସିହା ବିରୋଧୀ) ।

୧୯୮୦ରେ ସ୍ଥାପିତ ଲସ୍କର-ଇ-ତୋଇବାକୁ ୨୦୦୧ରେ ଫରେନ ଟେରରିଷ୍ଟ ଅର୍ଗାନାଇଜେସନ (ଏଫ୍‌ଟିଓ) ଭାବେ ମାନ୍ୟତା ପ୍ରଦାନ କରାଯାଇଛି । ୨୦୦୮ରେ ମୁମ୍ବାଇରେ ଅନୁଷ୍ଠିତ ଲୋମହର୍ଷଣକାରୀ ଆକ୍ରମଣ ସମେତ ଏକାଧିକ ଆକ୍ରମଣକୁ ଲସ୍କର ଆତଙ୍କବାଦୀ କାର୍ଯ୍ୟକାରୀ କରିଛନ୍ତି । କଶ୍ମୀର ବାସିନ୍ଦା ମାସୁଦ ଅରାଜାର ଦ୍ୱାରା ୨୦୦୦ରେ ଜୈସ୍‌-ଇ-ମହମ୍ମଦ ସଂଗଠନ ପ୍ରତିଷ୍ଠା କରାଯାଇଥିଲା । ୨୦୦୧ରେ ଏହାକୁ ଏଫ୍‌ଟିଓ ମାନ୍ୟତା ମିଳିଥିଲା । ଲସ୍କର ଓ ଜୈସ୍ ଆତଙ୍କବାଦୀମାନେ ମିଳିତଭାବେ ୨୦୦୧ରେ ଭାରତର ସଂସଦ ଉପରେ ଆକ୍ରମଣ କରିଥିଲେ । ଜୈସ୍ ପକ୍ଷରୁ ଅତୀତରେ ଆମେରିକା ବିରୋଧରେ ମଧ୍ୟ ଯୁଦ୍ଧଂ ଦେହି ଡାକରା ଦିଆଯାଇଥିଲା ।

ଅଶୀ ଦଶକରେ ଆଫଗାନିସ୍ତାନରେ ତତ୍କାଳୀନ ସୋଭିଏତ ସଂଘର ମୁକାବିଲା କରିବାକୁ ହୁଜି (ଅରକତ୍ ଉଲ୍ ଜିହାଦ ଇସଲାମୀ) ସଂଗଠନ ଗଠିତ ହୋଇଥିଲା । ୧୯୮୯ରେ ଏହି ସଂଗଠନକୁ ଭାରତ ବିରୋଧୀ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ୨୦୧୦ରେ ଏହା ଏଫ୍‌ଟିଓ ମାନ୍ୟତା ପାଇଥିଲା । ବର୍ତ୍ତମାନ ଆଫଗାନିସ୍ତାନ, ପାକିସ୍ତାନ, ଭାରତ ଓ ବାଂଲାଦେଶରେ ହୁଜି ସଂଗଠନ ସକ୍ରିୟ ରହିଛି । କଶ୍ମୀରକୁ ପାକିସ୍ତାନରେ ମିଶ୍ରଣ କରିବା ଲକ୍ଷ୍ୟରେ ଏହି ସଂଗଠନ ଅନ୍ୟମାନଙ୍କ ସହ ହାତି ମିଳାଇଛି । ୧୯୮୯ରେ ହିଜ୍‌ବୁଲ ସଂଗଠନ ପ୍ରତିଷ୍ଠା କରାଯାଇଥିବାବେଳେ ଏହା ମୁଖ୍ୟତଃ ପାକ୍ ଅଧିକୃତ କଶ୍ମୀର (ପିଓକେ)ରୁ ଏହାର କାର୍ଯ୍ୟକଳାପ ଜାରି ରଖିଛି । ପାକିସ୍ତାନ ମାଟିରେ ଅଲ୍‌କାଏଦା, ଇସ୍‌ଲାମିକ୍ ଷ୍ଟେଟ୍ ଖୋରାସାନ ପ୍ରଭିନ୍ସ, ହକ୍କାନି ନେଟ୍‌ୱର୍କ, ତେହେରିକ୍‌-ଇ-ତାଲିବାନ, ବାଲୋଚିସ୍ତାନ ଲିବରେସନ ଆର୍ମି, ଲସ୍କର-ଇ-ଜଙ୍ଗ୍‌ଭି ସଂଗଠନ ମଧ୍ୟ ସେମାନଙ୍କର ଆତଙ୍କୀ କାର୍ଯ୍ୟକଳାପ ଜାରି ରଖିଛନ୍ତି ।

LEAVE A REPLY

Please enter your comment!
Please enter your name here