34.1 C
Bhubaneswar
Thursday, March 28, 2024
Homeଓଡିଶାଟ୍ୟୁସନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଟ୍ୟୁସନ କଲେ କଠୋର କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର (ଓଡ଼ିଶା ନ୍ୟୁଜଏଜେନ୍ସି): କଲେଜ ଶିକ୍ଷକ ମାନଙ୍କ ପାଇଁ ଏବେ କଡ଼ା ସତର୍କବାଣୀ । ସରକାର ଏଣିକି ସେମାନଙ୍କର ପ୍ରତ୍ୟେକ କାର୍ଯ୍ୟ ଉପରେ ନଜର ରଖିବେ । କୌଣସି ଅଧ୍ୟାପକ ଆଉ ଘରୋଇ ଟ୍ୟୁସନ କିମ୍ବା କୋଚିଂ ସେଣ୍ଟରରେ ଯାଇ ପାଠପଢ଼ାଇ ପାରିବେ ନାହିଁ । ଏଭଳି ଏକ କଡ଼ାକଡ଼ି ନିୟମ ସରକାର ପ୍ରଣୟନ କରିବାକୁ ଯାଉଛନ୍ତି । ଅବଶ୍ୟ ପୂର୍ବରୁ ସରକାର ଏଭଳି କଟକଣା ଜାରି କରିଥିଲେ ମଧ୍ୟ ତାହା ଫେଲ ମାରିଥିଲା । କିନ୍ତୁ ଏଥରର ନବୀନ ପଟ୍ଟନାୟକଙ୍କ ସରକାର ନୂଆଢ଼ଙ୍ଗରେ ୫ମ ପାଳି କାର୍ଯ୍ୟ ଆରମ୍ଭ କରିଥିବାରୁ ଏ କ୍ଷେତ୍ରରେ ମଧ୍ୟ କଠୋର ଆଭିମୁଖ୍ୟ ପ୍ରଣୟନ କରିବାକୁ ନିଷ୍ପତି ନେଇଛନ୍ତି । ଆଉ ଅଧ୍ୟାପକ ମାନେ କଲେଜରେ ପାଠ ନ ପଢ଼ାଇ ଟ୍ୟୁସନ ଓ କୋଚିଂରେ ଯେଉଁ ସମୟ ଦେଉଛନ୍ତି ତାହା ଆଉ ହୋଇପାରିବ ନାହିଁ । ସରକାରୀ ଓ ଅନୁଦାନପ୍ରାପ୍ତ କଲେଜ ଗୁଡ଼ିକରେ ପାଠପଢ଼ାର ମାନ ହ୍ରାସ ପାଇବା ଘଟଣାକୁ ନେଇ ସରକାର ଏଭଳି ପଦକ୍ଷେପ ନେବାକୁ ଯାଉଛନ୍ତି ବୋଲି ଦର୍ଶାଯାଉଛି ।
ଶିକ୍ଷା କ୍ଷେତ୍ରରେ ଅନେକ କିଛି ସଂସ୍କାର ଏବେ ରାଜ୍ୟସରକାର ଗ୍ରହଣ କରିବାକୁ ଯାଉଛନ୍ତି । ଉଚ୍ଚଶିକ୍ଷାମନ୍ତ୍ରୀ ଡକ୍ଟର ଅରୁଣ ସାହୁ ଦାୟିତ୍ୱ ନେବା ପରେ ନୂଆ ନୂଆ ପଦକ୍ଷେପ ଆପଣାଇବାକୁ ଉଦ୍ୟମ ଆରମ୍ଭ କରିଛନ୍ତି । ଶିକ୍ଷା କ୍ଷେତ୍ରର ବିକାଶ ପାଇଁ ବିଭିନ୍ନ ପଦକ୍ଷେପ ନେବାକୁ ଆରମ୍ଭ କରିଛନ୍ତି । କଲେଜକୁ ରାଜନୀତି ମୁକ୍ତକରିବା ପାଇଁ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଇଛି । ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପରେ ଏବେ ପରିଚାଳନା କମିଟିରେ କୌଣସି ରାଜନୈତିକ ବ୍ୟକ୍ତିକୁ ଆଉ ସଭାପତି ରଖାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । କେବଳ ଶିକ୍ଷାବିତ ମାନେ ହିଁ ସଭାପତି ରହିବେ ବୋଲି ମନ୍ତ୍ରୀ କହିଛନ୍ତି । ବିଧାୟକ, ପୂର୍ବତନ ବିଧାୟକଙ୍କୁ ଦଳୀୟ ଭିତ୍ତିରେ ଚୟନ କରାଯାଇ କଲେଜ ସଭାପତି କରାଯାଉଥିଲା । ବିଶେଷତଃ ଶାସକ ଦଳର ବିଧାୟକ ମାନେ ହିଁ ସଭାପତି ରହୁଥିଲେ । ଯେଉଁଠି ବିରୋଧୀ ଦଳ ଥାନ୍ତି ସେଠାରେ ପୂର୍ବତନ ବିଧାୟକଙ୍କୁ ଶିକ୍ଷାବିତ ଭାବରେ ଦର୍ଶାଇ ସଭାପତି ରଖାଯାଇଥାଏ । ଏବେ ଏସବୁ କ୍ଷେତ୍ରରେ ପରିବର୍ତ୍ତନ ଆଣିବାକୁ ନିଷ୍ପତ୍ତି କରାଯାଇଛି । ଯୁକ୍ତ ୩ କଲେଜ ପରିଚାଳନା କମିଟିରେ କୌଣସି ବିଧାୟକଙ୍କୁ ଆଉ ରଖାଯିବ ନାହିଁ । କମିଟିରେ ସଭାପତି ଭାବେ ଶିକ୍ଷାବିତ ରହିବେ । ଏ ନେଇ ଏକ ନିୟମାବଳୀ ପ୍ରସ୍ତୁତ କରାଯିବ । ଶିକ୍ଷା କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ଓ ପରିଚାଳନାଗତ ଦକ୍ଷତା ଥିବା ବ୍ୟକ୍ତିକୁ ପ୍ରାଧାନ୍ୟ ଦିଆଯିବ । ସମ୍ପୃକ୍ତ ଅଂଚଳର ବିଶିଷ୍ଟ ଶିକ୍ଷାବିତଙ୍କୁ ସଭାପତି ଚୟନ କରାଯିବ । ୨ରୁ ୩ ଜଣ ଅଭିଭାବକ ମଧ୍ୟ କମିଟିରେ ସଦସ୍ୟ ରହିବେ । ଏ ନେଇ ଖୁବଶୀଘ୍ର ବିଜ୍ଞପ୍ତିଜାରି ହେବ । ଅଧ୍ୟାପକ ଓ ଅଧ୍ୟାପିକା ଏବଂ କର୍ମଚାରୀଙ୍କ ମଧ୍ୟରୁ ଜଣେ ଲେଖାଏଁ ସଦସ୍ୟ ରଖାଯିବା ବ୍ୟବସ୍ଥା କରାଯାଇଛି । ବିଧାୟକ ନ ରହିଲେ ତାଙ୍କ ପ୍ରତିନିଧି ରହିବେ କି ନାହିଁ ସେ ବିଷୟରେ ସରକାର କୌଣସି ନିଷ୍ପତ୍ତି ନେଇ ନାହାଁନ୍ତି ।
ମନ୍ତ୍ରୀ କହିଛନ୍ତି ପାଠପଢ଼ାର ମାନ ବୃଦ୍ଧିକରିବା ପାଇଁ କୋଚିଂ ଓ ଟ୍ୟୁସନ ଉପରେ ପୁରା କଟକଣା ଜାରି କରାଯିବ । ଅଧ୍ୟାପକ ମାନେ ଆଉ ଏ ସବୁ କାର୍ଯ୍ୟ କରିପାରିବେ ନାହିଁ । ଏ ସମ୍ପର୍କରେ କୌଣସି ଅଧ୍ୟାପକଙ୍କ ବିରୋଧରେ ଅଭିଯୋଗ ଆସି ସରକାରଙ୍କ ପାଖରେ ପହଂଚିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ । ଆଇନ ଅନୁଯାୟୀ ଦଣ୍ଡ ବିଧାନ ମଧ୍ୟ କରାଯିବ । ଏ କ୍ଷେତ୍ରରେ ଜନମତକୁ ଗୁରୁତ୍ୱ ଦିଆଯିବ । ଅଭିଭାବକ, ଛାତ୍ରଛାତ୍ରୀ, ଗଣମାଧ୍ୟମ ପ୍ରତିନିଧି ଏଭଳି ଘଟଣାକୁ ସରକାର ନଜରକୁ ଆଣିବା ପାଇଁ ମନ୍ତ୍ରୀ ଶ୍ରୀ ସାହୁ ଆହ୍ୱାନ ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking