ନୂଆଦିଲ୍ଲୀ: ତ୍ରୀଷା ଜଲି ଓ ଗାୟତ୍ରୀ ଗୋପିଚାନ୍ଦିଙ୍କ ଉଦୀୟମାନ ଭାରତୀୟ ମହିଳା ଯୋଡ଼ି ସିଙ୍ଗାପୁର ଓପନ୍ ସୁପର୍ ୭୫୦ ବ୍ୟାଡ୍ମିଣ୍ଟନ୍ ଟୁର୍ଣ୍ଣାମେଣ୍ଟ୍ରେ ଆଉ ଏକ ବିପର୍ଯ୍ୟୟ ସୃଷ୍ଟି କରିଛି । ଏହି ଅଣସିଡେଡ୍ ଯୋଡ଼ି ଶୁକ୍ରବାର ସଂଘର୍ଷପୂର୍ଣ୍ଣ କ୍ୱାର୍ଟର୍ ଫାଇନାଲ୍ରେ ଷଷ୍ଠ ସିଡ୍ ଦକ୍ଷିଣ କୋରିଆର କିମ୍ ସୋ ୟେଓଙ୍ଗ୍ ଏବଂ କୋଙ୍ଗ ହି ୟଙ୍ଗ୍ଙ୍କୁ ହରାଇ ମହିଳା ଡବଲ୍ସ ସେମିଫାଇନାଲ୍ରେ ପ୍ରବେଶ କରିଛି । ଏହି ବିଜୟ ସହିତ ତ୍ରୀଷା-ଗାୟତ୍ରୀ ଚଳିତ ସିଜନ୍ର ପ୍ରଥମ ସେମିଫାଇନାଲ୍ ଖେଳିବେ । ଏହା ପୂର୍ବରୁ ଉଭୟ ୨୦୨୩ ଅଲ୍ ଇଂଲଣ୍ଡ ଓପନ୍ ସେମିଫାଇନାଲ୍ରେ ପହଞ୍ଚିଥିଲେ । ତେବେ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲେ । ଅଣସିଡେଡ୍ ଭାରତୀୟ ଯୋଡ଼ି ପ୍ରଥମ ଗେମ୍ ପରାଜୟ ପରେ ପ୍ରତ୍ୟାବର୍ତ୍ତନ କରି କୋରିଆ ଯୋଡ଼ିକୁ ୧୮-୨୧, ୨୧-୧୯, ୨୪-୨୨ରେ ହରାଇ ଦେଇଛି । ଏହି ମ୍ୟାଚ୍ ଏକ ଘଣ୍ଟା ୧୯ ମିନିଟ୍ ପର୍ଯ୍ୟନ୍ତ ଚାଲିଥିଲା । ଏହା ସହିତ ବିଶ୍ୱ ନଂ.୩୦ ତ୍ରୀଷା-ଗାୟତ୍ରୀ ଗତବର୍ଷ ହାଙ୍ଗ୍ଝୁ ଏସିଆନ୍ ଗେମ୍ସ ପରାଜୟର ପ୍ରତିଶୋଧ ନେଇଛନ୍ତି । ରାଜ୍ୟଗୋଷ୍ଠୀ ବ୍ରୋଞ୍ଜ୍ ବିଜେତା ତ୍ରୀଷା ଓ ଗାୟତ୍ରୀଙ୍କ ଯୋଡ଼ି ଗୁରୁବାର ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ବିଶ୍ୱ ନଂ.୨ ଯୋଡ଼ି କୋରିଆର ବାଏକ୍ ହା ନା ଓ ଲି ସୋ ହି’ଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଥିଲେ । ଶନିବାର ସେମିଫାଇନାଲ୍ରେ ତ୍ରୀଷା-ଗାୟତ୍ରୀ ଜାପାନର ନାମି ମାତ୍ସୁୟାମା-ଚିରାହୁ ଶିଦାଙ୍କ ଯୋଡ଼ିକୁ ଭେଟିବେ । ଟୁର୍ଣ୍ଣାମେଣ୍ଟ୍ରେ ତ୍ରୀଷା ଓ ଗାୟତ୍ରୀଙ୍କ ଯୋଡ଼ିକୁ ଛାଡ଼ିଦେଲେ ଅନ୍ୟ ଭାରତୀୟ ପ୍ରତିଯୋଗୀ ବିଦାୟ ନେଇସାରିଛନ୍ତି । ଗୁରୁବାର ପିଭି ସିନ୍ଧୁ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ସ୍ପେନ୍ର କାରୋଲିନ ମାରିନ୍ଙ୍କଠାରୁ ୨୧-୧୧, ୧୧-୨୧, ୨୦-୨୨ରେ ଏବଂ ପୁରୁଷ ପ୍ରି-କ୍ୱାର୍ଟର୍ ଫାଇନାଲ୍ରେ ଏଚ୍ଏସ୍ ପ୍ରଣୟ ଏକାଦଶ ସିଡ୍ ଜାପାନର କେଣ୍ଟା ନିଶିମୋତୋଙ୍କଠାରୁ ୧୩-୨୧, ୨୧-୧୫, ୧୫-୨୧ରେ ହାରି ବିଦାୟ ନେଇଥିଲେ ।