ସ୍ୱାସ୍ଥ୍ୟକେନ୍ଦ୍ରରେ ମିଳୁନି ଚିକିତ୍ସା 

ରାୟଗଡ଼ା : ସ୍ୱାସ୍ଥ୍ୟ ସେବା ଯୋଗାଇବା ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ବିଭିନ୍ନ ଯୋଜନା କରିଛନ୍ତି । ହେଲେ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଯୋଗୁଁ ଲୋକ ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ପାଇ ପାରୁନଥିବା ଅଭିଯୋଗ ହେଉଛି । ଏମିତି କିଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ରୁଗୁଡୁବାଇ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଦେଖିବାକୁ ମିଳିଛି । ଏଠାରେ ସ୍ୱାସ୍ଥ୍ୟ କର୍ମୀ, ଫାର୍ମାସିଷ୍ଟ ଓ ଡାକ୍ତର ଅଛନ୍ତି । ହେଲେ ଏଠି କାହାର ଦେଖା ମିଳେ ନାହିଁ । ଦୈନିକ କେବଳ ୩ ଘଣ୍ଟା ପାଇଁ ହିଁ ସ୍ୱାସ୍ଥ୍ୟକେନ୍ଦ୍ର ଖୋଲା ହୁଏ ତାପରେ ବନ୍ଦ । ଏପଟେ ୧୫ ଖଣ୍ଡ ଗାଁ ଲୋକ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରନ୍ତି । କିଏ ଘର ବାରଣ୍ଡା ତଳେ ଶୋଇଛି ତ ଆଉ କିଏ ବାରଣ୍ଡା ଖଟରେ ଶୋଇଛି । ଏ ହେଉଛି ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ୍ ରୁଗୁଡୁବାଇ ଗାଁର ଦୃଶ୍ୟ । ଜଣେ ବାର୍ଦ୍ଧକ୍ୟ ଜନିତ ଯୋଗୁଁ ଶୋଇ ଥିବା ବେଳେ ଅନ୍ୟ ଜଣେ ଦେହ ଗୋଡ ବ୍ୟଥା ବୋଲି ଶୋଇଛନ୍ତି । ଏପଟେ ଗାଁ ରେ ଥିବା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଆଗରେ ଲୋକଙ୍କ ଭିଡ । ମୁଖ୍ୟ ଫାଟକ ବନ୍ଦ ରହିବା ସହ ସ୍ୱାସ୍ଥ୍ୟ କେନ୍ଦ୍ରରେ ପଡିଛି ତାଲା । ଗତ କିଛି ମାସ ହେବ ଏଠି ଏମିତି ହିଁ ସ୍ୱାସ୍ଥ୍ୟସେବା ଚାଲିଛି । ବହୁବାର ଏନେଇ ବିଭିନ୍ନ ସମୟରେ ଗାଁ ଓ ଆଖପାଖ ଲୋକ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଥିବା ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ସମସ୍ତ କର୍ମଚାରୀ ରହିବା ନେଇ ଜଣାଇ ଥିଲେ ମଧ୍ୟ କିଛି ସୁଫଳ ମିଳୁନଥିବା ଅଭିଯୋଗ ହେଉଛି । ୧୯୯୮ ମସିହାରେ ସ୍ଥାପିତ ଏହି ଲୋକଙ୍କୁ ପ୍ରାଥମିକ ସ୍ୱାସ୍ଥ୍ୟ ଚିକିତ୍ସା ଯୋଗାଇବା ନେଇ ରୁଗୁଡୁବାଇରେ ଡାକ୍ତରଖାନା ଖୋଲାଯାଇଥିଲା । ଆଉ ଏହି କେନ୍ଦ୍ର ପାଇଁ ଡାକ୍ତର , ଫାର୍ମାସିଷ୍ଟ ଓ ସ୍ୱାସ୍ଥ୍ୟ ସେବିକା ମଧ୍ୟ ନିୟୋଜିତ ଅଛନ୍ତି । ଏମାନଙ୍କ ରହିବା ପାଇଁ ମଧ୍ୟ ସ୍ୱାସ୍ଥ୍ୟକେନ୍ଦ୍ର ଭିତରେ କ୍ୱାର୍ଟର ମଧ୍ୟ ରହିଛି ତେବେ ଏହି କ୍ୱାର୍ଟର୍ସରେ ବି ମଧ୍ୟ ତାଲା ଝୁଲିବା ସହ କେହି ରହୁନାହାନ୍ତି । ଫଳରେ ଏଠାକାର ଲୋକ ବିଭିନ୍ନ ସମୟରେ ସ୍ୱାସ୍ଥ୍ୟ ସେବା ପାଇବା ପାଇଁ ୧୫ କିମି ଦୂର ରାମନାଗୁଡା କିମ୍ବା ବିଷମକଟକ ଉପରେ ନିର୍ଭର କରନ୍ତି । ଫଳରେ ରୋଗୀ କ୍ୱାର୍କ ଦ୍ୱାରା ଚିକିତ୍ସା କରାଇବାକୁ ବାଧ୍ୟ ହେଉଛି । ରାଜ୍ୟ ସରକାର ଲୋକଙ୍କୁ ଚିକିତ୍ସା ସୁବିଧା ଯୋଗାଇଦେବା ପାଇଁ ମାଗଣା ସ୍ୱାସ୍ଥ୍ୟ ବୀମାକାର୍ଡ଼ ଯୋଗାଇଦେବା ନେଇ ଡିଣ୍ଡିମ ପିଟୁଛନ୍ତି ହେଲେ ଉପାନ୍ତ ଅଞ୍ଚଳରେ ଥିବା ସର୍ବନିମ୍ନ ସ୍ୱାସ୍ଥ୍ୟ ସେବା କେବେ ପାଇବେ ତାହା ଦୃଷ୍ଟିଦେବାକୁ ଦାବି ହେଉଛି । ତେବେ ଲୋକଙ୍କ ଅଭିଯୋଗ ପରେ ରାମନାଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅନିଲ କୁମାର ବେହେରାଙ୍କ ପ୍ରତିକ୍ରିୟାରେ କହିଛନ୍ତି ରୁଗୁଡୁବାଇ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର କୋଭିଡ୍ ଦାୟିତ୍ୱରେ ଅଛନ୍ତି । ଅନ୍ୟ କର୍ମଚାରୀମାନଙ୍କୁ ସେଠାରେ ରହିବା ପାଇଁ କୁହାଯାଇଥିଲା । ତେବେ କ’ଣ ପାଇଁ କର୍ମଚାରୀ ରହୁ ନାହାନ୍ତି ସେଇ ଅନୁଧ୍ୟାନ କରାଯିବ ବୋଲି କହିଛନ୍ତି । ଦଶନ୍ଧି ଦଶନ୍ଧି ଧରି ଲାଗି ରହିଥିବା ଏହି ସମସ୍ୟାର କେବେ ସମାଧାନ ହେବ ଆଉ ଲୋକେ କେବେ ଏହାର ସୁଫଳ ପାଇବେ ତାକୁ ହିଁ ଏବେ ଅପେକ୍ଷା କରିଛନ୍ତି ଅଞ୍ଚଳବାସୀ ।

LEAVE A REPLY

Please enter your comment!
Please enter your name here