ଭୁବନେଶ୍ବର : ଆଜି ଠାରୁ ରାଜ୍ୟ ଭିତରେ ଗଡ଼ିବ ସ୍ୱତନ୍ତ୍ର ଟ୍ରେନ୍ । ପ୍ରଥମ ପର୍ଯ୍ୟାୟରେ ରାଜ୍ୟ ଭିତରେ ୬ଟି ଟ୍ରେନ୍ ଚଲାଇବାକୁ ପୂର୍ବତଟ ରେଳପଥ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଏହି ସ୍ୱତନ୍ତ୍ର ଟ୍ରେନ୍ଗୁଡ଼ିକ ଜୁନ୍ ୮ ରୁ ୩୦ ତାରିଖ ପର୍ଯ୍ୟନ୍ତ ଚଳାଚଳ କରିବ। ଶନିବାର ଓ ରବିବାର ରାଜ୍ୟର ୧୧ଟି ଜିଲ୍ଲାକୁ ସଟ୍ଡାଉନ୍ ଘୋଷଣା କରାଯାଇଥିବାରୁ ଏହି ଦୁଇ ଦିନ ଟ୍ରେନ୍ ଚାଲିବ ନାହିଁ। ତେବେ କୋରାପୁଟରୁ ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ରବିବାର କୋରାପୁଟ ଛାଡ଼ିବ।
ପୂର୍ବତଟ ରେଳପଥ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁଯାୟୀ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ପ୍ରତିଦିନ ସକାଳ ୬ଟା ୩୦ରେ ଭୁବନେଶ୍ବରରୁ ଛାଡ଼ିବାକୁ ଥିବା ବେଳେ ଅପରାହ୍ନ ୨ଟା ୪୫ରେ ବଲାଙ୍ଗୀର ଛାଡ଼ିବ। ଏହା ମଞ୍ଚେଶ୍ବର, ନରାଜ ମାର୍ଥାପୁର, ଢେଙ୍କାନାଳ, ମେରାମୁଣ୍ଡଳି, ତାଳଚେର ରୋଡ, ଅନୁଗୁଳ, ବଇଣ୍ଡା, ରେଢାଖୋଲ, ସମ୍ବଲପୁର ରୋଡ, ହୀରାକୁଦ, ବରଗଡ଼ ରୋଡ, ବରପାଲି ଓ ଲୋଇସିଂହା ଷ୍ଟେସନରେ ଅଟକିବ। ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ ସନ୍ଧ୍ୟା ୬ଟାରେ ଭୁବନେଶ୍ବର ଓ ଜୁନ୍ ୯ରୁ ଜୁଲାଇ ୧ ମଧ୍ୟରେ ସକାଳ ୭ଟା ୩୦ରେ ଭଦ୍ରକରୁ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍ କେବଳ କଟକ ଓ ଯାଜପୁର କେନ୍ଦୁଝର ରୋଡ ଷ୍ଟେସନରେ ଅଟକିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।
ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ସନ୍ଧ୍ୟା ୫ଟା ୩୦ରେ ଭୁବନେଶ୍ବର ଓ ସକାଳ ୭ଟାରେ ବ୍ରହ୍ମପୁର ଷ୍ଟେସନ(ଜୁନ୍ ୯ରୁ ଜୁଲାଇ ୧ ପର୍ଯ୍ୟନ୍ତ ) ଛାଡ଼ିବ। ଏହା ଖୋର୍ଦ୍ଧାରୋଡ, ନିରାକାରପୁର, ଭୁଷଣ୍ଡପୁର, କାଳୁପଡାଘାଟ, ବାଲୁଗାଁ, ଖଲ୍ଲିକୋଟ ଓ ଛତ୍ରପୁର ଷ୍ଟେସନରେ ଅଟକିବ। ସମ୍ବଲପୁର-ଖୋର୍ଦ୍ଧାରୋଡ-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍ ସକାଳ ୬ଟାରେ ସମ୍ବଲପୁର ଓ ଅପରାହ୍ନ ୪ଟା ୫୫ରେ ଖୋର୍ଦ୍ଧାରୋଡ ଛାଡ଼ିବ। ଗସ୍ତ ସମୟରେ ଏହି ଟ୍ରେନ୍ ସମ୍ବଲପୁର ରୋଡ, ଜୁଜୁମରା, ରେଢାଖୋଲ, ବାମରା, ବଇଣ୍ଡା, ଜରପଡ଼ା, ଅନୁଗୁଳ, ତାଳଚେର ରୋଡ, ମେରାମଣ୍ଡଳି, ଢେଙ୍କାନାଳ, ନରାଜ ମାର୍ଥାପୁର, ମଞ୍ଚେଶ୍ବର, ଭୁବନେଶ୍ବର ଷ୍ଟେସନରେ ରହିବ।
ଭୁବନେଶ୍ୱର-କୋରାପୁଟ-ଭୁବନେଶ୍ୱର ସ୍ୱତନ୍ତ୍ର ଟ୍ରେନ୍ ଭାୟା ସମ୍ବଲପୁର-ରାୟଗଡ଼ା ଟ୍ରେନ୍ ସପ୍ତାହକୁ ୩ ଥର ଚାଲିବ। ଜୁନ୍ ୮ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହି ଟ୍ରେନ୍ ସୋମବାର, ବୁଧବାର ଓ ଶୁକ୍ରବାର ସନ୍ଧ୍ୟା ୬ଟା ୩୦ରେ ଭୁବନେଶ୍ବର ଛାଡ଼ିବ ଏବଂ ଜୁନ୍ ୯ରୁ ଜୁନ୍ ୩୦ ମଧ୍ୟରେ ମଙ୍ଗଳବାର, ଗୁରୁବାର ଓ ରବିବାର ସନ୍ଧ୍ୟା ୫ଟା ୩୦ରେ କୋରାପୁଟରୁ ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ। ସେହିପରି ରାଉରକେଲା-ଭୁବନେଶ୍ବର-ରାଉରକେଲା ସ୍ବତନ୍ତ୍ର ଟ୍ରେନ୍ ସକାଳ ୫ଟା ୧୦ରେ ରାଉରକେଲା ଓ ଭୁବନେଶ୍ବରରୁ ଅପରାହ୍ନ ୨ଟା ୧୦ରେ ଛାଡ଼ିବ। ଏହି ଟ୍ରେନ୍ ରାଜଗାଙ୍ଗପୁର, ବାମରା, ଝାରସୁଗୁଡ଼ା, ରେଙ୍ଗାଲି, ସମ୍ବଲପୁର ସିଟି, ରେଢ଼ାଖୋଲ, ବଇଣ୍ଡା, ଅନୁଗୁଳ, ତାଳଚେର ରୋଡ, ଢେଙ୍କାନାଳ ଓ ନରାଜ ମାର୍ଥାପୁର ଷ୍ଟେସନରେ ରହିବ। ଯାତ୍ରୀମାନେ ସଂରକ୍ଷଣ କାଉଣ୍ଟର ଓ ଆଇଆର୍ସିଟିସି ୱେବ୍ସାଇଟ୍ରେ ଟିକେଟ୍ କରିପାରିବେ। କେବଳ କନ୍ଫର୍ମ ଟିକେଟ୍ ଥିବା ଯାତ୍ରୀ ଟ୍ରେନ୍ରେ ଚଢ଼ିପାରିବେ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।