29.1 C
Bhubaneswar
Friday, April 26, 2024
Homeଓଡିଶାମାର୍ଚ୍ଚ ୩୧ ସୁଦ୍ଧା ଟିପି ସ୍କିମ୍ ପଟ୍ଟା

ମାର୍ଚ୍ଚ ୩୧ ସୁଦ୍ଧା ଟିପି ସ୍କିମ୍ ପଟ୍ଟା

ଭୁବନେଶ୍ବର : ବିଡିଏର ବହୁ ପ୍ରତୀକ୍ଷିତ ଟାଉନ୍ ପ୍ଲାନିଂ ଯୋଜନା (ଟିପି ସ୍କିମ୍) ଏବେ କାର୍ଯ୍ୟକ୍ଷମ ହେବାକୁ ଯାଉଛି । ଜୁନ୍ ପୂର୍ବରୁ ଟିପି ସ୍କିମ୍-୧ ପାଇକରାପୁର ପ୍ରକଳ୍ପ ଚୂଡ଼ାନ୍ତ ରୂପ ପାଇବ । ଏଠାକାର ହିତାଧିକାରୀଙ୍କୁ ମାର୍ଚ୍ଚ ୩୧ ସୁଦ୍ଧା ଜମିର ପଟ୍ଟା ଦିଆଯିବ । ବିଡିଏ ଜମିର ଯେଉଁ ଲେ-ଆଉଟ୍ ପ୍ଲାନ୍ କରିଛି ସେହି ଅନୁଯାୟୀ ପଟ୍ଟା ଦିଆଯିବ । ଏନେଇ ବିଡିଏ ଓ ରାଜସ୍ବ ବିଭାଗ ପକ୍ଷରୁ ଜୋରଦାର୍ ପ୍ରସ୍ତୁତି ଚାଲିଛି ।
ଅହମ୍ମଦାବାଦରେ ଯେପରି ଉନ୍ନୟନ କର୍ତ୍ତୃପକ୍ଷ ଟିପି ସ୍କିମ୍ ହିତାଧିକାରୀଙ୍କୁ ପଟ୍ଟା ଦେଇଛନ୍ତି, ସେହିପରି ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପଟ୍ଟା ଦେବ । ବିଡିଏ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ୪ଟି ଟିପି ସ୍କିମର ଯୋଜନା ହୋଇଥିବା ବେଳେ ଏଥିପାଇଁ ବିଡିଏ କର୍ତ୍ତୃପକ୍ଷ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଥିଲେ । କିନ୍ତୁ ପଟ୍ଟା ଦେବା ବେଳକୁ ସମସ୍ୟା ଉପୁଜିଥିଲା ।
ଓଡ଼ିଶା ରାଜସ୍ବ ନିୟମ ଏଥିରେ ବାଧକ ସାଜୁଥିବାରୁ ଏହାକୁ ପରିବର୍ତ୍ତନ କରିବାକୁ ବିଡିଏ କର୍ତ୍ତୃପକ୍ଷ ରାଜସ୍ବ ବିଭାଗକୁ ସୁପାରିସ କରିଥିଲେ । ଏହାପରେ ରାଜସ୍ବ ବିଭାଗ ରାଜସ୍ବ ନିୟମରେ ପରିବର୍ତ୍ତନ ଆଣିବା ସହ ବିଡିଏର ଚୂଡ଼ାନ୍ତ ମ୍ୟାପ୍ ଉପରେ ପଟ୍ଟା ଦେବାକୁ ଜମି ରେକର୍ଡ ଏବଂ ସର୍ଭେ ନିର୍ଦ୍ଦେଶକଙ୍କୁ ନିର୍ଦ୍ଦେଶ ଦେଇଛି । ଏହି ନିର୍ଦ୍ଦେଶନାମା ଆସିବା ପରେ ବିଡିଏ କର୍ତ୍ତୃପକ୍ଷ କହିଛନ୍ତି ଯେ ଆମେ ପ୍ରଥମ ପର୍ଯ୍ୟାୟରେ ଟିପି ସ୍କିମ୍-୧ (ପାଇକରାପୁର) ହିତାଧିକାରୀଙ୍କୁ ପଟ୍ଟା ପ୍ରଦାନ କରିବୁ । ଏବେ ଏଠାରେ ରାସ୍ତା ଚିହ୍ନଟ, ଘରୋଇ ପ୍ଲଟ ପୃଥକୀକରଣ, ଖୋଲା ସ୍ଥାନ ସଂରକ୍ଷଣ ଆଦି ପ୍ରକ୍ରିୟା ଶେଷ ହୋଇଥିବାରୁ ପଟ୍ଟା ଆବଣ୍ଟନ ପରେ ରାସ୍ତା ନିର୍ମାଣ ଓ ଜମିରେ ପାଚେରି ନିର୍ମାଣ କାମ ଆରମ୍ଭ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରଶଙ୍କର ଭୂୟାଁ କହିଛନ୍ତି । ଜୁନ୍ ପୂର୍ବରୁ ଅର୍ଥାତ୍ ବର୍ଷା ଋତୁ ଆସିବା ପୂର୍ବରୁ କାମ ଶେଷ ହେବ । ସମସ୍ତ ଜମିର କିସମ ଘରବାଡ଼ିକୁ ପରିବର୍ତ୍ତନ କରି ପଟ୍ଟା ଦିଆଯିବ ।
ଟିପି ସ୍କିମ୍ -୧ରେ ୭୪୬.୭୦ ଏକର ଜମି ଥିବା ବେଳେ ଏଥିରୁ ପାଇକରାପୁରର ୩୧୭.୯୩ଏକର ଜମିରେ ପ୍ରଥମ ପର୍ଯ୍ୟାୟରେ ଉନ୍ନତୀକରଣ ହୋଇଛି । କିନ୍ତୁ ପାଇଲଟ୍ ପ୍ରକଳ୍ପ ଭାବେ ଏଥିରୁ ୧୪୫ ଏକର ଜମିର ଉନ୍ନତୀକରଣ କରାଯାଇଛି । ଗତବର୍ଷରୁ ଜମି ଓ ରାସ୍ତା ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଛି । ଏଥିରେ ପ୍ରାୟ ୬୦୦ରୁ ଅଧିକ ହିତାଧିକାରୀଙ୍କ ପାଇଁ ଜମି ଚିହ୍ନଟ କରାଯାଇଛି। ରାସ୍ତା ମଧୢ ନିର୍ମାଣ ସରିଛି । ତେଣୁ ଏବେ ପ୍ରଥମ ପର୍ଯ୍ୟାୟରେ ୬୦୦ ହିତାଧିକାରୀଙ୍କୁ ନୂଆ ନିୟମ ଭିତ୍ତିରେ ବିଡିଏ ନକ୍ସା ଅନୁଯାୟୀ ପଟ୍ଟା ଆବଣ୍ଟନ ହେବ । ଟିପି ସ୍କିମ୍ ୧ ଚୂଡ଼ାନ୍ତ ରୂପ ପାଇବା ପରେ ଟିପି ସ୍କିମ୍୨, ୩ ଓ ୪ ପାଇଁ ପ୍ରସ୍ତୁତି ଆରମ୍ଭ ହେବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking