ପର୍ଲ: ପ୍ରଥମ ମ୍ୟାଚ୍ରେ ପରାଜୟ ପରେ ତିନି ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଜୀବନ୍ତ ରଖିବାକୁ ହେଲେ ଶୁକ୍ରବାର ହେବାକୁ ଥିବା ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ବ୍ୟାଟ୍ସମ୍ୟାନ୍ଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ । ସେହିପରି ପ୍ରଥମ ମ୍ୟାଚ୍ରେ ବିଫଳ ହୋଇଥିବା କେଏଲ୍ ରାହୁଲ ଟେଷ୍ଟ କ୍ୟାପ୍ଟେନ୍ ଦୌଡ଼ରେ ସାମିଲ ଥିବାରୁ ଏହି ସିରିଜ୍ ତାଙ୍କ ପାଇଁ ବହୁ ଗୁରୁତ୍ୱପୂର୍ଣ୍ଣ ହୋଇପଡ଼ିଛି । ଭାରତୀୟ ବ୍ୟାଟ୍ସମ୍ୟାନ୍ ପ୍ରଥମ ମ୍ୟାଚ୍ରେ ନେରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ବିରାଟ କୋହଲି କ୍ୟାପ୍ଟେନ୍ ଥିବାବେଳେ ମଧ୍ୟକ୍ରମରେ ପ୍ରଦର୍ଶନ ଭାରତ ପାଇଁ ଚିନ୍ତାର ବିଷୟ ଥିଲା, ଯାହାର ସମାଧାନ ଏବେ ବି ହୋଇପାରି ନାହିଁ । ଓପ୍ନର୍ ଶିଖର ଧୱନ୍ ଅର୍ଦ୍ଧଶତକ ହାସଲ କରି ଉନ୍ନତ ପ୍ରତ୍ୟାବର୍ତ୍ତନ କରିଥିଲେ । ସେ କୋହଲିଙ୍କ ସହ ମିଶି ଭାରତକୁ ଭଲ ପ୍ଲାଟ୍ଫର୍ମ ଦେଇଥିଲେ ମଧ୍ୟ ଏହି ପାର୍ଟନର୍ଶିପ୍ ଭାଙ୍ଗିବା ପରେ ହିଁ ମନ୍ଥର ପିଚ୍ରେ ଭାରତୀୟ ମଧ୍ୟକ୍ରମ ଭୁଶୁଡ଼ି ପଡ଼ିଥିଲା ।
ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକା ଉଭୟ କୌଶଳ ଓ ରଣନୀତିରେ ଭାରତଠାରୁ ଆଗୁଆ ରହିଥିଲା । ଏପରି ସ୍ଥିତିରେ କ୍ୟାପ୍ଟେନ୍ ଭାବେ ରାହୁଲ ନିରାଶ କରିଥିଲେ । ସବୁଠୁ ବଡ଼ ପ୍ରଶ୍ନ, ଚହଲ ଓ ଶାର୍ଦ୍ଦୁଲ ଠାକୁରଙ୍କ ବଲ୍ରେ ରାସି ଭାନ୍ ଡର ଡୁସେନ୍ ଓ ଟେମ୍ବା ବାଭୁମା ରନ୍ ସଂଗ୍ରହ କରି ଚାଲିଥିବା ବେଳେ ଭେଙ୍କଟେଶ ଆୟର୍ଙ୍କୁ କାହିଁକି ଉପଯୋଗ କରାଗଲା ନାହିଁ । ଯଦି ତାଙ୍କୁ ୬ଷ୍ଠ ବୋଲର୍ ଭାବେ ଉପଯୋଗ କରାଯିବାର ନଥିଲା, ତେବେ କାହିଁକି ଟିମ୍ରେ ସାମିଲ କରାଯାଇଥିଲା । ଯଦି ସେ ବିଶେଷଜ୍ଞ ବ୍ୟାଟ୍ସମ୍ୟାନ୍ ଭାବେ ସାମିଲ ହୋଇଥିଲେ, ତେବେ ତାଙ୍କୁ ୬ଷ୍ଠ ନମ୍ବରରେ କାହିଁକି ବ୍ୟାଟିଂ ପାଇଁ ପଠାଗଲା । ତାଙ୍କ ସ୍ଥାନରେ ଅନୁଭବୀ ସୂର୍ଯ୍ୟକୁମାର ଯାଦବଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଥିଲେ ଚାପରେ ସେ ଉନ୍ନତ ପ୍ରଦର୍ଶନ କରିପାରିଥାନ୍ତେ । ବାଭୁମା ଓ ଡୁସେନ୍ ସ୍ୱିପ୍ ଶଟ୍ ଖେଳୁଥିବା ବେଳେ ରାହୁଲ ଚହଲ କିମ୍ବା ଅଶ୍ୱିନଙ୍କ ସହ ଆଲୋଚନା କରିନଥିଲେ କିମ୍ବା ବୋଲିଂରେ ପରିବର୍ତ୍ତନ କରିନଥିଲେ ଯାହା ରଣନୈତିକ ରୂପେ ସେ କୁଶଳ ନଥିବା ଦର୍ଶାଉଛି । ଏହା ବିପରୀତ ସାଉଥ୍ ଆଫ୍ରିକା ଆଇଦେନ୍ ମାର୍କରମ୍ଙ୍କ ଦ୍ୱାରା ବୋଲିଂ ଆରମ୍ଭ କରାଇ ଭାରତୀୟ କ୍ୟାପ୍ଟେନ୍ଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲା ।
ସେହିପରି ଶର୍ଟ ପିଚ୍ ବଲ୍ ବିପକ୍ଷରେ ଶ୍ରେୟସ ଆୟର୍ଙ୍କ ସଂଘର୍ଷ ଜାରି ଥିବା ଦେଖିବାକୁ ମିଳିଥିଲା । ତାଙ୍କୁ ମିଳିଥିବା ସୁଯୋଗ ହାତଛଡ଼ା କରିବାର ନଥିଲା । ଏହି ପିଚ୍ରେ ଷ୍ଟ୍ରାଇକ୍ ରୋଟେଟ୍ କରିବାର ଆବଶ୍ୟକତା ଥିବାରୁ ପନ୍ତ୍ ଓ ଦୁଇ ଆୟର୍ଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ । ପ୍ରଥମେ ଏହି ତିନିଜଣ ନିରାଶ କରିଥିଲେ । ସେମାନେ ନିଜ ଦାୟିତ୍ୱ ବୁଝିବା ଉଚିତ । ଅବଶ୍ୟ ଶାର୍ଦ୍ଦୁଲ ଠାକୁର ଅର୍ଦ୍ଧଶତକ ହାସଲ କରିଥିଲେ । ତେବେ ତାଙ୍କ ମୁଖ୍ୟ ଦାୟିତ୍ୱରେ ବୋଲିଂରେ ସେ ନିରାଶ କରିଥିଲେ । ୧୦ ଓଭର୍ରେ ୭୨ ରନ୍ ଦେଇଥିଲେ ଯାହା ଭାରତ ପାଇଁ କ୍ଷତିକାରକ ହୋଇଥିଲା । ଏ ସବୁଥିରେ ସୁଧାର ଆଣିଲେ ଦ୍ୱିତୀୟ ମ୍ୟାଚ୍ରେ ବିଜୟ ସହ ଭାରତ ସିରିଜ୍ରେ ବର୍ତ୍ତି ରହିବା ସମ୍ଭବ ହେବ ।
ଭାରତୀ ସ୍କ୍ୱାଡ୍: କେଏଲ୍ ରାହୁଲ (କ୍ୟାପ୍ଟେନ୍), ଜସ୍ପ୍ରୀତ୍ ବୁମ୍ରା, ଶିଖର ଧୱନ୍, ଋତୁରାଜ ଗାଏକ୍ୱାଡ୍, ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଆୟର୍, ଋଷଭ ପନ୍ତ୍ (ୱିକେଟ୍କିପର୍), ଇଶନ୍ କିଶନ୍ (ୱିକେଟ୍କିପର୍), ୟୁଜବେନ୍ଦ୍ର ଚହଲ, ଆର୍ ଅଶ୍ୱିନ, ଭୁବନେଶ୍ୱର କୁମାର, ଦୀପକ ଚହର୍, ପ୍ରସିଦ୍ଧ କ୍ରିଷ୍ଣା, ଶାର୍ଦ୍ଦୁଲ ଠାକୁର, ମହମ୍ମଦ ସିରାଜ୍, ଜୟନ୍ତ ଯାଦବ, ନବଦୀପ ସାଇନି ।