36.7 C
Bhubaneswar
Tuesday, April 16, 2024
Homeଖେଳଆଜି ଭାରତ-ଆୟର୍ଲାଣ୍ଡ୍ ପ୍ରଥମ ଟି-୨୦

ଆଜି ଭାରତ-ଆୟର୍ଲାଣ୍ଡ୍ ପ୍ରଥମ ଟି-୨୦

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆ ଆସନ୍ତାକାଲ ଦୁଇ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ଆୟର୍ଲାଣ୍ଡ୍‌କୁ ଡବ୍‌ଲିନ୍‌ରେ ଭେଟିବ । ସିନିୟର୍ ଖେଳାଳିଙ୍କ ଅନୁପସ୍ଥିତିରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ପ୍ରଥମ ଥର ପାଇଁ ପଡ଼ିଆକୁ ଓହ୍ଲାଇବ । ଏହି ଗସ୍ତରେ ଟିମ୍ ସହ ବହୁ ଯୁବ ଖେଳାଳି ରହିଛନ୍ତି । ଏହା ମଧ୍ୟରୁ ଅନେକଙ୍କୁ ସାଉଥ୍ ଆଫ୍ରିକା ବିପକ୍ଷ ସିରିଜ୍‌ରେ ଭରପୂର ସୁଯୋଗ ମିଳିଥିବା ବେଳେ ଆଉ କିଛି ଖେଳାଳିଙ୍କୁ ଆଦୌ ସୁଯୋଗ ମିଳିନାହିଁ । ସେମାନଙ୍କ ମଧ୍ୟରେ ଭେଙ୍କଟେଶ ଆୟର୍‌, ଉମ୍‌ରାନ୍ ମଲିକ, ଅର୍ଶଦୀପ ସିଂହ, ଦୀପକ ହୁଡା ପରି ଖେଳାଳି ଥିବାରୁ ସେମାନେ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇଁ ଆଶାୟୀ ରହିଛନ୍ତି ।

ଫଳରେ ଆସନ୍ତାକାଲିର ମ୍ୟାଚ୍ ପାଇଁ ଚୂଡ଼ାନ୍ତ ଏକାଦଶ ଚୟନ କରିବା ଟିମ୍ ମ୍ୟାନେଜମେଣ୍ଟ୍ ପାଇଁ ଗୁରୁତ୍ୱପୂର୍ଣ୍ଣ ହେବ । ବିଶେଷକରି ପ୍ରତ୍ୟାବର୍ତ୍ତନ କରିଥିବା ସଞ୍ଜୁ ସାମ୍‌ସନ୍ ଓ ସୂର୍ଯ୍ୟକୁମାର ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ସ୍ପିନ୍ ବୋଲର୍ ଭାବେ ଟିମ୍ ମ୍ୟାନେଜମେଣ୍ଟ୍ ୟୁଜବେନ୍ଦ୍ର ଚହଲ କିମ୍ବା ରବି ବିଷ୍ନୋଇଙ୍କ ମଧ୍ୟରୁ କାହାକୁ ସୁଯୋଗ ଦେବ ତାହା ମଧ୍ୟ ଦେଖିବାକୁ ବାକି ରହିଛି । ତେବେ ସିରିଜ୍‌ର ଦୁଇଟି ମ୍ୟାଚ୍ ଖେଳାଯିବାକୁ ଥିବା ଭେନ୍ୟୁରେ ଚହଲ ପୂର୍ବରୁ ସଫଳ ହୋଇସାରିଛନ୍ତି । ଆଗାମୀ ଟି-୨୦ ବିଶ୍ୱକପ୍ ପୂର୍ବରୁ ଏହି ସିରିଜ୍ ସମସ୍ତଙ୍କ ପାଇଁ ମହତ୍ତ୍ୱ ରଖୁଛି । ନିୟମିତ କୋଚ୍ ରାହୁଲ ଦ୍ରବିଡ୍‌ଙ୍କ ଅନୁପସ୍ଥିତିରେ ଏନ୍‌ସିଏ ପ୍ରମୁଖ ଭିଭିଏସ୍ ଲକ୍ଷ୍ମଣ ଏହି ସିରିଜ୍ ପାଇଁ କୋଚ୍ ଭୂମିକାରେ ରହିଛନ୍ତି । ସେ ମ୍ୟାଚ୍‌ରେ ଦ୍ରାବିଡ୍‌ଙ୍କ ରଣନୀତି ଆପଣାଇବା ଆଶା କରାଯାଉଛି ।

ଏହି ଦୁଇ ମ୍ୟାଚ୍‌ରୁ ଚଳିତବର୍ଷ ଶେଷ ଆଡ଼କୁ ଅଷ୍ଟ୍ରେଲିଆରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ‘କୋର୍ ଗ୍ରୁପ୍‌’ ଏବଂ ଆସନ୍ତା ମାସରେ ହେବାକୁ ଥିବା ଇଂଲଣ୍ଡ ବିପକ୍ଷ ସିରିଜ୍ ପାଇଁ ଟିମ୍ ଚୟନ ପାଇଁ ସହାୟତା ମିଳିବ । ଅନ୍ୟପକ୍ଷରେ ଏହି ସିରିଜ୍‌କୁ ନେଇ ଆୟର୍ଲାଣ୍ଡ ବିଶେଷ ଆଶାବାଦୀ ରହିଛି । ଗତବର୍ଷ ଜିମ୍ବାୱେ ବିପକ୍ଷ ଗୋଟିଏ ସିରିଜ୍ ବିଜୟକୁ ବାଦ୍‌ଦେଲେ ଗତ ତିନିବର୍ଷ ମଧ୍ୟରେ ଆୟର୍ଲାଣ୍ଡ୍ କ୍ରିକେଟ୍‌ର ଏହି ଛୋଟ ଫର୍ମାଟ୍‌ରେ ସେପରି ସଫଳ ହୋଇନାହିଁ ।

ଟିମ୍‌ର ବ୍ୟାଟିଂ ଅଧିନାୟକ ଆଣ୍ଡ୍ର‌୍ୟୁ ବାଲ୍‌ବର୍ନିଙ୍କ ଉପରେ ନିର୍ଭରଶୀଳ । ଭେଟେରାନ୍ ଟପ୍‌ଅର୍ଡର ବ୍ୟାଟ୍ସମ୍ୟାନ୍ ପଲ୍ ଷ୍ଟର୍ଲିଂ ଗତମାସରେ ଟି-୨୦ ବ୍ଲାଷ୍ଟ୍‌ରେ ଗୋଟିଏ ଶତକ ପରେ ଏବେ ଦୁର୍ବଳ ଫର୍ମରେ ରହିଛନ୍ତି । ତାଙ୍କର ଫର୍ମକୁ ଫେରିବା ଟିମ୍ ପାଇଁ ନିହାତି ଆବଶ୍ୟକ । ତେବେ ହ୍ୟାରି ଟେକ୍ଟର୍ ଭଲ ଫର୍ମରେ ଥିବାବେଳେ ଗାରେଥ୍ ଡେଲାନି ଏବଂ କର୍ଟିସ୍ କାମ୍ଫର୍‌ଙ୍କ ଅଲ୍‌ରାଉଣ୍ଡ୍ କ୍ଷମତା ବଳରେ ଟିମ୍‌କୁ କିଛିଟା ସହାୟତା ମିଳିବ । ଟିମ୍‌ର ବୋଲିଂ ବିଭାଗରେ ସିମର୍ ମାର୍କ ଅଦାୟର୍ ଏବଂ ଜୋଶୁଆ ଲିଟିଲ୍ କିଛି ପ୍ରଭାବ ପକାଇପାରନ୍ତି । ବାରୀ ମ୍ୟାକ୍‌କାର୍ôଥଙ୍କ କାଉଣ୍ଟି କ୍ରିକେଟ୍ ବ୍ୟତୀତ ଅନ୍ତର୍ଜାତୀୟ ଅନୁଭବ ଥିବାବେଳେ କ୍ରେଗ୍ ୟଙ୍ଗ୍ ଆଠବର୍ଷ ଧରି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଆସୁଛନ୍ତି । ସେହିପରି ଟିମ୍‌ର ସ୍ପିନ୍ ବୋଲିଂ ଦାୟିତ୍ୱ ଆଣ୍ଡି ବ୍ୟାକ୍‌ବ୍ରାଏନ୍ ଏବଂ ଜର୍ଜ ଡକ୍‌ରେନ୍‌ଙ୍କ ଉପରେ ନ୍ୟସ୍ତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking