31.1 C
Bhubaneswar
Friday, March 29, 2024
Homeଓଡିଶାନାବାଳିକାଙ୍କୁ ଖୋଜିଆଣିବାକୁ ସ୍ପେଶାଲ ଅପରେସନ୍‌

ନାବାଳିକାଙ୍କୁ ଖୋଜିଆଣିବାକୁ ସ୍ପେଶାଲ ଅପରେସନ୍‌

ଭୁବନେଶ୍ୱର : ରାଜଧାନୀରେ ନାବାଳିକା ନିଖୋଜ ଓ ଅପହରଣ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଥାନାସ୍ତରରେ ଏହି ମାମଲାର ଠିକ୍‌ଭାବେ ତଦନ୍ତ ହେଉନାହିଁ । ଯେଉଁଥିପାଇଁ କମିଶନରେଟ୍ ପୁଲିସ ପକ୍ଷରୁ ଭୁବନେଶ୍ୱର ଡିସିପି ଅଫିସରେ ‘କିଡ଼ନାପିଂ ଏବଂ ମ୍ୟାନ୍ ମିସିଂ’ ସେଲ୍ ଗଠନ ହୋଇଛି । ଏହି ସେଲ୍ କେବଳ ନାବାଳିକା ନିଖୋଜ, ଅପହରଣ, ଅଜଣାବ୍ୟକ୍ତିଙ୍କୁ ଚିହ୍ନଟ ମାମଲାର ତଦନ୍ତ କରୁଛି । ମେ’ ୧୫ ତାରିଖରୁ ଏପର୍ଯ୍ୟନ୍ତ ପୁଲିସ ୧୧୨ଜଣ ନାବାଳିକାଙ୍କୁ ଠାବ କରିବାରେ ସଫଳ ହୋଇଛି । ଏହାସହ ୭୧୨ଟି ମାମଲାରୁ ୧୧୨ଟିର ତଦନ୍ତ କରି ଫାଇଲ୍ ବନ୍ଦ କରିଦେଇଥିବା ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ସୂଚନା ଦେଇଛନ୍ତି । ଏଥିମଧ୍ୟରୁ ସ୍ୱତନ୍ତ୍ର ସେଲ୍ ଦ୍ୱାରା କେବଳ ୪ଟି କେସ୍ ବନ୍ଦ କରାଯିବା ସହ ୪୯ଜଣଙ୍କୁ ଠାବ କରାଯାଇଛି । ତେବେ ବାକି ୬୧୬ଟି ମାମଲା ଏବେ ବି ରହସ୍ୟମୟ ହୋଇ ରହିଯାଇଛି । ଆଗାମୀ ଦିନରେ ଏହିସବୁ ମାମଲାର ତଦନ୍ତ କରି ନାବାଳିକାଙ୍କୁ ଠାବ କରାଯିବ ବୋଲି ସେ କହିଛନ୍ତି ।

ସୂଚନା ଅନୁଯାୟୀ, ଭୁବନେଶ୍ୱର ସହରାଞ୍ଚଳ ପୁଲିସର ବିଭିନ୍ନ ଥାନା ଦ୍ୱାରା ୧୦୮ଟି କେସ୍ ବନ୍ଦ କରାଯିବା ସହ ୬୩ଜଣକୁ ଠାବ କରାଯାଇଛି । ଏଥିସହିତ ମେ’ ଏବଂ ଜୁନ୍ ମାସରେ ଆହୁରି ୧୬ଟି ନିଖୋଜ ଓ ଅପହରଣର ନୂଆ କେସ୍ ମଧ୍ୟ ପଞ୍ଜୀକରଣ ହୋଇଛି । ଯାହାଫଳରେ ଆହୁରି ୬୧୬ଟି କେସ୍ ଏବେ ବି ରହସ୍ୟମୟ ହୋଇ ପଡ଼ିରହିଛି । ଉଭୟ ମ୍ୟାନ୍ ମିସିଂ ସେଲ୍ ଓ ଥାନା ଷ୍ଟାଫ୍‌ଙ୍କ ମିଳିତ ଉଦ୍ୟମରେ ଏହି ମାମଲା ଗୁଡ଼ିକର ତଦନ୍ତ ଜାରି ରହିଛି ।

ଅନେକ ସମୟରେ ନାବାଳିକା ଘରୁ ନିଖୋଜ ହୋଇଗଲେ କିମ୍ବା ଅପହରଣ ହେଲେ ଥାନାରେ ଅଭିଯୋଗ ହୋଇଥାଏ । ଏନେଇ ପୁଲିସ ଅପହରଣ ମାମଲା ରୁଜୁ କରି ତଦନ୍ତ କରିଥାଏ । ଏମିତିକ ଅନେକ ମାମଲାରେ ନାବାଳିକାର କୌଣସି ସୂଚନା ମିଳିନଥାଏ । ଏହାସହ ଅନେକ ଘଟଣାରେ ପୁଲିସ ନାବାଳିକାକୁ ଠାବ କରିବାରେ ସଫଳ ହୋଇଥାଏ । ହେଲେ ଯେଉଁ କେସ୍‌ରେ ନାବାଳିକା ନିଜ ଇଚ୍ଛାରେ ଲୁଚି ରହେ, ସେ କେସ୍ ଟ୍ରାକ୍ କରିହୁଏନି ଏବଂ ତାହା ପଡ଼ିରହିଥାଏ । ଇତିମଧ୍ୟରେ କିଛି କେସ୍‌ରେ ମଧ୍ୟ ପ୍ରେମବ୍ୟାପାରରେ ଝିଅ ନାବାଳିକାରୁ ସାବାଳିକା ହେବା ପରେ ବିବାହ କରିଦେଇଥାନ୍ତି । ସେଭଳି କେସକୁ କେବଳ ଠାବ କରି ପରିବାରଲୋକଙ୍କୁ ଜଣାଇବା ସହ କେସ୍ ବନ୍ଦ କରାଯାଇଥାଏ । ଅନେକ କ୍ଷେତ୍ରରେ ପିଲାଙ୍କୁ ମାନବ ଚାଲାଣ କରି ଶିଶୁ ଶ୍ରମିକ ଭାବେ ନିୟୋଜିତ କରାଯାଇଥାଏ । ସେଭଳି କେସ୍‌ରେ ଅଭିଯୁକ୍ତକୁ ଗିରଫ କରି ପୁଲିସ ଅପହୃତାକୁ ଉଦ୍ଧାର କରିଥାଏ ।

ସୂଚନାଯୋଗ୍ୟ, ଗତ ଜୁନ ୭ତାରିଖରେ ଏହି ସ୍ପେଶାଲ ସେଲ୍ ଭୁବନେଶ୍ୱର ଡିସିପିଙ୍କ ଦ୍ୱାରା ଗଠନ କରାଯାଇଥିଲା । କେବଳ ନାବାଳିକା ନିଖୋଜ ମାମଲା ନୁହେଁ, ବିଭିନ୍ନ ଥାନା ଅଞ୍ଚଳରେ ଥିବା ନିଖୋଜ ରିପୋର୍ଟ ଅର୍ଥାତ ଅନ୍ୟାନ୍ୟ ମ୍ୟାନ୍ ମିସିଂ କେସ୍‌, ହଜି ଯାଉଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରିବା ଭଳି ଏହି ସେଲ୍ କାମ କରିଥାଏ । ଏହାବ୍ୟତୀତ ଅପମୃତ୍ୟୁ ମାମଲାରେ ଅଜଣାବ୍ୟକ୍ତିଙ୍କୁ ଚିହ୍ନଟ କରିବା ନେଇ ମଧ୍ୟ ସେଲ୍ କାମ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking