34.1 C
Bhubaneswar
Friday, March 29, 2024
Homeଓଡିଶାତିର୍ତୋଲ ଉପନିର୍ବାଚନ: ବିଜୟ ମାରିପାରନ୍ତି ଚାନସ

ତିର୍ତୋଲ ଉପନିର୍ବାଚନ: ବିଜୟ ମାରିପାରନ୍ତି ଚାନସ

ଜଗତସିଂହପୁର,(ପ୍ରତାପ କୁମାର ସିଂହ): ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଏବେ ରାଜନୈତିକ ଦଳରେ ନିର୍ବାଚନୀ ମାହୋଲ ସୃଷ୍ଟି ହୋଇଛି । ନିର୍ବାଚନ ଯେତିକି ପାଖେଇ ଆସୁଛି, ପ୍ରାର୍ଥୀ ଚୟନ ନେଇ ସେତିକି ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ବାଲେଶ୍ୱର ଓ ତିର୍ତୋଲରେ ଉପ-ନିର୍ବାଚନ ହେବାକୁ ଯାଉଥିବା ବେଳେ ତିର୍ତୋଲ ବିଧାନସଭା ଆସନକୁ ନେଇ ଜୋରଦାର ଚର୍ଚ୍ଚା ଲାଗି ରହିଛି । ଇତି ମଧ୍ୟ କଂଗ୍ରେସ ଓ ବିଜେପି ନିଜର ପ୍ରାର୍ଥୀ ଚୟନ ପ୍ରକ୍ରିୟା ଏକ ପ୍ରକାର ଶେଷ କରଥିବା ବେଳେ ଶାସକ ବିଜେଡିରେ କାହାକୁ ପ୍ରାର୍ଥୀ କରାଯିବ, ସେ ନେଇ ଦଳରେ ମାନସ ମନ୍ଥନ ଚାଲିଛି । ହେଲେ ସ୍ୱର୍ଗତ ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରାଯିବା ନେଇ ତିର୍ତୋଲବାସୀ ଆଶା ପ୍ରକଟ କରିଛନ୍ତି ।
ପ୍ରାର୍ଥୀ ଚୟନ ପୂର୍ବରୁ ବିଷ୍ଣୁ ଦାସଙ୍କ ସମର୍ଥକମାନେ ତିର୍ତୋଲରେ ତାଙ୍କ ପୁଅ ବିଜୟ ଶଙ୍କରଙ୍କ ପୋଷ୍ଟର ଲଗାଇ ପ୍ରଚାର ଆରମ୍ଭ କରିଦେଇଛନ୍ତି । କାରଣ ବିଷ୍ଣୁ ଦାସ ଯେଉଁଭଳି ଭାବେ ତୃଣମୂଳସ୍ତରରେ ଲୋକଙ୍କ ସହ ରହି ସେବା ଯୋଗାଉଥିଲେ, ତାଙ୍କ ପୁଅ ହିସାବରେ ବିଜୟ ହିଁ ଲୋକଙ୍କ ନିକଟତର ହେବେ ବୋଲି ସେମାନେ ଆଶା ରଖିଛନ୍ତି । ସେମାନଙ୍କ ମତରେ ଅସିଦଶକରୁ ବିଷ୍ଣୁ ଦାସ ଜଗତସିଂହପୁର ରାଜନୀତିରେ ସକ୍ରିୟ ଥିଲେ । ୧୯୯୦ ମସିହାରୁ ଲଗାତର ଭାବେ ଜଗତସିଂପୁର ବିଧାନସଭା ଆସନରୁ ବିଜୟୀ ହୋଇ ଲୋକଙ୍କ ସେବା କରୁଥିଲେ । ପରେ ରାଜ୍ୟସଭା ସାଂସଦ ଓ ତିର୍ତୋଲ ବିଧାୟକ ଭାବେ ମଧ୍ୟ ନିର୍ବାଚିତ ହୋଇଥିଲେ । ତାଙ୍କ ରାଜନୀତି ଜୀବନରେ ସେ ସବୁବେଳେ ସେବାବୃତି ମନୋଭାବ ନେଇ କାମ କରୁଥିଲେ । ତେଣୁ ତାଙ୍କ ବିୟୋଗରେ ପୁଅ ବିଜୟ ଶଙ୍କରଙ୍କୁ ବିଧାୟକ ଭାବେ ନିର୍ବାଚିତ କରି ପାରିଲେ, ତାହା ବିଷ୍ଣୁଦାସଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳୀ ହେବ ବୋଲି ଅଂଚଳବାସୀ ମତ ପ୍ରକାଶ କରିଛନ୍ତି । ତେବେ ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରିବାକୁ ତିର୍ତୋଲରେ ଦାବି ଜୋର ଧରିଛି ।
ସେହିପରି ବିଜୟ ଶଙ୍କରଙ୍କୁ ପ୍ରାର୍ଥୀ କରି ଦଳ ବିପୁଳ ବ୍ୟବଧାନରେ ବିଜୟୀ ହେବାକୁ ମଧ୍ୟ ଲକ୍ଷ୍ୟ ରଖିଛି । କାରଣ ବିଜୟଙ୍କୁ ଦଳୀୟ ଭୋଟ ସହ ବିଷ୍ଣୁ ଦାସଙ୍କ ପୁଅ ହିସାବରେ ଅନୁକମ୍ପା ଭୋଟ ମିଳିବା ସମ୍ଭାବନା ଅଧିକ ରହିଛି । ଯାହା ଦଳ ପାଇଁ ଅଧିକ ଲାଭବାନ ହେବ । ଅନ୍ୟ ନୂଆଁ ମୁହଁ ପାଇଁ ଏଭଳି ଫାଇଦା ମିଳିବ ନାହିଁ । ତେବେ ଶେଷ ପର୍ଯ୍ୟାୟରେ ୩ଟି ନାଁକୁ ନେଇ ଦଳରେ ଅଙ୍କକଷା ଚାଲିଥିବା ବେଳେ କାହାକୁ ଦଳ ଟିକେଟ ଦେବ, ତାହା ଉପରେ ସମସ୍ତର ନଜର ରହିଛି ।
ଅପରପକ୍ଷରେ ଚଳିତ ସାଧାରଣ ନିର୍ବାଚନରେ କଂଗ୍ରେସ ତୃତୀୟ ସ୍ଥାନରେ ଥିବାରୁ ତିର୍ତୋଲ ଉପ-ନିର୍ବାଚନକୁ ସେତେଟା ଗମ୍ଭିରତାର ସହ ନେଉନାହିଁ । ତଥାପି ଦଳ ହିମାଂଶୁ ଭୂଷଣ ମଲ୍ଲିକଙ୍କୁ ପ୍ରାର୍ଥୀ କରି ସଂଘର୍ଷ କରିବାକୁ ଚେଷ୍ଠା କରିବ ବୋଲି ଦଳର ଜଣେ ତୁଙ୍ଗ ନେତା କହିଛନ୍ତି । ତାଙ୍କ କହିବାନୁସାରେ, ତିର୍ତୋଲ ଆସନ ଚିରଞ୍ଜିବ ଓ ରଞ୍ଜିବ ବିଶ୍ୱାଳଙ୍କ ନିର୍ବାଚନ ମଣ୍ଡଳୀ ହୋଇଥିବାରୁ ଦଳ ସେଠାରେ ଫାଇଟ କରିବ, ଏପରିକି ଶାସକ ଦଳକୁ ଚକମା ଦେବାରେ ମଧ୍ୟ ସଫଳ ହେବ ବୋଲି ଆଶା କରାଯାଉଛି ।
ସେହିପରି ରାଜ୍ୟରେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ରାଜକିଶୋର ବେହେରାଙ୍କୁ ପ୍ରାର୍ଥୀ କରି ନିର୍ବାଚନ ବୈତରଣୀ ପାର ହେବାକୁ ଲକ୍ଷ୍ୟ ରଖିଛି । କେନ୍ଦ୍ରରେ ସରକାର ଥିବାରୁ ବିଜେପି ଲୋକଙ୍କ ଆସ୍ଥାଭାଜନ ହେବାକୁ ଚେଷ୍ଠା କରିବ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଢଙ୍ଗୀ, ସାଂସଦ ଅପରାଜିତା ଷଢଙ୍ଗୀଙ୍କ ଭାବମୂର୍ତିକୁ ପାଥେୟ କରି ଦଳ ବାଜିମାତ କରିବାକୁ ଆପ୍ରାଣ ଉଦ୍ୟମ କରିବ । ତେବେ ସେ ଯାହା ହେଉ, ତିର୍ତୋଲ ଉପ-ନିର୍ବାଚନ ସଂଘର୍ଷପୂର୍ଣ୍ଣ ହେବା ଏକ ପ୍ରକାର ନିଶ୍ଚିତ ବୋଲି ରାଜନୈତିକ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking