30.1 C
Bhubaneswar
Wednesday, April 24, 2024
Homeଓଡିଶାସ୍କୁଲ୍ ଛାଡ଼ି ଚାଲିଯାଉଥିବା ୩ ଛାତ୍ର ଜଙ୍ଗଲରୁ ଉଦ୍ଧାର

ସ୍କୁଲ୍ ଛାଡ଼ି ଚାଲିଯାଉଥିବା ୩ ଛାତ୍ର ଜଙ୍ଗଲରୁ ଉଦ୍ଧାର

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ବନ୍ଧଗଡ ପଞ୍ଚାୟତ ମଣିପଦର ସ୍ଥିତ ଉନ୍ନୀତ ଉଚ୍ଚବିଦ୍ୟାଳୟ ତିନିଜଣ ବିଦ୍ୟାଳୟ ଛାତ୍ର ସ୍କୁଲ ହଷ୍ଟେଲରୁ ଲୁଚି ଚାଲିଆସୁଥିବା ବେଳେ ବନ୍ଧଗଡ ଗ୍ରାମ ପାଖରେ ଥିବା ଜଙ୍ଗଲରୁ ଗ୍ରାମବାସୀ ସେମାନଙ୍କୁ ଉଦ୍ଧାର କରିଛନ୍ତି । ଖବର ପ୍ରକାର , ଶୁକ୍ରବାର ସକାଳ ପ୍ରାୟ ୯ ଟା ସମୟରେ ବନ୍ଧଗଡ ଗ୍ରାମ ନିକଟସ୍ଥ ଏକ ଜଙ୍ଗଲକୁ କିଛି ମହିଳା କାଠ ଆଣିବା ପାଇଁ ଯାଇଥିବା ବେଳେ ସେହି ସମୟରେ ତିନିଜଣ ପିଲା ଘଞ୍ଚଜଙ୍ଗଲ ମଧ୍ୟରେ ଚାଲିଚାଲି ଆସୁଥିବା ଦେଖିବାକୁ ପାଇଥିଲେ । ଉକ୍ତ ମହିଳା ମାନେ ପିଲା ମାନଙ୍କୁ ପଚାରିବାରୁ ସେମାନେ ମଣିପଦର ବିଦ୍ୟାଳୟର ହଷ୍ଟେଲରେ ରହି ପାଠପଢୁଥିବା କହିଥିଲେ । ପରେ ମହିଳା ମାନେ ତିନିଜଣ ପିଲାଙ୍କୁ ଆଣି ବନ୍ଧଗଡ ସରପଞ୍ଚଙ୍କ ପାଖରେ ଜିମା ଦେଇଥିଲେ ।

ସରପଞ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲିଲିମା ପାଣିଗ୍ରାହିଙ୍କୁ ଖବର ଦେଇଥିଲେ । ଘଟଣା ବିଷୟରେ କନ୍ଧମାଳ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ଘଟଣା ବିଷୟରେ ଖବରପାଇ ଫିରିଙ୍ଗିଆ ଅତିରିକ୍ତ ଗୋଷ୍ଠି ଶିକ୍ଷାଅଧିକାରୀ ମନୋଜ କୁମାର ମିଶ୍ର ଙ୍କୁ ଘଟଣାର ତଦନ୍ତ କରିବା ପାଇଁ ନିର୍ଦ୍ଧେଶ ଦେବା ପରେ ଏବିଇଓ ତୁରନ୍ତ ବିଦ୍ୟାଳୟରେ ପହଞ୍ଚି ତଦନ୍ତ କରିଥିବା ପ୍ରକାଶ । ଏହା ସହ ଫିରିଙ୍ଗିଆ ବିଡିଓ ରଶ୍ମିରଞ୍ଜନ ମହନ୍ତ ମଧ୍ୟ ବନ୍ଧଗଡ ପହଞ୍ଚି ଉଦ୍ଧାର ହୋଇଥିବା ପିଲାମାନଙ୍କୁ ଭେଟିବା ସହ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ । ଅନ୍ୟପଟେ ଏହି ମଣିପଦର ବିଦ୍ୟାଳୟରେ ବାରମ୍ବାର ଏଭଳି ଘଟଣା ଘଟିଚାଲିଥିବା ବେଳେ ଏହି ଘଟଣାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲ।। ପରେ ବିଇଓ, ସରପଞ୍ଚ, ପିଲାମାନଙ୍କ ଅଭିଭାବକ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟିତ୍ରୀ ଏକ ଲିଖିତ ଚୁକ୍ତିନାମା ସରପଞ୍ଚଙ୍କୁ ଦେଲାପରେ ଶିକ୍ଷୟିତ୍ରୀ ଙ୍କ ସାଙ୍ଗରେ ଉଦ୍ଧାର ହୋଇଥିବା ପିଲା ମାନେ ପୁଣି ଥରେ ବିଦ୍ୟାଳୟକୁ ଯାଇଥିଲେ । ତେବେ ଉଦ୍ଧାର ହୋଇଥିବା ପିଲା ମାନଙ୍କ ମଧ୍ୟରେ ଜଣେ ବାଲିଗୁଡା ଉପଖଣ୍ଡ ମୁରଦୁଲି ଗ୍ରାମର ବିକାଶ ମଲ୍ଲିକ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଫିରିଙ୍ଗିଆ ବ୍ଲକ ସାଡିଙ୍ଗିଆ ପଞ୍ଚାୟତ ବାଲିଗଟା ଗ୍ରାମର ବାସୁଦେବ କହଁର ଓ ଅନ୍ୟଜଣେ ଜାଜେସପାଙ୍ଗା ପଞ୍ଚାୟତର ମନିସ କହଁର ।

ତିନିଜଣ ଛାତ୍ର ମଣିପଦର ସ୍କୁଲରେ ରହି ପ୍ରଥମ ଶ୍ରେଣିରେ ପଢୁଥିବା ଜଣାପଡିଛି । ଏହି ଘଟଣା ପରେ ଏବିଓ ଙ୍କ ଉପସ୍ଥିତିରେ ବିଦ୍ୟାଳୟର ଅଭିଭାବକ ଓ ସ୍କୁଲ ପରିଚାଳନା କମିଟିର ସଦସ୍ୟଙ୍କ ଉପସ୍ଥିତିରେ ପ୍ରଧାନ ଶିକ୍ଷୟିତ୍ରୀ ଠାରୁ ଛାତ୍ରାବାସର ଦାୟିତ୍ୱ ତୁରନ୍ତ କାଢିନିଆଯାଇ ବିଦ୍ୟାଳୟର ଜଣେ ପୁରୁଷ ଶିକ୍ଷକଙ୍କୁ ଆଜି ପ୍ରଦାନ କରାଯାଇଛି । ତେବେ ସୂଚନା ପ୍ରକାରେ , ଗତ କିଛିଦିନ ତଳେ ସ୍କୁଲର ତିନିଜଣ ଛାତ୍ରଙ୍କୁ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଭିଭାବକ ମାନଙ୍କ ବିନା ଅନୁମତିରେ ଜୋର ଜବରଦସ୍ତ ଟିସି ଦେଇ ସ୍କୁଲରୁ ବାହାର କରିଦେଲା ପରେ ଛାତ୍ରଛାତ୍ର ମାନେ ଚାଲିଚାଲି ଯିବା ସମୟରେ ଫିରିଙ୍ଗିଆ ଠାରେ କେତେକ ଗଣମାଧ୍ୟମ ପ୍ରତିନିଧି ମାନଙ୍କ ହାବୁଡ଼ରେ ପଡ଼ିଥିଲେ । ପଚାର ଉଚରା ପରେ ଘଟଣା ସମ୍ପର୍କରେ ଅବଗତ ପରେ ସେମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ପ୍ରଶାସନକୁ ହସ୍ତାନ୍ତର କରାଯାଇଥିଲା । ଏହି ଘଟଣାକୁ ଦୁଇମାସ ନପୁରୁଣୁ ଆଜି ପୁଣି ତିନିଜଣ ଛାତ୍ର ସ୍କୁଲ ଛାଡି ଚାଲିଜାଉଥିବା ଘଟଣାପାଇଁ ଅଞ୍ଚଳରେ ତିବ୍ର ଅସନ୍ତୋସ ପ୍ରକାଶ ପାଇଥିବା ବେଳେ ସ୍କୁଲରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଟାନ ପାଇଁ ମଧ୍ୟ ଦାବି ହୋଇଛି ।

ଅନ୍ୟପଟେ ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଥିବା ବେଳେ ବିଭାଗୀୟ ଅଧିକାରୀମାନେ କାହିଁକି କୌଣଷି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି କେବଳ ସମାଧାନ କରି ଛାଡିଦେଇଉଛନ୍ତି ତାହାକୁ ନେଇ ମଧ୍ୟ ଅନେକ ପ୍ରଶ୍ନ ଉଠାଇଛନ୍ତି । ତେବେ ଘଟଣା ସମ୍ପର୍କରେ ସମ୍ପୃକ୍ତ ପ୍ରଧାନ ଶିକ୍ଷୟିତ୍ରୀଙ୍କୁ ପଚାରିବାରୁ ବିଦ୍ୟାଳୟଟି ବହୁ ପୁରାତନ ହୋଇଥିବା ବେଳେ ବିଦ୍ୟାଳୟ ପରିସରରେ ଶିକ୍ଷକ କିମ୍ବା ହଷ୍ଟେଲ ପରିଚାଳକ ମାନଙ୍କ ରହିବା ପାଇଁ କୌଣସି ବ୍ୟବସ୍ଥା ନାହିଁ । ଫଳରେ ଶିକ୍ଷକ କିମ୍ବା ଶିକ୍ଷୟିତ୍ରୀ କେହି ରହିପାରୁନାହାନ୍ତି । ଯାହାପାଇଁ ଏହିଭଳି ପରିସ୍ଥିତି ସୃଷ୍ଟି ହେଉଛି ବୋଲି କହିଛନ୍ତି । ଅନ୍ୟପଟେ ଘଟଣା ବିଷୟରେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ପଚାରିବାରୁ ଖୁବ ଶିଘ୍ର ଏହି ସ୍କୁଲରେ ଲାଗିରହିଥିବା ସମସ୍ୟା ଗୁଡିକର ସ୍ଥାୟୀ ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking