34.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶ୩ ଘଣ୍ଟା ପାଇଁ ୧୦୦ କୋଟି ଖର୍ଚ୍ଚ

୩ ଘଣ୍ଟା ପାଇଁ ୧୦୦ କୋଟି ଖର୍ଚ୍ଚ

ଅହମ୍ମଦାବାଦ: ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ଭାରତ ଗସ୍ତରେ ଆସିବେ । ଏହି ଅବସରରେ ସେ ଗୁଜୁରାଟ ଗସ୍ତ କରିବେ । ଏହା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ତାଙ୍କର ଦ୍ଵିପାକ୍ଷିକ ଆଲୋଚନା ହେବ । ଦୁଇ ନେତାଙ୍କ ମଧ୍ୟରେ ଏହି ସାକ୍ଷାତକାର ଦୁଇ ଦେଶର ସମ୍ବନ୍ଧକୁ ସୁଦୃଢ କରିବ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତିନି ଘଣ୍ଟା ପାଇଁ ଅହମଦାବାଦ ଆସିବେ । ତାଙ୍କୁ ଏଠାରେ ସ୍ୱାଗତ କରିବା ପାଇଁ ପ୍ରସ୍ତୁତ ହେଉଥିବା ଗୁଜରାଟ ସରକାର ଏଥିପାଇଁ ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ କହିଥିବା ବିଶେଷ ସୂତ୍ରରୁ ଜଣାପଡ଼ିଛି ।

ଆମରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୨୪ ଫେବ୍ରୁଆରୀରେ ଭାରତ ଗସ୍ତରେ ଆସୁଛନ୍ତି । ତାଙ୍କ ସହ ଆସୁଛନ୍ତି ତାଙ୍କର ପତ୍ନୀ ମିଲିନିଆ ଟ୍ରମ୍ପ । ଟ୍ରମ୍ପ ତାଙ୍କର ଯାତ୍ରା ପ୍ରଥମେ ମୋଦିଙ୍କ ଗୃହ ରାଜ୍ୟ ଗୁଜୁରାଟର ଅହମ୍ମଦାବାଦ ସହରରୁ ଆରମ୍ଭ କରିବେ । ତେଣୁ ଟ୍ରମ୍ପଙ୍କ ସ୍ୱାଗତ ପାଇଁ ଅହମ୍ମଦାବାଦରେ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଟ୍ରମ୍ପ ଦମ୍ପତ୍ତିଙ୍କ ସ୍ୱାଗତ ପାଇଁ ଗୁଜୁରାଟ ସରକାର ମନ ଖୋଲି ଖର୍ଚ୍ଚ କରୁଛନ୍ତି । ପୃଥିବୀର ସବୁଠାରୁ ଶକ୍ତିଶାଳୀ ଦେଶର ରାଷ୍ଟ୍ରପତିଙ୍କ ପାଇଁ ପୁରା ଅହମ୍ମଦାବାଦ ସହର ନବବଧ ପରି ସଜେଇ ହୋଇଛି ।

ଟ୍ରମ୍ପଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସହରକୁ ସୁନ୍ଦର ଭାବେ ସଜାଇବା ପାଇଁ ଅହମଦାବାଦ ମ୍ୟୁନିସିପାଲିଟି କର୍ପୋରେସନ୍ ଓ ଅହମଦାବାଦ ଅର୍ବାନ୍ ଡେଭଲପମେଣ୍ଟ ଅଥରିଟି ମିଳିତ ଭାବେ କାର୍ଯ୍ୟ କରୁଛନ୍ତି । ରାସ୍ତାଘାଟ ଚିକ୍କଣ କରିବା ସହିତ ସହରକୁ ସୁନ୍ଦର ଭାବେ ସଜାଇବା ପାଇଁ ଏହି ଦୁଇ ସଂସ୍ଥା ମିଶି ପାଖାପାଖି ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି । କେବଳ ଯେଉଁ ରୁଟ୍ ଦେଇ ଟ୍ରମ୍ପ ଯିବେ ତା’ର ସୌନ୍ଦର୍ଯ୍ୟକରଣ ସହିତ ଭେନ୍ୟୁ ସ୍ଥଳର ସାଜସଜ୍ଜା ପାଇଁ ୬ କୋଟି ଟଙ୍କା ବ୍ୟୟ କରାଯିବ । ବିମାନବନ୍ଦରରୁ ମୋଟେରା ଷ୍ଟାଡିୟମ ଓ ସାବରମତି ଆଶ୍ରମ ରାସ୍ତାର ପୃଷ୍ଠଭାଗକୁ ଚିକ୍କଣ କରିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟ କରିବାକୁ ସଂପୃକ୍ତ ବିଭାଗ ଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଛି ।

ଅହମଦାବାଦ ସହରର ରାସ୍ତାଘାଟ ନବୀକରଣ ଏବଂ ସହରର ସୌନ୍ଦର୍ଯ୍ୟକରଣରେ ଏହି ଅର୍ଥ ବ୍ୟୟ ହେବ । ସହରର ୧୭ଟି ପିଚୁ ରାସ୍ତାରେ ପୁଣି ଥରେ ପିଚୁ ପକାଯାଇ ସମତୁଲ କରାଯିବ । ଟ୍ରମ୍ପ୍ ‘ମୋଟେରା ଷ୍ଟାଡିୟମ୍’ ଉଦ୍ଘାଟନ କରିବା ପରେ ବିମାନ ବନ୍ଦରକୁ ଫେରିଯିବା ନିମନ୍ତେ ୧. ୫ କିଲୋମିଟର ଏକ ନୂଆ ସଡ଼କ ନିର୍ମାଣ କରାଯିବ । ଏସବୁ କାର୍ଯ୍ୟ ନିମନ୍ତେ ପ୍ରାୟ ୬୦ କୋଟି ଟଙ୍କା ଖର୍ଚ୍ଚ ହେବ । କାର୍ଯ୍ୟକ୍ରମ ସ୍ଥଳୀ ଏବଂ ସେଠାକୁ ଯିବା ରାସ୍ତାର ସୌନ୍ଦର୍ଯ୍ୟକରଣ ନିମନ୍ତେ ‘ଅହମଦାବାଦ ମ୍ୟୁନିସିପାଲ୍ କର୍ପୋରେସନ୍’ ୬ କୋଟି ଟଙ୍କା ଖର୍ଚ୍ଚ କରିବ । ରାସ୍ତା ମରାମତି ଲାଗି ‘ଅହମଦାବାଦ ଅର୍ବାନ୍ ଡେଭଲପମେଣ୍ଟ୍ ଅଥରିଟି’ ଖର୍ଚ୍ଚ କରିବ ୨୦ କୋଟି ଟଙ୍କା । ସମୁଦାୟ ୧୦୦ କୋଟି ଟଙ୍କା ବ୍ୟୟ ଅଟକଳରୁ କେନ୍ଦ୍ର ସରକାର କିଛି ସହାୟତା ଦେଇପାରନ୍ତି । କିନ୍ତୁ ରାଜ୍ୟ ସରକାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ଜଣାପଡ଼ିଛି । ମୋଟେରା ଷ୍ଟାଡିୟମରେ ଆୟୋଜିତ କାର୍ଯ୍ୟକ୍ରମ ଏବଂ ୧ ଲକ୍ଷରୁ ଅଧିକ ଲୋକଙ୍କ ପାଇଁ ଚା’ ପାଣି ବାବଦରେ ୭ରୁ ୧୦ କୋଟି ଟଙ୍କା ଖର୍ଚ୍ଚ ହେବ । ସୂଚନାଥାଉ କି, ଏହି ଗସ୍ତ ଅବସରରେ ମୋଦି ଏବଂ ଟ୍ରମ୍ପ ଅହମ୍ମଦାବାଦ୍ରେ ୨୨ କିଲୋମିଟରର ଏକ ରୋଡ୍ ଶୋ କରିବେ । ଏହି ଶୋ’ ରେ ୫୦ ହଜାରରୁ ଅଧିକ ବିଜେପି କର୍ମୀ ଯୋଗ ଦେବେ । ଏହି ଦିନ ମୋଦି ଏବଂ ଟ୍ରମ୍ପ ସାବରମତି ଆଶ୍ରମ ଯିବେ । ତେଣୁ ଏସବୁ ଯାତ୍ରାପଥକୁ ରଙ୍ଗୀନ କରାଯାଉଛି । ଡିଭାଇଡରରେ ରଙ୍ଗ ଦିଆଯାଉଛି । ଏ ବାବଦରେ ପ୍ରାୟ ୬ କୋଟି ଟଙ୍କା ଖର୍ଚ୍ଚ ହେଉଛି । ରୋଡ୍ ଶୋ’ ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ ହେବ ।

ତେବେ ରାଷ୍ଟ୍ରପତି ଟ୍ରମ୍ପ ଭାରତ ଗସ୍ତକୁ ନେଇ ବେଶ୍ ଉତ୍ସାହିତ ଅଛନ୍ତି । ଭାରତ ଆସିବା ଗୌରବର କଥା ବୋଲି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ୍ ଆଜି ଟ୍ଵିଟ୍ କରି କହିଛନ୍ତି ଯେ, ମୋତେ ଲାଗୁଛି ଏହା ସମ୍ମାନର କଥା । ଫେସବୁକରେ ଡୋନାଲ୍ଡ ଟ୍ରମ୍ପ ଏକ ନମ୍ବରରେ ଏବଂ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦ୍ଵିତୀୟ ସ୍ଥାନରେ ଅଛନ୍ତି ବୋଲି ମାର୍କ ଜୁକରବର୍ଗ କହିଛନ୍ତି । ମୁଁ ଦୁଇ ସପ୍ତାହ ପରେ ଭାରତ ଯାଉଛି । ଏହାକୁ ନେଇ ମୁଁ ଉତ୍ସାହିତ ଅଛି ।

ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତ ବୁଧବାର ଟ୍ଵିଟ୍ କରି କହିଥିଲେ ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଭାରତ ଗସ୍ତ ଦୁଇ ଦେଶର ସମ୍ପର୍କକୁ ସୁଦୃଢ କରିବ । ଆସନ୍ତା ଫେବୃଆରୀ ୨୪ ଓ ୨୫ରେ ରାଷ୍ଟ୍ରପତି ଟ୍ରମ୍ପ ଏବଂ ତାଙ୍କ ପତ୍ନୀ ମିଲାନିୟା ଭାରତ ଗସ୍ତରେ ଆସୁଛନ୍ତି ସେନେଇ ମୁଁ ଖୁସୀ । ଭାରତ ନିଜ ସମ୍ମାନୀୟ ଅତିଥିଙ୍କୁ ସାଦରେ ସ୍ଵାଗତ କରିବ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking