26.1 C
Bhubaneswar
Friday, March 29, 2024
Homeଓଡିଶାପାଞ୍ଚବର୍ଷ ହେଲା ପଲିଥିନ ତଳେ ଜୀବନ ବିତାଉଛନ୍ତି ଅସହାୟ ତିନିଭାଇ ଭଉଣୀ

ପାଞ୍ଚବର୍ଷ ହେଲା ପଲିଥିନ ତଳେ ଜୀବନ ବିତାଉଛନ୍ତି ଅସହାୟ ତିନିଭାଇ ଭଉଣୀ

ମୟୁରଭଞ୍ଜ: ଏଇତ ଜୀବନ। ସବୁ ପିଲାଙ୍କ ଆଖିରେ ଥାଏ ଆଖିଏ ସ୍ୱପ୍ନ। ପାଠ ପଢିବି ଭଲ ମଣିଷ ହେବି। ହେଲେ ଭାଗ୍ୟଚକ୍ରର ବିଚିତ୍ର ଖେଳ କାହା ଭାଗ୍ୟ ପଥର ତଳେ ତୋ କାହାର ପତର ତଳେ। କିଏ ବାପାମାଆଙ୍କ ଗେଲ୍ହା ଛୁଆ ହୋଇ ଗାଁ ଦାଣ୍ଡରେ ହସଖୁସିରେ ଖେଳିକୁଦି ପାଠପଢି ଜୀବନ ଜିଉଁଛି ଆଉ କିଏ ବାପାମାଆଙ୍କ ଅବର୍ତ୍ତମାନରେ ଖେଳକୁଦ ସାଙ୍ଗକୁ ବହିବସ୍ତାନୀରେ ଡୋରି ବାନ୍ଧି ପରିବାର ଦାୟିତ୍ବ କାନ୍ଧକୁ ନେଇ ସାନଭାଇ ଭଉଣୀଙ୍କ ପେଟକୁ ଦାନା ଦେହକୁ କନା ଯୋଗାଇବା ପାଇଁ ଖରା ବର୍ଷା ଶୀତକୁ ଖାତିରିନକରି କରୁଛି ହାଡଫଟା ପରିଶ୍ରମ।

ନାବାଳକ ସାନ ଭାଇଭଉଣୀଙ୍କ ପାଇଁ ନାବାଳକ ଭାଇ ସାଜିଛି ବାପା ମାଆ। ନିଜ ଭବିଷ୍ୟତ ବାଜିରେ ଲଗାଇ ସାନ ଭାଇଭଉଣୀଙ୍କ ଭବିଷ୍ୟତ ଗଢିବାକୁନେଇ ଦେଖୁଛି ସୁନେଲି ସ୍ୱପ୍ନ। ଏଭଳି ଉଦାରତା ସମର୍ପଣ ଭାବର ନିଚ୍ଛକ ଘଟଣା ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅଞ୍ଚଳରେ। ନିଶାଗ୍ରସ୍ତ ହୋଇ ବାପା ଘର ଛାଡିଲେ ବାପାର ମାରଣାନ୍ତକ ଧମକଚମକରେ ମାଆ ଘର ଛାଡି ପଳାଇଲା। ଗତ ଫାଇଲିନ ବାତ୍ୟା ପ୍ରଭାବରେ ଘର ଭାଙ୍ଗିଗଲା। ସବୁପ୍ରକାର ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ନାବାଳକ ଭାଇଭଉଣୀଙ୍କୁ ନେଇ ପଲିଥିନ ତଳେ କଟୁଛି ଜୀବନ। ହେଲେ ଫାଇଲିନରେ ଘର କାନ୍ଥ ଭାଙ୍ଗି ଯାଇଥିଲା ବେଳେ ପଲିଥିନଟେ ଯୋଗାଇ ଦେଇ କାମ ସାରି ଦେଇଛି ପ୍ରଶାସନ।ଭଙ୍ଗାଘରେ ପଲିଥିନ ତଳେ ନାବାଳକ ଭାଇଭଉଣୀଙ୍କୁ ନେଇ ବିପଦପୂର୍ଣ୍ଣ ଅବସ୍ଥାରେ ଜୀବନ ଜିଉଁଛି ନାବାଳକ ଭାଇ।

ହେଲେ ଅସହାୟ ଭାଇଭଉଣୀଙ୍କୁ ପଞ୍ଚାୟତ କି ବ୍ଲକ ପ୍ରଶାସନର ଦୃଷ୍ଟି ଆଢୁଆଳରେ ଦୀର୍ଘ ୫ବର୍ଷ କଟାଇଲେ ଏହି ଅସହାୟ ଭାଇଭଉଣୀ। ତେବେ ପଞ୍ଚାୟତ ହେଉକି ବ୍ଲକ ପ୍ରଶାସନ ଗାଁଗଣ୍ଡା ଗସ୍ତରେ ଆସୁଛନ୍ତି କି ନା ଯଦି ଆସୁଛନ୍ତି କାହା ପାଇଁ ବୋଲି ପ୍ରଶ୍ନ ଉଠୁଛି। ସେହିପରି ଦେଶର ଏକ ନମ୍ବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଭିନ୍ନ ସମୟରେ କହୁଛନ୍ତି ନିର୍ମଳ ଶାସନ ସ୍ୱଚ୍ଛ ଏବଂ ସକ୍ରିୟ ପ୍ରଶାସନ। ଏଚିତ୍ର ବୟାନ କରୁଛି କି ତୃଣମୂଳ ସ୍ତରରେ ପ୍ରଶାସନ ସକ୍ରିୟ ବୋଲି। ଅନ୍ୟପଟେ ଏଠାରେ ବିରୋଧୀ ବିଜେପି ଦଳର ବିଧାୟକ ଥିଲା ବେଳେ ସେ କି କାମ କରୁଛନ୍ତି ଏବଂ କାହା ପାଇଁ କରୁଛନ୍ତି ଏହି ଘଟଣା ତାର ଉପଯୁକ୍ତ ଉଦାହରଣ ବୋଲି କୁହାକୁହି ହେଉଛନ୍ତି ସ୍ଥାନୀୟ ଲୋକମାନେ।

ଅନ୍ୟପଟେ ବାପ,ମାଆର ବାଟ ଚାହିଁ ଚାହିଁ ବିତିଗଲା ପାଞ୍ଚ ବର୍ଷ,ଘର ଟିକକ ଥିଲା, ପଞ୍ଚବର୍ଷ ତଳେ ଭାଙ୍ଗିଦେଲା ଫାଇଲିନ୍,ପାଠ ପଢ଼ିବାରେ ବାଧକ ସାଜିଲା ଆର୍ଥିକ ଅବସ୍ଥା। ମୁଣ୍ଡ ଗୁଞ୍ଜିବାକୁ ଚାଳ ନ ଥିବା ବେଳେ ପେଟକୁ ନାହିଁ ଦାନା। ପାଞ୍ଚବର୍ଷ ତଳେ ସରକାରୀ ସହାୟତା ଭାବେ ତହସିଲରୁ ମିଳିଥିବା ପଲିଥିନ ଖଣ୍ଡକ ଏବେବି ସାହାରା ହୋଇ ରହିଛି ବେସାହାରା ଭାଇଭଉଣୀଙ୍କ ପାଇଁ। ଦେଖିଲେ ଦୁଃଖ ଲାଗୁଛି, କିନ୍ତୁ ପାଞ୍ଚବର୍ଷ ବିତି ଯାଇଥିଲେ ମଧ୍ୟ କୌଣସି ପ୍ରଶାସନିକ ଅଧିକାରୀଙ୍କ ନଜରକୁ ଆଜି ପର୍ଯ୍ୟନ୍ତ ଆସୁ ନାହିଁ ଏ ଦୃଶ୍ୟ। ଆଗରୁ ରାସନ୍ ସାମଗ୍ରୀ ଭାବେ ମିଳୁଥିବା ମୁଣ୍ଡପିଛା ୫ କିଲୋ ଚାଉଳ ୩ ମାସ ହେଲା ପାଇ ନାହାଁନ୍ତି ଏହି ଭାଇଭଉଣୀ।

ବଡ଼ଭାଇ ଦିନ ମଜୁରିଆ ଭାବେ ହାଡଫଟା ପରିଶ୍ରମ କରି ଯାହା ରୋଜଗାର କରେ ସେଇଥିରେ ବହୁକଷ୍ଟରେ ପେଟକୁ ଦାନା ଦେହକୁ କନା ଯୋଗାଡ଼ କରି ଗୁଜୁରାଣ ମେଣ୍ଟାଉଛି ଭାଇଭଉଣୀର। ଏହି ସମ୍ବେଦନଶୀଳ, ସ୍ପର୍ଶକାତର ତଥା ହୃର୍ଦୟବିଦାରକ ଘଟଣାଟି ହେଲା ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ୍ ଖଡମବେଡା ପଞ୍ଚାୟତ କିତାବେଡା ଗ୍ରାମର। ଏକଥା ଆମେ କହୁ ନାହୁଁ ଆଜ୍ଞା, କହୁଛି ବାପ,ମାଆ ଛାଡି ଚାଲି ଯାଇଥିବା ବେସାହାରା ନାବାଳକ ଭାଇଭଉଣୀର ବଡ଼ ଭାଇ ଜଙ୍ଗଲ ନାଏକ

ତେବେ ସ୍ଥାନୀୟ ପ୍ରଶାସନ କେତେ ସକ୍ରିୟ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶକୁ କିପ୍ରକାର ଗୁରତ୍ୱ ଦେଉଛନ୍ତି ଏବଂ ଅସହାୟ ଆଦିବାସୀ ନାବାଳକ ଭାଇଭଉଣୀଙ୍କୁ ପ୍ରଶାସନ ଏବଂ ସ୍ଥାନୀୟ ବିଧାୟକ ସରକାରୀ ଯୋଜନାରେ ସାମିଲ କରି କି ସୁବିଧା ସୁଯୋଗ ଯୋଗାଇ ଦେଉଛନ୍ତି କି ନା ଦେଖିବାକୁ ବାକି ରହିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking