34.1 C
Bhubaneswar
Thursday, April 25, 2024
Homeଓଡିଶାବିଜେପିର ୩ ବିଧାୟକ ନିଲମ୍ବିତ

ବିଜେପିର ୩ ବିଧାୟକ ନିଲମ୍ବିତ

ଭୁବନେଶ୍ୱର: ବାଚସ୍ପତିଙ୍କ ଉପରକୁ ଇଅରଫୋନ ଓ ଚପଲ ଫିଙ୍ଗିବା ଘଟଣାରେ ବିଜେପିର ୩ ବିଧାୟକଙ୍କୁ ଗୃହରୁ ନିଲମ୍ବିତ କରାଯାଇଛି । ବିରୋଧୀ ଦଳର ଉପନେତା ବିଷ୍ଣୁ ସେଠୀ, ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ଓ ବିଧାୟକ ଜୟନାରାୟଣ ମିଶ୍ର ଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଗୃହର ପ୍ରସ୍ତାବକ୍ରମେ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଏହି ପଦକ୍ଷପ ନେଇଛନ୍ତି । ଏହାର ପ୍ରତିବାଦ କରି ବିଜେପି ବିଧାୟକମାନେ କକ୍ଷ ତ୍ୟାଗ କରିଥିଲେ ଏବଂ ମହାତ୍ମାଗାନ୍ଧୀଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ ।
ଆଜି ବିଧାନସଭାରେ ଖଣି ପ୍ରସଙ୍ଗକୁ ନେଇ ଆଲୋଚନା କରିବା ପାଇଁ ବାଚସ୍ପତି ଅନୁମତି ନଦେବାରୁ କଂଗ୍ରେସ ଓ ବିଜେପି ବିଧାୟକ ପ୍ରତିବାଦ କରିଥିଲେ । ଗୃହରେ ଗଣ୍ଡଗୋଳ ହୋଇଥିଲା । ଗଣ୍ଡଗୋଳ ଭିତରେ ବାଚସ୍ପତି କେତେକ ସରକାରୀ ବିଲ ଗୃହୀତ କରାଇବାକୁ ପଦକ୍ଷପ ନେଇଥିଲେ । ଏହାର ପ୍ରତିବାଦରେ ବିଧାୟକମାନେ ଉତକ୍ଷିପ୍ତ ହୋଇଥିଲେ । ବିଜେପି ବିଧାୟକମାନେ ଚପଲ, ଇଅରଫୋନ, ଡଷ୍ଟବିନ ଓ ପେପର ବାଚସ୍ପତିଙ୍କ ଉପରକୁ ଫିଙ୍ଗିଥିଲେ । ଏହି ଘଟଣା ଦେଖି ବାଚସ୍ପତି ଗୃହକୁ ମୁଲତବି ରଖିଥିଲେ । ଅପରାହ୍ମ ଅଧିବେଶନରେ ଏହା ଉପରେ ଆଲୋଚନା ହୋଇଥିଲା । ଶାସକ ଦଳର ବିଧାୟକମାନେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଥିବା ବେଳେ କଂଗ୍ରେସ ଏହି ଘଟଣାକୁ ନିନ୍ଦା କରିଥିଲା । ବାଚସ୍ପତି ଘଟଣାର ଯାଂଚ ପାଇଁ ବିଧାନସଭାର ଭିଡିଓ ରେକର୍ଡିଂ ମଗାଇଥିଲେ ଓ ସର୍ବଦଳୀୟ କମିଟି କରି ଯାଂଚ କରିଥିଲେ । ଏହି କମିଟିରେ ସଂସଦ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର, ସରକାରୀ ଦଳର ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କୁ ନେଇ ଭିଡିଓ ଫୁଟେଜର ଯାଂଚ କରାଯାଇଥିଲା । ବାଚସ୍ପତିଙ୍କ ଉପସ୍ଥିତିରେ ଏହି ଯାଂଚ ହୋଇଥିଲା । ଯାଂଚ ପରେ ଏହି ୩ ବିଧାୟକ ଇଅରଫୋନ ଓ ଚପଲ ଫିଙ୍ଗିଥିବା ଜଣାପଡିଲା । ଏମାନଙ୍କୁ ଗୃହରୁ ସସପେଣ୍ଡ କରିବା ପାଇଁ ସରକାରୀ ଦଳର ମୁଖ୍ୟ ସଚେତକ ଏକ ପ୍ରସ୍ତାବ ଆଣିଥିଲେ । ଧୋନୀ ମତରେ ପ୍ରସ୍ତାବ ଗୃହିତ ହୋଇଥିଲା । ବାଚସ୍ପତି ଏହି ୩ ବିଧାୟକଙ୍କ ନାଁ ଧରି ତୁରନ୍ତ ଗୃହ ଛାଡି ଚାଲିଯିବାକୁ ନିର୍ଦ୍ଦେଶ ଦେଇଥିଲେ । ଚଳିତ ଅଧିବେଶନ ସରିବା ଯାଏ ଏହି ବିଧାୟକମାନେ ଗୃହକୁ ଆସିପାରିବେ ନାହିଁ ବୋଲି ଘୋଷଣା କରିଥିଲେ । ଏଥିରେ ବିଜେପିର ଅନ୍ୟ ବିଧାୟକମାନେ ପ୍ରତିବାଦ କରିଥିଲେ । ସମସ୍ତେ ଏକାଠି ଗୃହ ଛାଡି ଚାଲିଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking