29.1 C
Bhubaneswar
Wednesday, April 24, 2024
Homeଖେଳଥୋମାସ୍ କପ୍ : ନେଦରଲାଣ୍ଡ୍‌ସକୁ ୫-୦ରେ ହରାଇଲା ଭାରତ

ଥୋମାସ୍ କପ୍ : ନେଦରଲାଣ୍ଡ୍‌ସକୁ ୫-୦ରେ ହରାଇଲା ଭାରତ

ଆରହସ୍‌:  ଥୋମାସ୍ ଓ ଉବେର୍ କପ୍ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଭାରତୀୟ ମହିଳା ଦଳ  ଉବେର୍ କପ୍‌ରେ ସ୍ପେନ୍ ବିପକ୍ଷରେ ୩-୦ରେ ବିଜୟୀ ହୋଇଥିଲା । ମହିଳା ଦଳ ପରି ପୁରୁଷ ଦଳ ମଧ୍ୟ ବିଜୟ ସହ ଥୋମାସ୍ କପ୍‌ରେ ଅଭିଯାନ ଆରମ୍ଭ କରିଛି। କିଦାମ୍ବୀ ଶ୍ରୀକାନ୍ତଙ୍କ ନେତୃତ୍ୱାଧୀନ ଭାରତୀୟ ଟିମ୍ ଗ୍ରୁପ୍‌-ସି ‘ରେ ସ୍ଥାନ ପାଇଥିବା ବେଳେ ଦଳ ତା’ର ପ୍ରଥମ ମୁକାବିଲାରେ ନେଦରଲାଣ୍ଡ୍‌ସକୁ ୫-୦ରେ ପରାସ୍ତ କରି ଏକତରଫା ବିଜୟ ହାସଲ କରିଛି । ପ୍ରଥମେ ଶ୍ରୀକାନ୍ତ କୋର୍ଟକୁ ଓହ୍ଲାଇବା ସହ ତାଙ୍କର ମୁକାବିଲା ଜୋରାନ୍ କ୍ୱିକେଲ୍‌ଙ୍କ ସହ ହୋଇଥିଲା । ରବିବାର ରାତିରେ ଖେଳାଯାଇଥିବା ଏହି ସିଙ୍ଗଲ୍ସ ମୁକାବିଲାରେ ଶ୍ରୀକାନ୍ତ ୨୧-୧୨, ୨୧-୧୪ରେ ବିଜୟୀ ହୋଇ ଭାରତକୁ ଆଗୁଆ କରାଇଥିଲେ ।

ଏହାପରେ ଡବଲ୍ସରେ ସାତ୍ତ୍ୱିକସାଇରାଜ୍ ରାଙ୍କିରେଡ୍ଡୀ ଓ ଚିରାଗ୍ ଶେଟ୍ଟୀଙ୍କ ଯୋଡ଼ି ପ୍ରତିପକ୍ଷ ନେଦରଲାଣ୍ଡ୍‌ସ ଯୋଡ଼ି ରୁବେନ୍ ଜିଲି-ଟାଏଜ୍ ଭାନ୍ ଡର୍ ଲେକ୍‌ଙ୍କୁ ୨୧-୧୯, ୨୧-୧୨ରେ ପରାସ୍ତ କରି ଅଗ୍ରଣୀକୁ ଦ୍ୱିଗୁଣିତ କରିଥିଲେ । ସେହିପରି ଦ୍ୱିତୀୟ ସିଙ୍ଗଲ୍ସ ମୁକାବିଲାରେ ୱାର୍ଲ୍ଡ ଚାମ୍ପିଅନ୍‌ଶିପ୍‌ରେ ବ୍ରୋଞ୍ଜ୍ ପଦକ ହାତେଇଥିବା ବି. ସାଇ ପ୍ରଣୀତ ପ୍ରତିଦ୍ୱନ୍ଦ୍ୱୀ ରବିନ୍ ମେସମାନ୍‌ଙ୍କୁ ୨୧-୪, ୨୧-୧୨ରେ ପରାସ୍ତ କରି ମ୍ୟାଚ୍‌ଟିକୁ ମାତ୍ର ୨୭ ମିନିଟ୍‌ରେ ଶେଷ କରିଥିଲେ । ଏଥିସହ ଭାରତ ୩-୦ର ଅପରାଜେୟ ଅଗ୍ରଣୀ ମଧ୍ୟ ହାସଲ କରିଥିଲା ।

ପରେ ଦ୍ୱିତୀୟ ଡବଲ୍ସ ମ୍ୟାଚ୍‌ରେ ଏମଆର୍ ଅର୍ଜୁନ-ଧ୍ରୁବ୍ କପିଲା ୨୧-୧୨, ୨୧-୧୩ରେ ନେଦରଲାଣ୍ଡ୍‌ସ ଯୋଡ଼ି ଆଣ୍ଡି ବୁଇକ୍‌-ବ୍ରାଏନ୍ ୱାସିଙ୍କ୍‌ଙ୍କୁ ପରାସ୍ତ କରିଥିବା ବେଳେ ତୃତୀୟ ତଥା ଅନ୍ତିମ ସିଙ୍ଗଲ୍ସ ମ୍ୟାଚ୍‌ରେ  ସମୀର ବର୍ମା ୨୧-୬, ୨୧-୧୧ରେ ଜିଜ୍‌ଓ ଡୁଇଜସଙ୍କ ବିପକ୍ଷରେ ବିଜୟୀ ହୋଇଥିଲେ । ଏଥିସହ ଭାରତ ୫-୦ରେ ବିଜୟୀ ହୋଇଥିଲା । ଦଳ ତା’ର ପରବର୍ତ୍ତୀ ମୁକାବିଲାରେ ମଙ୍ଗଳବାର ତାହିତିକୁ ଭେଟିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking