ଅଛି ଆଇନ, ନାହିଁ ଶୃଙ୍ଖଳା : କ୍ରାଇମ୍ ସିନ୍ ସରିବା ପରେ ପହଞ୍ଚୁଛି ପୋଲିସ

ଭୁବନେଶ୍ୱର :  ରାଜଧାନୀରେ ଦିନକୁ ଦିନ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡ଼ିବାରେ ଲାଗିଛି । କେତେବେଳେ ବସ୍ତି ଗୁଡ଼ିକରେ ହଣାକଟା ଦେଖିବାକୁ ମିଳୁଥିବାବେଳେ ପୁଣି କେବେ ନିଶା କାରବାରକୁ ନେଇ ମାରପିଟ୍ ହେଉଛିି । ଏମିତିକି ଦୁର୍ବୃତ୍ତମାନେ ପୋଲିସକୁ ପିଟିବାକୁ ମଧ୍ୟ ପଛାଉନାହାନ୍ତି । ମାଷ୍ଟରକ୍ୟାଣ୍ଟିନ୍ ନିକଟରେ ଦୁଇଗୋଷ୍ଠୀ ମଧ୍ୟରେ ହଣାକଟା ହେଉ ବା ମଞ୍ଚେଶ୍ୱର ମୁଣ୍ଡାବସ୍ତିରେ ୫୦ରୁ ଅଧିକ ଲୋକଙ୍କ ସଂଘବଦ୍ଧ ଆକ୍ରମଣ । ଏହିସବୁ ଦୃଶ୍ୟ ଦେଖିଲେ ପୋଲିସ ଶୋଇଥିବା ଜଣାପଡୁଛି । ଅଧଅଧ ଘଣ୍ଟା ଧରି କ୍ରାଇମ୍ ସିନ୍ ଚାଲୁଥିଲେ ବି ସବୁ ସରିବା ପରେ ପୋଲିସ ପହଞ୍ଚୁଛି । ଏମିତିକି କ୍ରାଇମ୍ ଚାଲୁଥିବାବେଳେ ଯଦି ପହଞ୍ଚିଗଲା ତେବେ ପୋଲିସକୁ ମାଡ଼ ଖାଇବାକୁ ପଡୁଛି। ଏଭଳି ଘଟଣା ସବୁ ଦେଖିବା ପରେ  ଏଠାରେ ଆଇନ ଥିଲେ ହେଁ ଶୃଙ୍ଖଳା ନଥିବା ଚର୍ଚ୍ଚା ହେଉଛି । ଏପରିକି ଅପରାଧୀମାନେ ପୋଲିସକୁ ଭୟ କରୁନଥିବା ଭଳି ମନେହେଉଛି । ଯଦି ଏହିଦିଗ ପ୍ରତି ଯଦି ଧ୍ୟାନ ଦିଆନଯାଏ, ତା’ହେଲେ ଆଗାମୀ ଦିନରେ ଆଇନଶୃଙ୍ଖଳା ପରିସ୍ଥିତି ଭୁଶୁଡ଼ିଯିବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ମୁଣ୍ଡାବସ୍ତି ଆକ୍ରମଣ ଘଟଣାରେ ୨୧ଗିରଫ
ରାଜଧାନୀର ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ମୁଣ୍ଡାବସ୍ତିରେ ଗତ ଶୁକ୍ରବାର ସନ୍ଧ୍ୟାରେ ସୃଷ୍ଟ ଗୋଷ୍ଠୀ ସଙ୍ଘର୍ଷ ଘଟଣାରେ ପୋଲିସ ମିଡ୍‌ଲ୍ୟାଣ୍ଡ ହୋଟେଲମାଲିକଙ୍କ ସମେତ ମୋଟ୍ ୨୧ଜଣଙ୍କୁ ଗିରଫ କରିଛି । ଘଟଣା ପରେ ସମ୍ପୃକ୍ତ ହୋଟେଲମାଲିକ ଅଭିଯୁକ୍ତଙ୍କୁ ଲୁଚାଇ ରଖିଥିଲେ। ଏମିତିକି ପୁଲିସକୁ ମଧ୍ୟ ସହଯୋଗ କରିନଥିଲେ । ସମସ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଥାନାଧିକାରୀ ସୂଚନା ଦେଇଛନ୍ତି । ତେବେ ଅନ୍ୟ ୩୦ରୁ ୩୫ଜଣ ଅଭିଯୁକ୍ତ ଏବେ ବି ଫେରାର୍ ଅଛନ୍ତି । ସେମାନଙ୍କୁ ଧରିବା ପାଇଁ ପୋଲିସ ଉଦ୍ୟମ ଚଳାଇଛି । ଏହି ଘଟଣାରେ ମୁଣ୍ଡାବସ୍ତିର ୬ଜଣ ଆହତ ହୋଇଛନ୍ତି । ସେମାନେ ହେଲେ ଛବି ଦାସ, ଜଗନ୍ନାଥ ସିଙ୍କୁ(୧୭), ରାଉତ ବଡ଼ରା(୫୦), ସୁରଜ ବେହେରା(୧୯), ରଘୁନାଥ ମୁଣ୍ଡା(୬୦) ଓ ବିପିନ୍ ପୁର୍ତ୍ତି(୩୫) ।

ସୂଚନା ଅନୁଯାୟୀ, ମୁଣ୍ଡାବସ୍ତିରେ ରହୁଥିବା ଜଣେ ଯୁବକ ଫେସବୁକ୍‍ରେ ଚାଟିଂ କରିବାବେଳେ ସବରସାହିର ଜଣେ ଯୁବକଙ୍କୁ ଗାଳିମନ୍ଦ କରିଥିଲେ । ଯାହାକୁ ନେଇ ଦୁହିଁଙ୍କ ମଧ୍ୟରେ ବିବାଦ ଦେଖା ଦେଇଥିଲା । ଶୁକ୍ରବାର ସନ୍ଧ୍ୟା ୬ଟା ସମୟରେ ସବରସାହିର ଯୁବକଜଣକ ମୁଣ୍ଡାବସ୍ତିକୁ ଆସିଥିବାବେଳେ ତାଙ୍କୁ କେତେକ ଯୁବକ ମାଡ଼ ମାରିବା ସହ ବାନ୍ଧି ଦେଇଥିଲେ । ପରେ ସବରସାହିର ଯୁବକ ଜଣକ ଏନେଇ ତାଙ୍କ ସାହିପିଲାଙ୍କୁ ଫୋନ୍ କରି ଜଣାଇଥିଲା । ଏନେଇ ୫୦ରୁ ଅଧିକ ଯୁବକ ଏକାଠି ହୋଇ ମୁଣ୍ଡାବସ୍ତି ଆଡ଼କୁ ମାଡ଼ି ଆସିଥିଲେ । ଏତେସଂଖ୍ୟକ ଯୁବକ ଖଣ୍ଡା, ଠେଙ୍ଗା ଧରି ଆସିଥିବା ଦେଖି ମୁଣ୍ଡାବସ୍ତିର ଲୋକମାନେ ଘରେ ଲୁଚିଯାଇଥିଲେ ।

ଆକ୍ରମଣକାରୀମାନେ ପ୍ରଥମେ ବସ୍ତି ଭିତରେ ଥିବା ଅଟୋ, ବାଇକ ଏବଂ କାର୍‍କୁ ପିଟି ଚୁରମାର କରିଥିଲେ । ବସ୍ତି ଭିତରେ ଆତଙ୍କ ଖେଳାଇବା ସହ ଗାଳିମନ୍ଦ କରିଥିଲେ । ଏମିତିକି ଜଣକ ପରେ ଜଣକୁ ଗୋଡ଼ାଇ ଗୋଡ଼ାଇ ହାଣି ଚାଲିଥିଲେ । ଆହତ ଯୁବକମାନେ ଜୀବନ ବିକଳରେ ଦୌଡ଼ିଥିଲେ ମଧ୍ୟ ଆକ୍ରମଣକାରୀ ଛାଡ଼ି ନଥିଲେ । ଏହିଭଳି ୩୦ମିନିଟ୍‍ ଧରି ଆତଙ୍କ ଖେଳାଇବା ପରେ ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିଲେ । ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ଓ ଘଟଣାସ୍ଥଳରେ ପହଞ୍ôଚ ଆହତମାନଙ୍କୁ କ୍ୟାପିଟାଲ ହସ୍ପିଟାଲ ନେଇଥିଲା ।

ପୋଲିସକୁ ପିଟିଲେ ୬ କିନ୍ନର
ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଶୁକ୍ରବାର ବିଳମ୍ବିତ ରାତିରେ କିନ୍ନରଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ଯାତ୍ରୀଙ୍କ ଠାରୁ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିବାବେଳେ ପୋଲିସ ସେମାନଙ୍କୁ ବାରଣ କରିଥିଲା । କିନ୍ନରମାନେ ଏଥିରେ ଉତ୍‌କ୍ଷିପ୍ତ ହୋଇ ଫାଣ୍ଡି ହାବିଲଦାରଙ୍କ ସମେତ ୨ କର୍ମଚାରୀଙ୍କୁ ନିର୍ଧୁମ ମାଡ଼ ମାରିଥିଲେ । ପୋଲିସକୁ ମାଡ଼ ମାରିବା ଘଟଣାରେ ପୋଲିସ ୬ଜଣ କିନ୍ନରଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ କରିଛି । ଗିରଫ କିନ୍ନରମାନେ ହେଲେ ଏୟାରପୋର୍ଟ ଥାନା ଅନ୍ତର୍ଗତ ପୋଖରୀପୁଟ କାର୍ଗିଲବସ୍ତିରେ ରହୁଥିବା ରାନୀ ବେହେରା ଓରଫ ରାଜୁ ବେହେରା, ସାଲିନୀ ଦାସ ଓରଫ ସାଗର ଦାସ, ଲୋପା ସେଠୀ ଓରଫ ପପୁନ୍ ସେଠୀ, ସୁନି ଜେନା ଓରଫ ନନ୍ଧ ଜେନା, ଭରତପୁର ତାରିଣୀବସ୍ତିର ଦିପାଲି ନାୟକ ଓରଫ ତୋଫାନ ନାୟକ ଏବଂ ରୋହନା ମଲ୍ଲିକ ଓରଫ ସୁଜିତ ମଲ୍ଲିକ ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତି ୯.୩୦ସମୟରେ ଜଣେ ଯୁବକ ବସରୁ ଓହ୍ଲାଇ ଏକୁଟିଆ ଛିଡ଼ା ହୋଇଥିଲେ । ଏହି ସମୟରେ ବରମୁଣ୍ଡା ବସ୍‌ଷ୍ଟାଣ୍ଡ ଓଭରବ୍ରିଜ ତଳେ କେତକ କିନ୍ନର ଯୁବକଙ୍କ ପାଖକୁ ଆସିଥିଲେ । ପରେ ଯୁବକଙ୍କ ଠାରୁ ସେମାନେ ଟଙ୍କା ଛଡ଼ାଇ ନେବାକୁ ଉଦ୍ୟମ କରିଥିଲେ । ଏସମ୍ପର୍କରେ ସ୍ଥାନୀୟଲୋକେ ବସ୍‌ଷ୍ଟାଣ୍ଡ ଭିତରେ ଥିବା ଫାଣ୍ଡିକୁ ଜଣାଇଥିଲେ । ଖବର ପାଇ ଫାଣ୍ଡି ହାବିଲଦାର ଦିନେଶ ବିଶ୍ୱାଳ ସେଠାରେ ପହଞ୍ଚି ଯୁବକଙ୍କୁ କିନ୍ନରମାନଙ୍କ କବଳରୁ ଉଦ୍ଧାର କରିବା ସହ ସେମାନଙ୍କୁ ସେଠାରୁ ଘଉଡ଼ାଇ ଥିଲେ । ଏତିକିବେଳେ ୬ରୁ ଅଧିକ କିନ୍ନର ସଂଘବଦ୍ଧ ଭାବରେ ହାବିଲଦାରଙ୍କୁ ଆକ୍ରମଣ କରିଥିଲେ । ଯାହାଫଳରେ ଦିନେଶଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ତଳେ ପଡ଼ିଯାଇଥିଲେ । ଘଟଣାସ୍ଥଳରୁ ଲୋକେ ଦିନେଶଙ୍କୁ ଉଦ୍ଧାର କରି ନିକଟସ୍ଥ ସମ୍ ହସ୍ପିଟାଲକୁ ପଠାଇବା ସହ ଭରତପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ଥାନା ଅଫିସରମାନେ ସେଠାରେ ପହଞ୍ଚି ୬ଜଣ କିନ୍ନରଙ୍କୁ ଗିରଫ କରିଥିଲେ ।

ପୋଲିସ ଆଗରେ ହଣାକଟା
ଜନଗହଳିପୂର୍ଣ୍ଣ ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍ ରେଳଷ୍ଟେସନରେ ଗତ ୨୬ ତାରିଖରେ ୨ଗୋଷ୍ଠୀ ମଧ୍ୟରେ ହଣାକଟା ଦେଖିବାକୁ ମିଳିଥିଲା। ରାସ୍ତା ମଝିରେ କେତେକ ଦୁର୍ବୃତ୍ତ କାହାକୁ ଖଣ୍ଡା ଧରି ଗୋଡ଼ାଇ ହାଣୁଥିଲେ, ପୁଣି କାହାକୁ ଲୁହାପାଇପ୍‌ରେ ପିଟି ଚାଲିଥିଲେ । ଏହାଦେଖି ପଥଚାରୀ ଓ ଯାତ୍ରୀଙ୍କ ମନରେ ଭୟ ସୃଷ୍ଟି ହୋଇଥିଲା । ଏହି ଗଣ୍ଡଗୋଳ ମାଳିସାହି ମସଜିଦ୍ କଲୋନୀର ସେଖ୍ ସାହିଦ୍ ନାମକ ଜଣେ ଯୁବକ ଓ ମାଷ୍ଟରକ୍ୟାନ୍ଟିନ୍ ଛକରେ ପାନଦୋକାନ କରିଥିବା ରାକେଶ ବେହେରା ଓରଫ ରାଜା ମଧ୍ୟରେ ଘଟିଥିଲା । ସାହିଦ୍ ୧୨ଜଣ ଯୁବକଙ୍କୁ ସାଙ୍ଗରେ ଆଣି ରାଜାକୁ ଖଣ୍ଡାରେ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ପ୍ରତିଆକ୍ରମଣରେ ରାଜା ତା’ର ୩ ସହଯୋଗୀଙ୍କ ସହ ମିଶି ସେମାନଙ୍କୁ ଗୋଡ଼ାଇ ଗୋଡ଼ାଇ ଲୁହାପାଇପ୍‌ରେ ପିଟିଥିଲା ।

ଏଥିରେ ସାହିଦ୍ ସମେତ ମସଜିଦ୍ କଲୋନୀର ସେଖ୍ ରୂପଲିନ୍‌, ସେଖ୍ ରାଜା, ସେଖ୍ କାନାମ୍ ଆହତ ହୋଇଥିଲେ ।  ଏହି ଘଟଣାର ପୁଲିସ ରାଜା ସମେତ ୨ଜଣଙ୍କୁ ଗିରଫ କରିଥିଲା । ତେବେ ନିଶା କାରବାର ଓ ପୂର୍ବଶତ୍ରୁତାକୁ ନେଇ ଏହି ଗଣ୍ଡଗୋଳ ହୋଇଥିବା ଜଣାପଡ଼ିଥିଲା । ଏମିତିକି ଦୁର୍ବୃତ୍ତମାନେ ଭୟ ନକରି ବିଚ୍ ରାସ୍ତାରେ ଖଣ୍ଡା ବୁଲାଇଥିଲେ । ପୋଲିସ ଚେକ୍ ପୋଷ୍ଟର ୩୦୦ମିଟର ଦୂରତାରେ ଏଭଳି ଦେଖିବାକୁ ମିଳିଥିଲା । କେତେକ ପୋଲିସ କର୍ମଚାରୀ ଏହା ଦେଖୁଥିଲେ ବି ଅଟକାଇନଥିଲେ । ପ୍ରାୟ ୨୦ମିନିଟ୍‌ର ହଣାକଟା ପରେ କ୍ୟାପିଟାଲ ଥାନା ପୁଲିସ ଟିମ୍ ସେଠାରେ ପହଞ୍ଚିଥିଲା । ଚେକ୍‌ପୋଷ୍ଟ ନିକଟରେ ଏହି ସବୁ ଘଟିଥିଲେ ବି ପୋଲିସ ରୋକିନଥିଲା । ଏଥିରୁ ସ୍ପଷ୍ଟ ହେଉଛି ଯେ, ପୋଲିସ ଏଭଳି କ୍ରାଇମ୍ ସିନ୍ ଦେଖି ଭୟଭୀତ ହୋଇପଡ଼ିଥିଲା । ତେଣୁ ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ସବୁ ସରିବା ପରେ ସେଠି ପହଞ୍ଚିଥିଲା ।

LEAVE A REPLY

Please enter your comment!
Please enter your name here