ଭୁବନେଶ୍ୱର: ସୋସିଆଲ୍ ମିଡ଼ିଆ ସାଇଟ୍ ୟୁଟୁବ୍ରେ ଜଣେ ମହିଳାଙ୍କୁ ଅଶିଳ ଭାଷାରେ ଗାଳିଗୁଲଜ କରିବା ସହ ଚରିତ୍ର ହରଣ ଏବଂ ଦାଦାବଟି ମାଗି ବନ୍ଧା ହେଲେ । ଗିରଫ ହୋଇ କୋର୍ଟ ଚାଲଣ ହେଲେ । ଗାଳି କରିଥିବା ମୋବାଇଲ ଫୋନ୍କୁ ମଧ୍ୟ ଜବତ ହେଲା । ଖାରବେଳନଗର ଥାନା ପୁଲିସ ଦ୍ୱାରା ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ସ୍ୱାଗତ ରାଜଦର୍ଶୀ । ତାଙ୍କ ଘର ନୟାପଲ୍ଲୀ ନୂଆସାହୀରେ । ଅଧିକ ତଦନ୍ତରୁ ଏହା ଜଣାପଡିଛି ଯେ, ଅଭିଯୁକ୍ତ ପୂର୍ବରୁ ମଧ୍ୟ ଏହି ଭଳି ଏକ ଅଭିଯୋଗରେ ଇନଫୋସିଟି ଥାନା ତରଫରୁ କୋର୍ଟ ଚାଲାଣ ହୋଇଥିଲେ ।ସୂଚନାଯୋଗ୍ୟ ଯେ, ସ୍ୱାଗତ ନିଜ ଆକାଉଣ୍ଟରୁ ଜଣେ ମହିଳାଙ୍କ ଏକ ପୋଷ୍ଟରେ ନାନାପ୍ରକାର ଅପଶବ୍ଦ ବ୍ୟବହାର କରିବା ସହିତ ପୀଡିତାଙ୍କ ଚରିତ୍ରକୁ ନେଇ ଆକ୍ଷେପ କରିଥିଲେ ।
ଏହାବାଦ ସେ ପୀଡ଼ିତାଙ୍କୁ ସର୍ବସାଧାରଣରେ ବଦନାମ କରିଦେବାର ଧମକ ଦେଖାଇଥିଲେ । ଏସବୁ ପୋଷ୍ଟ ହଟାଇବାକୁ ତାଙ୍କ ନିକଟରୁ ଟଙ୍କା ମଧ୍ୟ ଦାବୀ କରୁଥିଲେ । ଘଟଣାର ଅଭିଯୋଗ ପରେ ଖାରବେଳନଗର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ କରିବା ସହିତ ଚଢଉ ଜରିଆରେ ଅଭିଯୁକ୍ତଙ୍କୁ କାବୁ କରି ତାଙ୍କ ନିକଟରୁ ସମ୍ପୃକ୍ତ ମୋବାଇଲଫୋନକୁ ଜବତ କରିଥିଲେ । ତଦନ୍ତ ବେଳେ ନିମ୍ନୋକ୍ତ ଅଭିଯୁକ୍ତ ନିଜ ଅପରାଧ ସ୍ୱୀକାର କରିଥିଲେ । ବର୍ତ୍ତମାନ ଏହି ମାମଲାର ଅଧିକ ତଦନ୍ତ ଚାଲୁ ରହିଛି ।