31.1 C
Bhubaneswar
Friday, March 29, 2024
Homeଓଡିଶାଜମୁଛି ପୂଜା ବଜାର, ବଢୁଛି ସଂକ୍ରମଣ ଆଶଙ୍କା, କଟକଣାକୁ ଫୁ’

ଜମୁଛି ପୂଜା ବଜାର, ବଢୁଛି ସଂକ୍ରମଣ ଆଶଙ୍କା, କଟକଣାକୁ ଫୁ’

ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରମୁଖ ବ୍ୟବସାୟିକ ପେଣ୍ଠ ଭାବେ ବିବେଚିତ ବ୍ରହ୍ମପୁର ସହରରେ ଦୁର୍ଗା ପୂଜା ଅବସରରେ ବଜାରରେ ଭିଡ଼ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସମେତ ବ୍ରହ୍ମପୁର ସହରରେ ଗତ କିଛି ମାସ ଧରି କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଥିବାରୁ ପ୍ରଶାସନ ଦୋକାନ ବଜାର ଖୋଲିବାକୁ ଅନୁମତି ଦେଇଛନ୍ତି । କିନ୍ତୁ ସମ୍ପୂର୍ଣ୍ଣ ଭାବେ କୋଭିଡର ପଞ୍ଚସୂତ୍ରୀ ନିୟମ ମାନିବାକୁ ଜିଲ୍ଲା ପ୍ରଶାସନ ଏବଂ ବିଏମ୍‌ସି ପକ୍ଷରୁ ତାଗିଦ୍ କରାଯାଇଛି । ମାତ୍ର କଟକଣାକୁ ଖାତିର ନ କରି ଗ୍ରାହକ ଏବଂ ବ୍ୟବସାୟୀ ଉଭୟେ ବ୍ୟବସାୟ କରୁଥିବା ପରିଲକ୍ଷିତ ହୋଇଛି ।

ସୂଚନା ଯୋଗ୍ୟ ଯେ ସଂପ୍ରତି ରାଜ୍ୟର ଦୁଇ ପ୍ରମୁଖ ସହର ଭୁବନେଶ୍ୱର ଏବଂ କଟକରେ ସଂକ୍ରମଣ ହାର ବଢ଼ିବାରେ ଲାଗିଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏ ନେଇ ଜନସାଧାରଣଙ୍କୁ ତାଗିଦ୍ କରିଛନ୍ତି । ଅମାନିଆ ହୋଇ ନିୟମ ନ ମାନିଲେ ପୁଣି କରୋନା ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନାକୁ ଏଡ଼ାଇ ହେବ ନାହିଁ ବୋଲି ସତର୍କ କରାଇଛନ୍ତି । ତଥାପି ବ୍ରହ୍ମପୁରରେ ଜନସାଧାରଣଙ୍କ  ଉପରେ ଆଦୌ ପ୍ରଭାବ ନଥିବା ଦେଖିବାକୁ ମିଳିଛି । ସହରର ବ୍ୟସ୍ତବହୁଳ ବଡ଼ବଜାର, ସାନବଜାର, ଗିରିମାର୍କେଟ,ଏସ୍‌ଏନ୍‌ଟି ରୋଡ୍‌, ଚର୍ଚ୍ଚ ରୋଡ୍‌, ପୁରୁଣା ବସ୍‌ଷ୍ଟାଣ୍ଡ ରୋଡ୍‌, ଅନ୍ନପୁର୍ଣ୍ଣା ମାର୍କେଟ୍‌, କମାପଲ୍ଳୀ, ପୁରୁଣା ବ୍ରହ୍ମପୁର ସବୁଠିଁ ଗ୍ରାହକଙ୍କ ଭିଡ଼ ଚିନ୍ତା ବଢ଼ାଇଛି ।

କାରଣ ପ୍ରାୟ ୯୦ ପ୍ରତିଶତ ଗ୍ରାହକ ମାସ୍କ ପରିଧାନ କରୁନଥିବା ପରିଲକ୍ଷିତ ହୋଇଛି । ଦୋକାନ ସମ୍ମୁଖରେ ଲାଗିଥିବା “ନୋ ମାସ୍କ୍ ନୋ ଗୁଡ୍ସ’ ସ୍ଳୋଗାନ କେବଳ ନାମକୁ ମାତ୍ର ଲାଗିଛି । ଗୋଟିଏ ପଟେ ଗ୍ରାହକ ତୁରନ୍ତ ବିଭିନ୍ନ ସାମଗ୍ର୍ରୀ କ୍ରୟ କରି ଦୋକାନରୁ ଫେରିବା ପାଇଁ ଚେଷ୍ଟିତ ଥିବାବେଳେ ବୋକାନୀମାନେ ମଧ୍ୟ ପାର୍ବଣରେ ସର୍ବାଧିକ ବିକ୍ରି କିଭଳି କରିପାରିବେ ସେଥିପ୍ରତି ଦୃଷ୍ଟି ଦେଉଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ ଦୁର୍ଗା ପୂଜା ଅବସରରେ ପୂଜାର କିଛି ଦିନ ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଜନସାଧାରଣ ବ୍ରହ୍ମପୁର ସହରକୁ ଆସି ନୂତନ ବସ୍ତ୍ର ସମେତ ବିଭିନ୍ନ ଘରକରଣା ମଧ୍ୟ କିଣିବାକୁ ପସନ୍ଦ କରିଥାନ୍ତି ।

ଏଭଳିକି ଗଞ୍ଜାମ ଜିଲ୍ଲାର ସୀମାନ୍ତ ତଥା ପଡ଼ୋଶୀ ରାଜ୍ୟ ଆନ୍ଧ୍ର ପ୍ରଦେଶର କିଛି ଅଞ୍ଚଳର ଗ୍ରାହକ ଏଠାକୁ ଆସିଥାନ୍ତି । ସମ୍ପ୍ରତି ଏହି ପୂଜା ଅବସରରେ ଦୁଇ ତିନୋଟି ନୂତନ ସପିଂ ମଲ୍ ଖୋଲିଥିବାରୁ ସେହି ଦୋକାନଗୁଡ଼ିକ ସମେତ ପୂର୍ବରୁ ଥିବା ସପିଂ ମଲ୍‌ଗୁଡ଼ିକରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଛି । ଏହି ଭିଡ଼ ଆଗାମୀ କୁମାର ପୂର୍ଣ୍ଣିମା ପର୍ଯ୍ୟନ୍ତ ଲାଗି ରହିବାର ସମ୍ଭାବନା ରହିଛି । ତେଣୁ ଅନିୟନ୍ତ୍ରିତ ଭଡ଼ ଓ ଲୋକେ କୋଭିଡ୍ କଟକଣାକୁ ମାନୁନଥିବାରୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଉଦ୍‌ବେଗ ପ୍ରକାଶ ପାଇଛି । ଏ ନେଇ ବ୍ରହ୍ମପୁର ମହାନଗର ନିଗମର କମିଶନର ସିଦ୍ଧେଶ୍ୱର ବଳିରାମ ବୋନ୍ଦାରଙ୍କୁ ପ୍ରଶ୍ନ ପଚାରିବାରୁ ସେଥିପ୍ରତି ଦୃଷ୍ଟି ଦିଆଯିବ । ଏନ୍‌ଫୋର୍ସମେଣ୍ଟ୍ ବିଭାଗର ଅଧିକାରୀମାନେ ତାଗିଦ୍ କରିବେ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking