27.8 C
Bhubaneswar
Friday, April 19, 2024
Homeଓଡିଶା୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ: ୩ ମାସ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ ପାଇଁ...

୫-ଟି ସଚିବଙ୍କ ଖୋର୍ଦ୍ଧା ଶିଳ୍ପାଞ୍ଚଳ ଗସ୍ତ: ୩ ମାସ ମଧ୍ୟରେ ସମସ୍ତ ସମସ୍ୟା ସମାଧାନ ପାଇଁ ପରାମର୍ଶ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଅପରାହ୍ନରେ ଖୋର୍ଦ୍ଧା ଶିଳ୍ପାଞ୍ଚଳ, ଫୁଡ ପାର୍କ, ଆଇ.ଆଇ.ଡି ଖୋର୍ଦ୍ଧା ଓ ଜୟମଙ୍ଗଳ ଶିଳ୍ପାଞ୍ଚଳ ପ୍ରଭୃତି ଗସ୍ତ କରି ଶିଳ୍ପଦ୍ୟୋଗୀ, କର୍ମଚାରୀ ଓ ସ୍ଥାନୀୟ ଜନସାଧାରଣଙ୍କ ବିଭିନ୍ନ ସମସ୍ୟା ସଂପର୍କରେ ଆଲୋଚନା କରିଛନ୍ତି । ଆଲୋଚନା ପରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନ ସମସ୍ତ ସମସ୍ୟାକୁ ୩ ମାସ ମଧ୍ୟରେ ସମାଧାନ କରିବା ପାଇଁ ଶିଳ୍ପ ବିଭାଗ ଓ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଖୋର୍ଦ୍ଧା ଶିଳ୍ପାଞ୍ଚଳର ପ୍ରାୟ ୫୦ ଜଣ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପାନୁଷ୍ଠାନ ଏବଂ ସେମାନଙ୍କ ସଂଘର କର୍ମକର୍ତ୍ତାମାନେ ଆଲୋଚନାରେ ଭାଗ ନେଇଥିଲେ । ଏଥିରେ ବିଜୁଳି ଓ ପାଣି ଯୋଗାଣରେ ଉନ୍ନତି, ଟ୍ରକ ଗୁଡିକର ପାର୍କିଂ ସମସ୍ୟା, ଶ୍ରମିକ ମାନଙ୍କ ପାଇଁ ହଷ୍ଟେଲ, ଟ୍ରାଫିକ ପରିଚାଳନା, ବର୍ଜ୍ୟବସ୍ତୁ ପରିଚାଳନା ଓ ସୁରକ୍ଷା ବ୍ୟବସ୍ଥାରେ ଉନ୍ନତି ଆଦି ବିଭିନ୍ନ ବିଷୟରେ ଆଲୋଚନା ହୋଇଥିଲା ।

ବୈଠକରେ ସବୁ Industrial Estateରେ ଦୁଇ ହଜାରରୁ ତିନି ହଜାର ଶ୍ରମିକ ରହିବା ପାଇଁ ହଷ୍ଟେଲର ବ୍ୟବସ୍ଥା କରାଯିବ ବୋଲି ନିଷ୍ପତ୍ତି ହୋଇଥିଲା । କୋଭିଡ ମହାମାରୀ ସମୟରେ ଅନେକ ଶିଳ୍ପାନୁଷ୍ଠାନ କ୍ଷତିର ସମ୍ମୁଖୀନ ହୋଇଛନ୍ତି । ଏହି କ୍ଷତିଗ୍ରସ୍ତ ଶିଳ୍ପାନୁଷ୍ଠାନ ମାନଙ୍କ ପାଇଁ ସ୍ୱତନ୍ତ୍ର ନୀତି ଆସିବ ବୋଲି ୫-ଟି ସଚିବ କହିଥିଲେ । ବୈଠକରେ ସ୍ଥାନୀୟ ଲୋକଙ୍କ ନିଯୁକ୍ତି ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା । ଏହାପରେ ଶ୍ରୀ ପାଣ୍ଡିଆନ ଜୟମଙ୍ଗଳ ଶିଳ୍ପାଞ୍ଚଳ ମଧ୍ୟ ପରିଦର୍ଶନ କରିଥିଲେ । ସେଠାରେ ସେ କୋଭିଡ ମହାମାରୀ ସମୟରେ ଚାକିରୀ ଛାଡି ଥିବା ଉଚ୍ଚଶିକ୍ଷିତ ଇଞ୍ଜିନିୟରିଂ ଓ ମ୍ୟାନେଜମେଣ୍ଟ ଗ୍ରାଜୁଏଟ ମାନଙ୍କ ସହିତ ଆଲୋଚନା କରିଥିଲେ ।

ଉଦ୍ୟୋଗ ପ୍ରତିଷ୍ଠା ପାଇଁ ସେମାନଙ୍କର ଉଦ୍ୟମରେ ରାଜ୍ୟ ସରକାର ସଂପୂର୍ଣ୍ଣ ସହଯୋଗ ଯୋଗାଇ ଦେବେ ବୋଲି ଶ୍ରୀ ପାଣ୍ଡିଆନ ପ୍ରତିଶୃତି ଦେଇଥିଲେ। ୫-ଟି ସଚିବଙ୍କ ଏହି ଗସ୍ତରେ ଶିଳ୍ପଦ୍ୟୋଗୀମାନଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଓ ଖୁସି ପ୍ରକାଶ ପାଇଥିଲା । ସେମାନଙ୍କର ଦୀର୍ଘ ବର୍ଷର ସମସ୍ୟାର ଆଜି ସମାଧାନ ହୋଇଛି ବୋଲି ସନ୍ତୋଷ ପ୍ରକାଶ କରି ସେମାନେ କହିଥିଲେ ଯେ ୪୦ ବର୍ଷର ସମସ୍ୟା ଆଜି ମାତ୍ର ୪୦ ମିନିଟ୍‌ରେ ସମାଧାନ ହୋଇପାରିଛି । ଏହି ଆଲୋଚନାରେ ଶିଳ୍ପ ବିଭାଗର ପ୍ରମୁଖ ସଚିବ ଶ୍ରୀ ହେମନ୍ତ ଶର୍ମା, ଇଡ୍‌କୋ ପରିଚାଳନା ନିର୍ଦ୍ଦେଶକ ଓ ଖୋର୍ଦ୍ଧା ଜିଲ୍ଲାପାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking